ଆମେରିକା ପ୍ରବାସୀ ଭାରତୀୟଙ୍କଠାରୁ ଆଶା 

ଡ. ନିରଞ୍ଜନ ସାହୁ : ଆମେରିକାରୁ ଯେଉଁ ବୁଦ୍ଧିମତ୍ତାସମ୍ପନ୍ନମାନେ ଫେରିଆସି ଭାରତରେ ଉଦ୍ୟୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଭାରତ ସରକାରଙ୍କ ତରଫରୁ ସବୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଆବଶ୍ୟକ । ଭାରତର ସରକାରୀ କଳ ଅନେକ ସମୟରେ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ତାଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟିକରେ - ଏଥିପ୍ରତି ଗଭୀର ସତର୍କତାମୂଳକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।

ଦୁଇ ଜହାର ପଚିଶ ମଇ ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରୁଥିବା ଭାରତୀୟମାନଙ୍କ ସଂଖ୍ୟା ପ୍ରାୟ ବାଉନ ଲକ୍ଷ ବୋଲି ଜନସଂଖ୍ୟା ସୁମାରିରୁ ଜଣାଯାଏ । ଏହି ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାର ୧.୬ ପ୍ରତିଶ । ବାଉନ ଲକ୍ଷ ମଧ୍ୟରୁ ନାଗରିକତ୍ୱ ହାସଲ କରିଥିବା ଲୋକ ପ୍ରାୟ ୨୮ଲକ୍ଷ, ୧୨ ଲକ୍ଷ ଗ୍ରୀନ୍‌କାର୍ଡ ଧାରୀ ଏବଂ ଅବଶିଷ୍ଟାଂଶ ବିଭିନ୍ନି ନିଯୁକ୍ତିରେ କାର୍ଯ୍ୟରତ । ଏହି ଲୋକଙ୍କ ବୈଶିଷ୍ଟ୍ୟ ହେଲା ଏମାନେ ପ୍ରାୟତଃ ଉଚ୍ଚ ଶିକ୍ଷା ପ୍ରାପ୍ତ ଏବଂ ବୁଦ୍ଧିଜୀବୀ ସମ୍ପ୍ରଦାୟର । କଠିନ ପରିଶ୍ରମୀ ତଥା କୋଳାହଳ କରୁନଥିବା ଭାରତୀୟମାନେ ଆମେରିକାର ଏକ ପ୍ରଭାବଶାଳୀ ଗୋଷ୍ଠୀ ବୋଲି ସମସ୍ତଙ୍କର ଧାରଣା । କାରଣ ଏମାନଙ୍କ ଭିତରେ ଅଛନ୍ତି ଆମେରିକାର ମୋଟ ଡାକ୍ତର ସଂଖ୍ୟାର ପ୍ରାୟ ଶତକଡ଼ା ଦଶଭାଗ ଏବଂ ବଡ଼ବଡ଼ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟରତ ବ୍ୟକ୍ତିଙ୍କର ଏଗାର ପ୍ରତିଶତ । ବର୍ତ୍ତମାନ ଅଳ୍ପଦିନ ଭିତରେ ଆମେରିକା ଭାରତର ବ୍ୟବସାୟିକ ସମ୍ବନ୍ଧ ଖରାପ ହେଉ ହେଉ କୂଟନୈତିକ ସମ୍ପର୍କ ବି ବିଗିଡ଼ିଯାଇଛି । ଏତିକିବେଳେ ଭାରତର ଶହେ ଚାଳିଶ କୋଟିରୁ ଅଧିକ ଲୋକଙ୍କର ଆଶା ଆମର ଏତେ ଲୋକ ସେଠାରେ ଥିବାରୁ ସେମାନେ ହୁଏତ ପରିସ୍ଥିତି ସୁଧାରିବାରେ କିଛି ଯୋଗଦାନ କରିପାରିବେ - ଏପରି ଆଶା କରିବା ବି ସ୍ୱାଭାବିକ । ଅନେକ ପରିବାର ପୁତ୍ରକନ୍ୟା ସେଠାରେ ଥିଲାବେଳେ ସେମାନଙ୍କର ପିତାମାତା ଏଇଠି ଅଛନ୍ତି । ତେଣୁ ଉଭୟ ପକ୍ଷ ଚାହାନ୍ତି ପରିସ୍ଥିତି କିପରି ଦ୍ରୁତ ସ୍ୱାଭାବିକ ହେଉ । ସଂଖ୍ୟା ଦୃଷ୍ଟିରୁ ଇସ୍ରାଏଲ ଗୋଟିଏ ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ଏକ କୋଟିରୁ କମ୍‌, ତା’ର ଲୋକମାନେ ଜ୍ୟୁଇସ୍‌ ବା ଇହୁଦି ସମ୍ପ୍ରଦାୟର । ସାରା ପୃଥିବୀରେ ଥିବା ଜିଉମାନଙ୍କ ଭିତରୁ ଶତକଡ଼ା ୮୫ ଭାଗ ଇସ୍ରାଏଲରେ ଥିଲାବେଳେ ଶତକଡ଼ା ପନ୍ଦରଭାଗ ଆମେରିକାର ନାଗରିକ । ତା ବାହାରେ ପ୍ରାୟ ଦୁଇଲକ୍ଷରୁ କମ୍‌ ଇସ୍ରାଏଲର ଲୋକ ଆମେରିକାର ଅଧିବାସୀ - ମାତ୍ର ସେମାନଙ୍କର ପ୍ରଭାବ ଏତେ ଅଧିକ ଯେ ଆମେରିକା କେବେ ବି ଇସ୍ରାଏଲର ସାଥୀ ଛାଡ଼ି ପାରିବ ନାହିଁ । ଏଇ ପ୍ରଭାବକୁ ରାଜନୈତିକ ପରିଭାଷାରେ କୁହାଯାଏ ଲବି - ଅର୍ଥାତ୍‌ ଭାରତୀୟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିଲେ ବି ସେମାନଙ୍କର ଲବି ଦୁର୍ବଳ, ଅତଏବ ମାର୍କିନ ସରକାର ଉପରେ ପ୍ରଭାବ ପକେଇବାରେ ସେମାନେ ସେତେ ସମର୍ଥ ହୋଇପାରୁ ନାହାନ୍ତି । ଦୁଇହଜାର ମସିହାବେଳକୁ ଆମେରିକାରେ ଥିବା ଭାରତୀୟଙ୍କ ସଂଖ୍ୟା ପ୍ରାୟ ଅଠର ଲକ୍ଷ ଥିଲାବେଳେ ଗତ ପଚିଶ ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ହୋଇ ବାଉନ ଲକ୍ଷରେ ପହଞ୍ôଚଛି । ଏହି ବୃଦ୍ଧି ଅନ୍ୟ ଦେଶାଗତ ଲୋକଙ୍କ ତୁଳନାରେ ସର୍ବାଧିକ । ଅଧିକ ବୁଦ୍ଧିମାନ ଭାରତୀୟମାନେ ପ୍ରତିଯୋଗିତା ପରୀକ୍ଷାରେ ଦାମୀ ଚାକିରି ସବୁ ହାତେଇ ନେଉଥିବାରୁ ଭାରତୀୟଙ୍କ ପ୍ରତି ବିଦ୍ୱେଷ ବୃଦ୍ଧି ପାଉଛି । ପରମ୍ପରାବାଦୀମାନେ ଭାରତୀୟମାନଙ୍କ ଭିତରେ ନାଗରିକ ଶୃଙ୍ଖଳା କମ୍‌ ଥିବାର ଆକ୍ଷେପ କରୁଛନ୍ତି ଏବଂ ସେଇମାନେ ବର୍ତ୍ତମାନର ସରକାରର ନିୟାମକ । ଏହା ମଧ୍ୟ ଭାରତୀୟ ଆମେରିକାନ୍‌ ମାନେ ପ୍ରଭାବଶାଳୀ ନ ହୋଇ ପାରିବାର ଏକ କାରଣ ହୋଇପାରେ । ଭାରତରୁ ପ୍ରତିବର୍ଷ ଦୁଇଲକ୍ଷରୁ ଅଧିକ ଧନାଢ଼୍ୟ ଲୋକ ସେମାନଙ୍କର ଭାରତୀୟ ନାଗରିକତା ଛାଡ଼ି ବିଦେଶରେ ରହିବାକୁ ଚାହୁଁଛନ୍ତି ସେମାନଙ୍କର ଦେଶପ୍ରୀତି ଅପେକ୍ଷା ବିଦେଶୀ ଚାକଚକ୍ୟ ପ୍ରତି ଆଗ୍ରହ ଓ ଆକର୍ଷଣ ଅଧିକ - ସେମାନେ ଥରେ ଦେଶ ଛାଡ଼ିଲା ପରେ ଆଉ ଦେଶପ୍ରତି ଅନୁଗ୍ରହ ଓ ଆନୁଗତ୍ୟ ଦେଖାଇବେ - ଏହା ଆଶା କରିବା ବି ବୋକାମି । ଭାରତରୁ ଚାକିରି ଆଶରେ ଯାଉଥିବା ଲୋକଙ୍କ ସଂଖ୍ୟା ଅଧିକ । ସେମାନେ ଯେତେ ଅଧିକ ଦରମା ପାଇଲେ ବି କମ୍ପାନୀର କର୍ମଚାରୀ - ବଡ଼ ଦୁଃଖର କଥା ଖୁବ୍‌ କମ୍‌ ଲୋକ ଆନ୍ତ୍ରୋପ୍ରିନ୍ୟୁୟର ବା ଉଦ୍ୟୋଗୀ ଭାବରେ କାମ କରୁଛନ୍ତି - ଏହା ଭାରତୀୟଙ୍କର ପ୍ରଭାବ ହ୍ରାସର ଅନ୍ୟତମ କାରଣ ।

ଗତ ଛଅ ଦଶନ୍ଧିରୁ ଅଧିକ କାଳ ଧରି ଭାରତର ଶ୍ରେଷ୍ଠ ଅନୁଷ୍ଠାନ (ଆଇ.ଆଇ.ଟି)ରୁ ଶିକ୍ଷାପ୍ରାପ୍ତ ସର୍ବୋଚ୍ଚ ସ୍ତରୀୟ ଛାତ୍ରଛାତ୍ରୀମାନେ ଆମେରିକାରେ କାର୍ଯ୍ୟ କରୁଛନ୍ତି । ଏହା ଫଳରେ ଭାରତ ବୁଦ୍ଧିମତ୍ତାରେ ଦୁର୍ବଳ ହେଉଛି - ମାତ୍ର ଆମେରିକାରେ ଥିବା ଦ୍ରୁତ ଭିତ୍ତିଭୂମି ଫଳରେ ସେମାନେ ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ କରିପାରୁଛନ୍ତି - ୟେ ଦୁଇଟି ଯାକ ସତ । ଚାଳିଶ ପଚାଶ ବର୍ଷ ତଳେ ଯେଉଁମାନେ ଆମେରିକା ଯାଇ ବସବାସ କରିଥିଲେ, ସେମାନେ ଭାରତକୁ ରୀତିମତ ଯିବା ଆସିବା କରୁଛନ୍ତି ମାତ୍ର ତାଙ୍କର ନୂତନ ବଂଶଧରମାନେ ଆଉ ଫେରିବାକୁ ନାରାଜ - ଅର୍ଥାତ୍‌ ସେମାନଙ୍କ ଭିତରେ ଭାରତୀୟତାର ଗନ୍ଧ ନାହିଁ । ସେମାନଙ୍କ ଠାରୁ ଭାରତପ୍ରୀତି ଆଶା କରାଯାଇପାରିବ ନାହିଁ । ଆଇଟି ଶିଳ୍ପରେ ସର୍ବାଧିକ ଭାରତୀୟ କାର୍ଯ୍ୟ କରୁଛନ୍ତି- ଏପର୍ଯ୍ୟନ୍ତ ଏହି ଶିଳ୍ପ ଉପରେ ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ (ଟାରିଫ) ଲାଗୁ ହୋଇନାହିଁ । ଯଦି ଏହା ଉପରେ ସେଇ ଟାରିଫ ଲାଗୁହୁଏ ତା’ହେଲେ ପରିସ୍ଥିତି ସଂଗୀନ୍‌ ହେବା ସମ୍ଭାବନା । ଏହି ଶ୍ରେଣୀୟ ଲୋକମାନେ ସ୍ୱଳ୍ପ ମିଆଦୀ ଭିସାରେ ସେଇ ଦେଶକୁ ଯାଇଥିବାରୁ ସେଠାକାର ପାଣିପବନରେ ତାଙ୍କର ଛାପ ଛାଡ଼ିବା କାଠିକର ପାଠ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଏଚ୍‌ପିୱାନ୍‌ ବୀଶା ନବୀକରଣରେ ଏକଲକ୍ଷ ଡଲାର ବ୍ୟୟ ଭାବରେ ଡିପୋଜିଟ୍‌ କରିବାକୁ ପଡ଼ିବ ବୋଲି ଆଇନ୍‌ କରି ଏହି ଶ୍ରେଣୀୟ ଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛନ୍ତି । ଏକଲକ୍ଷ ଡଲାର କିଛି କମ୍‌ ଟଙ୍କା ନୁହେଁ - ଏହା ଅଠାଅଶୀ ଲକ୍ଷ ଟଙ୍କା ସହିତ ସମାନ । ସଂଖ୍ୟା ଅପେକ୍ଷା କୃତିତ୍ୱ ଓ ବ୍ୟକ୍ତିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୋଇଛି ଯୁଗେ ଯୁଗେ । ଜ୍ୟୁସ ବା ଇହୁଦୀ ସମ୍ପ୍ରଦାୟର ସାରା ଆମେରିକାରେ ଥିବା ଲୋକସଂଖ୍ୟା ମାତ୍ର କୋଟିଏ ପନ୍ଦର ଲକ୍ଷ ଭିତରେ । ମାତ୍ର ତା’ ଭିତରେ ପ୍ରାୟ ଦୁଇଶହ ଛବିଶ ଜଣ ନୋବେଲ ପୁରସ୍କାର ବିଜେତା । ସେମାନଙ୍କର ଗୁରୁତ୍ୱ ସେହି କ୍ରମରେ ଯଥେଷ୍ଟ ଅଧିକ । ଆମେରିକାରେ ଥିବା ଭାରତୀୟ ଡାକ୍ତରମାନଙ୍କର ଭାରି ନାଁ ଡାକ୍‌ । ସେମାନଙ୍କର ଗୁରୁତ୍ୱ ସର୍ବାଧିକ । କିଛି ବର୍ଷ ତଳେ ଆମେରିକାରେ ଗୋଟିଏ ବଡ଼ ଧାରାବାହିକ ପ୍ରଚଳନ ହେଉଥିଲା - ମାତ୍ର ସେଥିରେ ଥିବା ଡାକ୍ତର ଭୂମିକା ନେଇଥିଲେ ଅନ୍ୟ କେହି ଜଣେ । ସାରା ଦେଶରୁ ଆୱାଜ ଆସିଲା ଯେ କେବଳ ଭାରତୀୟ ଡାକ୍ତରଙ୍କ ହାତରେ ଆମେରିକାନମାନେ ଆଶ୍ୱସ୍ତ ଓ ନିରାପଦ ଅନୁଭବ କରନ୍ତି । ସେଇ ମେଗା ଧାରାବାହିକର ସ୍କ୍ରିପ୍ଟ ପରିବର୍ତ୍ତିତ ହେଲା ଓ ଜଣେ ଭାରତୀୟ ସେଇ ଡାକ୍ତର ଭୂମିକା ନେଲେ - ଯଦି ଭାରତୀୟ ଡାକ୍ତରମାନେ ଚାହିଁବେ ସେମାନେ ନିଶ୍ଚିତ ଭାବରେ ଆମ ଦେଶ ସପକ୍ଷରେ ଜନମତ ସୃଷ୍ଟି କରିପାରିବେ ।

ଆମେରିକାରେ ଥିବା ଭାରତୀୟମାନେ ଅନେକ ସମୟରେ ଭାରତରେ ହେଉଥିବା ବହୁ ଉଦ୍ୟୋଗରେ ସେମାନଙ୍କ ପୁଞ୍ଜି ଖଟାଉଛନ୍ତି ଏବଂ ସେମାନେ ମଧ୍ୟ ବହୁବିଧ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଉଛନ୍ତି । ଏଇ ଧାରା ଅବ୍ୟାହତ ରହିବା ଜରୁରି । ମାତ୍ର ରାତି ପାହୁ ପାହୁ ବାରହାତ ଦାଢ଼ି ପରି କାଲି ପୁଣି ଯେଉଁ ଭାରତକୁ ଅତି ବନ୍ଧୁ ରାଷ୍ଟ୍ରର ମର୍ଯ୍ୟାଦା ଦିଆଯାଉଥିଲା, ଯେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜର ସ୍ୱାଭାବିକ କର୍ମରୁ ସାମୟିକ ବିଚ୍ୟୁତି ନେଇ ସେ ଦେଶର ରାଷ୍ଟ୍ରପତିଙ୍କ ପାଇଁ ପ୍ରଚାର ବି କରିଥିଲେ, ସେଇ ରାଷ୍ଟ୍ରକୁ ଶତ୍ରୁରାଷ୍ଟ୍ର ପରି ବ୍ୟବହାର କରାଯାଉଛି । ସେଇ ପରିସ୍ଥିତିରେ ଏପରି ପୁଞ୍ଜି ନିବେଶ ଉପରେ ରୋକ ଲଗେଇବେ କି କ’ଣ ତାହା ସମୟ କହିବ । ଅବଶ୍ୟ ଆଶ୍ୱାସନାର କଥା ହେଉଛି ମାର୍କିନ ରାଷ୍ଟ୍ରପତି ମହୋଦୟ ଯେଉଁସବୁ ତରବରିଆ ନୀତି ଲଗାଉଛନ୍ତି ସେଗୁଡ଼ିକ ଭିତରୁ ଅନେକ ଆଇନକୁ ନ୍ୟାୟାଳୟମାନ ନାକଚ କରି ଦେଉଛନ୍ତି । ଏପରି କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ ବୋଲି ବହୁ ଟିପ୍ପଣୀ ଦେଉଛନ୍ତି - ଅବଶ୍ୟ କେବଳ ସୁପ୍ରିମକୋର୍ଟଙ୍କ ଆଦେଶ ହିଁ ସର୍ବୋଚ୍ଚ ଆଦେଶ । ତେଣୁ ସର୍ବ ଶେଷ ଆଦେଶ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ ପଡ଼ିବ ।
ଆମେରିକାରୁ ଯେଉଁ ବୁଦ୍ଧିମତ୍ତାସମ୍ପନ୍ନମାନେ ଫେରିଆସି ଭାରତରେ ଉଦ୍ୟୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଭାରତ ସରକାରଙ୍କ ତରଫରୁ ସବୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଆବଶ୍ୟକ । ଭାରତର ସରକାରୀ କଳ ଅନେକ ସମୟରେ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ତାଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟିକରେ - ଏଥିପ୍ରତି ଗଭୀର ସତର୍କତାମୂଳକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଗତ ପନ୍ଦର କୋଡ଼ିଏ ବର୍ଷ ହେଲା ଭାରତ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିଆସୁଛନ୍ତି ଏବଂ ୯ ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ପାଇଁ ଏକ ମନ୍ତ୍ରଣାଳୟ ମଧ୍ୟ ଗଠନ କରିଛନ୍ତି - ଏହା ଫଳରେ ସେମାନଙ୍କର ବହୁବିଧ ସମସ୍ୟାର ତ୍ୱରିତ ସମାଧାନ ହୋଇପାରୁଛି । ଚଳିତ ସଂକଟ ସମୟରେ ଦେଶ ଓ ଦେଶବାସୀଙ୍କର ଭରସା ରହିଛି ପ୍ରବାସୀମାନେ ତାଙ୍କୁ କାୟ ମନୋବାକ୍ୟରେ ସହଯୋଗ ଦେବେ ଏବଂ ପରିସ୍ଥିତି କିପରି ସୁଧୁରିବ ସେଥିରେ ବାସ୍ତବଯୋଗଦାନ କରିବେ । ହୁଏତ ଚଳିତ ସରକାର ସେ ଦେଶରେ ସବୁଦିନ ରହିବ ନାହିଁ ମାତ୍ର ଭାରତ ଓ ଯୁକ୍ତରାଷ୍ଟ୍ର ଦୁଇଟି ଦେଶ ଭାବରେ ରହିବେ । ଏଥିପାଇଁ ଲୋକଙ୍କ ଭିତରେ ଯେପରି ଉତ୍ତମ ସମ୍ପର୍କ ରହିପାରିବ ତାହା ମଧ୍ୟ ପ୍ରବାସୀମାନଙ୍କର ଦାୟିତ୍ୱ, କାରଣ ସେମାନେ ପ୍ରତ୍ୟେକ ଜଣେ ଜଣେ ଆମର ରାଷ୍ଟ୍ରଦୂତ ।

ମୋ : ୯୪୩୮୪୮୨୯୧୧