ଭାଷା ବିଶାରଦ ଗୋପାଳ ଚନ୍ଦ୍ର

ଇନ୍ଦୁ ଭୂଷଣ ଭୂୟାଁ : ଓଡ଼ିଶାର ଯଶସ୍ୱୀ ସାରସ୍ୱତ ପୁରୁଷ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ'ର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ସୁପ୍ରସିଦ୍ଧ ଭାଷାତତ୍ତ୍ୱବିତ୍‌ ଓ ସୁଲେଖକ । ଭାଷା, ସାହିତ୍ୟ, ସଂସ୍କୃତି ଓ ଜାତି ପ୍ରୀତିବୋଧର ଅଲିଭା ଅଭିବ୍ୟକ୍ତି ହେଉଛି ଉକ୍ରଳ କାହାଣୀ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଢ଼ଗଢ଼ମାଳି ଏବଂ ବହୁ ରମ୍ୟ ରଚନା । ସେ ସଂସ୍କୃତ, ଇଂରାଜୀ, ପାର୍ଶୀ, ବଙ୍ଗଳା, ହିନ୍ଦୁସ୍ଥାନୀ ଆଦି ଭାଷାରେ ପଣ୍ଡିତ ଥିଲେ ମଧ୍ୟ ତାଙ୍କର ଭାଷା ଓ ସାହିତ୍ୟ ପ୍ରତି ଅପୂର୍ବ ଶ୍ରଦ୍ଧା ଓ ଅନୁରାଗ ତାଙ୍କର ସମଗ୍ର ଜୀବନ ଓ ବିଜ୍ଞକୁ ସାରସ୍ୱତ ମାର୍ଗରେ ନିୟୋଜିତ କରିବାକୁ ପ୍ରେରଣା ଦେଇଥିଲା ।  ଭାଷା ବିଶାରଦ ଗୋପାଳଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୨୭ ତାରିଖରେ କଟକ ଜିଲ୍ଲାସ୍ଥ ସିଦେ୍ଧଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନରସିଂହ ପ୍ରହରାଜଙ୍କ ସତର ଗୋଟି ଝିଅ ଓ ପୁଅଙ୍କ ମଧ୍ୟରୁ ଗୋପାଳଚନ୍ଦ୍ର ଥିଲେ ବଡ଼ ପୁଅ ଓ ଦ୍ୱିତୀୟ ସନ୍ତାନ । ତାଙ୍କ ପୂର୍ବପୁରୁଷମାନେ ପୁରୀ ଜିଲ୍ଲାର ଗୋବିନ୍ଦପୁର ଶାସନର ବ୍ରାହ୍ମଣ ଥିଲେ । ତାଙ୍କ ବଂଶର ପୂର୍ବପୁରୁଷ ସୁଦାମ ଆଚାର୍ଯ୍ୟ ସିଦେ୍ଧଶ୍ୱରପୁରରେ ବାହା ହୋଇ ସେଠାରେ ସ୍ଥାୟୀ ଭାବରେ ଅବସ୍ଥାନ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଜଣେ ବଂଶଧର ପ୍ରହରାଜ ଉପାଧି ପାଇଥିଲେ । ପିଲାଦିନେ ଗୋପାଳଚନ୍ଦ୍ର ବହୁତ ଦୁଷ୍ଟ ଥିଲେ । ସେ ତାଙ୍କ ଗାଁଗହଳିରେ ପାଠପଢ଼ା ଆରମ୍ଭ କରିଥିଲେ । ସେତେବେଳେ ଭଲ ପଢ଼ୁନଥିବାରୁ ତାଙ୍କ ଅବଧାନକୁ ଖୁସି କରିବା ପାଇଁ ଭଲ ଭଲ ଖାଇବା ଜିନିଷ ଦେଉଥିଲେ  । ପ୍ରାଥମିକ ଶିକ୍ଷା ଶେଷକରି ସିଦେ୍ଧଶ୍ୱରପୁରରେ ତାଙ୍କ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ଭର୍ଣ୍ଣାକୁଲାର ସ୍କୁଲରେ ପାଠ ପଢ଼ିଲେ । ତାଙ୍କୁ ଏଗାର ବର୍ଷ ହୋଇଥିବାବେଳେ ୧୮୮୫ ମସିହାରେ ତାଙ୍କ ମା'ମୃତ୍ୟୁବରଣ କରିଥିଲେ । ମା'ଙ୍କ ସ୍ମୃତିରେ ସେ ତାଙ୍କ ପ୍ରଥମ କବିତା ବହି "ମାତୃ ବିୟୋଗ' ଲେଖିଥିଲେ । ୧୮୮୭ ମସିହାରେ ତେର ବର୍ଷ ବୟସରେ ଉଚ୍ଚଶିକ୍ଷା ପାଇଁ ସେ କଟକ ଆସିଥିଲେ । ସେ କଟକର ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ନାମ ଲେଖାଇଥିଲେ  । ସ୍କୁଲରେ ସେ ଭଲ ପଢ଼ୁଥିଲେ ଓ ପ୍ରଥମ ତିନିଜଣଙ୍କ ଭିତରେ ରହୁଥିଲେ । ସେ ୧୮୮୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ଏଣ୍ଟ୍ରାନ୍ସ ପାଶ କରିଥିଲେ । ଓଡ଼ିଶାରେ ତୃତୀୟ ସ୍ଥାନ ଦଖଲ କରିଥିବାରୁ ମାସିକ ପନ୍ଦର ଟଙ୍କା ଲେଖାଏଁ ବୃତ୍ତି ପାଇଥିଲେ । ତା'ପରେ ସେ ରେଭେନ୍ସା କଲେଜରେ ଏଫଏ ଶ୍ରେଣୀରେ ନାମ ଲେଖାଇଲେ ମାତ୍ର କୁସଙ୍ଗରେ ପଢ଼ି ପଢ଼ାପଢ଼ି ନକରିବାରୁ ସେ ଦୁଇଥର ପରୀକ୍ଷାରେ ଫେଲ ହୋଇଥିଲେ । ବାପାଙ୍କ ଠାରୁ ଗାଳିଶୁଣି ଗୋପାଳଙ୍କ ମନ ବଦଳି ଯାଇଥିଲା ଓ ସେ ୧୮୯୪ ମସିହାରେ ପ୍ରଥମ ଶ୍ରେଣୀରେ ଏଫଏ ପାସ୍‌ କଲେ । ଏହାପରେ ସେ କଲିକତାରେ ଶିବପୁରରେ ଇଞ୍ଜିନିୟରିଂ ପଢ଼ିବାକୁ ଗଲେ । କିନ୍ତୁ ସେଠାରେ ତାଙ୍କ ଦେହ ଖରାପ ହେବାରୁ ବର୍ଷକ ପରେ ଫେରିଆସି ରେଭେନ୍‌ସା କଲେଜରେ ବିଏ ପଢ଼ିଲେ ଓ ୧୮୮୯ ମସିହା ବିଏ୍‌ ପାସ କଲେ । ୧୯୦୦ ମସିହାରେ ସେ ଲ'ପାସ କରିବା ପରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ସହଯୋଗୀ ଭାବରେ ଓକିଲାତି ଆରମ୍ଭ କଲେ  । ୧୯୧୪ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁପରେ ସେ ବଡ଼ପୁଅ ଭାବରେ ଘରର ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ସେ ୧୮ବର୍ଷ ବୟସରେ ମୁକ୍ତାମଣୀ ଦେବୀଙ୍କୁ ବିବାହ କରିଥିଲେ । ଓଡ଼ିଶା ସାହିତ୍ୟ ପ୍ରତି ଗୋପାଳଚନ୍ଦ୍ରଙ୍କର ବହୁତ ନିଷ୍ଠା ଥିଲା । ସେ ଏକାଧାରାରେ ଥିଲେ ଭାଷାବିତ୍‌, ପ୍ରାବନ୍ଧିକ, କବି, ଗାଳ୍ପିକ ଓ ସମାଲୋଚକ । "ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ଭାଷାକୋଷ' ତାଙ୍କର ଅନବଦ୍ୟ ସୃଷ୍ଟି । ୧୯୧୩ରୁ ୧୯୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ୧ଲକ୍ଷ ୮୫ ହଜାର ଶବ୍ଦକୁ ଆବିଷ୍କାର କରି ୯୫୦୩ ପୃଷ୍ଠାର ପରିବ୍ୟାପ୍ତ ସାତଖଣ୍ଡରେ ଏହି ବିଶାଳ ଓଡ଼ିଆ ଅଭିଧାନ ପ୍ରଣୟନ କରିଥିଲେ, ଯାହା ଭାରତୀୟ ସାହିତ୍ୟ ଇତିହାସର ଏକ ଅନତିକ୍ରମ ଅଧ୍ୟାୟ । ଭାଷାକୋଷ ବ୍ୟତୀତ ଉକ୍ରଳ କାହାଣୀ ୧ମ, ୨ୟ ଭାଗ, ଭାଗବତ ଟୁଙ୍ଗୀରେ ସନ୍ଧ୍ୟା, ବାଇ ମହାନ୍ତି ପାଞ୍ଜି, ମିଆଁ ସାହେବଙ୍କ ରୋଜନାମଚା, ଧୋରେ ବାଇଆ ଧୋ, ଦୁନିଆରେ ହାଲଚାଲ, ନନାଙ୍କ ବସ୍ତାନି, ଆମ ଘରର ହାଲଚାଲ, ବାଇନାନୀଙ୍କ ବୁଜୁଳି, ବାଇଦାସଙ୍କ ଭଜନ ଓ ଶିଶୁଗୀତ, ଢ଼ଗଢ଼ମାଳି ବଚନ ୧ ମ ଓ୨ୟ ଜେଜେବାପାଙ୍କ ଟୁଣିମୁଣି, ସ୍ୱପ୍ନରେ ରାଜଯୋଗ, ଧତରାବନ୍ଧର ପୁଞ୍ଜିପାଞ୍ଚୁ, ସ୍ୱପ୍ନରେ ରାଜଧାନୀ ଯୋଗ, ମନର ପାଞ୍ଚ, ଭାଷାକୋଷ ପାଇଁ ସଫର, ଦୁନିଆର ରୀତି ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ରଚନାବଳୀ । ସେ ମେ' ୧୬ ତାରିଖ ୧୯୪୫ ମସିହାରେ ଆକସ୍ମିକ ଭାବରେ ଇହଧାମ ତ୍ୟାଗ କରିଥିଲେ । 
ମୋ : ୭୪୮୮୯୯୮୫୩୨