କେରଳରେ ଲାଲ ଦୁର୍ଗ ପତନ

ସୌଭାଗ୍ୟ ରଂଜନ ମହାନ୍ତି : ଗଲା ସପ୍ତାହରେ ଅନୁଷ୍ଠିତ କେରଳ ପୌର ସଂସ୍ଥା ଓ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫଳାଫଳକୁ ଯଦି ଆଗାମୀ ବିଧାନସଭା ପାଇଁ ଏକ ମାପକାଠି (ବେରୋମିଟର) ହୁଏ, ତେବେ ଦେଶର ଏକମାତ୍ର ବାମପନ୍ଥୀ ଶାସିତ ରାଜ୍ୟରେ କ୍ଷମତାସୀନ ବାମପନ୍ଥୀ ଗଣତାନ୍ତ୍ରୀକ ମେଂଟ (ଏଲଡିଏଫ) ଏବଂ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଉଭୟେ ଲାଲ ସଂକେତ ଦେଖିବା ସମ୍ଭାବନା ରହିଛି ବୋଲି କୁହାଯାଇପାରିବ। କାରଣ ଏଲଡିଏଫର ମୁଖ୍ୟ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତୃତ୍ୱାଧୀନ ମିଳିତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ) ଉଭୟ ପୌର ଏବଂ ପଂଚାୟତ ସଂସ୍ଥା ନିର୍ବାଚନରେ ବାଜିମାତ କରିଛି। ୟୁଡିଏଫ ରାଜ୍ୟର ୬ଟି ପୌରମହାନଗର ନିଗମ ମଧ୍ୟରୁ ୪ଟି ଅକ୍ତିଆର କରିଥିବାବେଳେ ୯୪୧ଟି ଗ୍ରାମ ପଂଚାୟତ ମଧ୍ୟରୁ ଅର୍ଦ୍ଧାଧିକ ତଥା ୫୦୫ଟି, ୧୫୨ଟି ପଂଚାୟତ  ସମିତି(ବ୍ଲକ ପଂଚାୟତ) ମଧ୍ୟରୁ ୭୯ଟି ଏବଂ ୧୪ଟି ଜିଲ୍ଲା ପରିଷଦ (ଜିଲ୍ଲା ପଂଚାୟତ) ମଧ୍ୟରୁ ୭ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେହିପରି ରାଜ୍ୟର ୮୬ଟି ପୌର ସଂସ୍ଥା ମଧ୍ୟରୁ ୫୪ଟି ଅକ୍ତିଆର କରି ପରିଷଦ ଗଠନ କରିବାକୁ ସମର୍ଥ ହୋଇଛି । ଯାହାକି ବାମପନ୍ଥୀ ମେଂଟ ସରକାରଙ୍କ ପାଇଁ ଏକ ଶକ୍ତି ଧକ୍କା ତଥା ଲାଲ ଦୁର୍ଗ ପତନର ସଂକେତ ପ୍ରଦାନ କରିଥିବା କହିଲେ ଅତିରଂଜିତ ହୋଇନପାରେ।

  ଆହୁରି ମଧ୍ୟ ଗତ ଚାରି ଦଶନ୍ଧି ଧରି ବାମପନ୍ଥୀ ଦୁର୍ଗ ଭାବେ ପରିଚିତ ରାଜଧାନୀ ଥିରୁବନନ୍ତମପୁରମ ମହାନଗର ନିଗମ ନିର୍ବାଚନରେ ବିଜେପି ବାଜିମାତ କରିବା ଆଉ ଏକ ଉଲ୍ଳେଖନୀୟ ଘଟଣା । ମହାନଗର ନିଗମର ୧୦୧ଟି ୱାର୍ଡ ମଧ୍ୟରୁ ୫୦ଟିରେ ବିଜେପି ବିଜୟୀ ହୋଇଥିବା ବେଳେ ବାମପନ୍ଥୀ ସାମ୍ମୁଖ୍ୟ ୨୯ଟି ଏବଂ ୟୁଡିଏଫ ୧୯ଟି ୱାର୍ଡ ଅକ୍ତିଆର କରିଛି । ତେବେ ସରକାର ବିରୋଧୀ ହାୱା ଓ ଦୁର୍ନୀତି ଯୋଗୁଁ ଏଲଡିଏଫର ବିପର୍ଯ୍ୟୟର କାରଣ ବୋଲି କୁହାଯାଏ । ତେବେ ପିନରାଇ ସରକାର ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପଳାଫଳ ନେଇ କଂଗ୍ରେସର ମନୋବଳ କେବଳ ବୃଦ୍ଧି ପାଇନାହିଁ, ଆଗାମୀ ନିର୍ବାଚନ ବିଜୟର ଦିନ ହେବାରେ କଂଗ୍ରେସ ଆଶାବାଦୀ । କୁହାଯାଇପାରେ ଯେ, ନିକଟ ଅତୀତରେ କଂଗ୍ରେସ ବହୁ ନିର୍ବାଚନ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ପ୍ରଥମ ଥର ପାଇଁ କେରଳରେ ପଂଚାୟତ ଓ ପୌର ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଆଶା ସଂଚାରର ବାର୍ତ୍ତାବହ ହୋଇଛି । ସେହିପରି ରାଜ୍ୟର ମୁଖ୍ୟ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହାନଗର ନିଗମ ଭାବେ ପରିଚିତ ଥିରୁବନନ୍ତପୁରମ୍‌ରେ ବିଜେପିର ବିଜୟ କେବଳ ଦଳର କର୍ମୀ ଓ ନେତାମାନଙ୍କ ତତ୍ପରତା ଯୋଗୁଁ ସମ୍ଭବ ହୋଇଥିବା ମନେହୁଏ ।  

   ଉଲ୍ଳେଖଯୋଗ୍ୟ ଯେ, ଥିରୁବନନ୍ତପୁରମ୍‌ ଲୋକସଭା ଆସନଟି କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିବାବେଳେ ଗତ ଚାରି ଦଶନ୍ଧି ଧରି ଦଳର କବଜାରେ ରହିଛି । ସେଠାରେ ଉଭୟ ବାମପନ୍ଥୀ ଓ କଂଗ୍ରେସକୁ ମତ ଦେଇ ବିଜେପିର ବାଜିମାତ ଏବେ ଏନଡିଏ ତୃତୀୟ ଶକ୍ତି ଭାବରେ ଉଭା ହେବାକୁ ଯାଉଥିବା ମନେହୁଏ । ଏହା ସତ୍ୟ ଯେ, କେରଳ ରାଜନୀତିରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପରିଚିତ ଥିବାବେଳେ ନିୟମିତ ସରକାରରେ ପରିବର୍ତ୍ତନ ଘଟିଥାଏ । ତେବେ ଗତ ୨୦୨୧ ନିର୍ବାଚନରେ ପିନରାଇଙ୍କ ନେତୃତ୍ୱରେ ଏଲଡିଏଫ କ୍ରମାଗତ ଦ୍ୱିତୀୟ ଥର କ୍ଷମତାସୀନ ହୋଇଛି । ୨୦୨୧ ନିର୍ବାଚନରେ ରାଜ୍ୟର ୧୪୦ ଜଣିଆ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏଲଡିଏଫ ୪୧ଟି ଏବଂ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଥିରୁବନନ୍ତପୁରମରେ ଗତ ସାଧାରଣ ନିର୍ବାଚନରେ ଚାରି ଥରର ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ଠାରୁ ବିଜେପି ପ୍ରାର୍ଥୀ ମାତ୍ର ୧.୭ ପ୍ରତିଶତ ଭୋଟରେ ପରାଜିତ ହୋଇଥିବାବେଳେ ବର୍ଷକ ପରେ ପୌର ନିର୍ବାଚନରେ ବିଜେପି ଆଶାତୀତ ସଫଳତା ହାସଲ କରି ନିଗମ ଅକ୍ତିଆର କରିବା ଦଳ ତଥା ଏନଡିଏ ଏବେ ଏକ ଶକ୍ତିଭାବେ ଆବିର୍ଭାବ ହୋଇଛି । କେରଳ ରାଜନୀତିରେ ତୃତୀୟ ଶକ୍ତି ଭାବେ ଏନଡିଏରେ ଅଭ୍ୟୁଦୟ ନିଶ୍ଚିତ ଭାବେ ରାଜ୍ୟ ରାଜନୀତିରେ ନୂଆମୋଡ ନେବାକୁ ଯାଉଛି ବୋଲି କୁହାଯାଇପାରେ ।

ମୋ-୭୯୭୮୬୬୬୪୦୩