ମିଳିଲାନି ଏନ୍ଏସି ମାନ୍ୟତା : ୧୮ରେ ସାଲେପୁର ବନ୍ଦ ଡାକରା
ସାଲେପୁର : ସାଲେପୁର ଅଞ୍ଚଳକୁ ଏନ୍.ଏ.ସି. ମାନ୍ୟତା ପ୍ରଦାନ କରାଯିବା ଦାବି ଦୀର୍ଘବର୍ଷର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥରକ ମଧ୍ୟ ସାଲେପୁରକୁ ଅଣଦେଖା କରିଛନ୍ତି । ଏହାନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ସାଲେପୁର ଅଞ୍ଚଳକୁ ଏଥରକ ମଧ୍ୟ ଏନ୍.ଏ.ସି. ମାନ୍ୟତା ମିଳିପାରିନାହିଁ ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଆସନ୍ତା ୧୮ତାରିଖ ସୋମବାର ଦିନ କଳିଙ୍ଗ ସେନା ପକ୍ଷରୁ ସାଲେପୁର ବନ୍ଦ ଡାକରା ଦିଆଯାଇଥିବା କଳିଙ୍ଗ ସେନାର ଅଧ୍ୟକ୍ଷ ହେମନ୍ତ ରଥ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ସାଲେପୁର ଅଞ୍ଚଳକୁ ଏନ୍.ଏ.ସି. ମାନ୍ୟତା ପ୍ରଦାନ କରିବା ପାଇଁ ଦୀର୍ଘ ବର୍ଷର ଦାବି ହୋଇଥିଲା । ଏପରିକି ସାଲେପୁରକୁ ଏନ୍.ଏ.ସି. ମାନ୍ୟତା ଦାବି କରି ସାଲେପୁର ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ସରକାର ନୂତନ ଭାବେ ଘୋଷଣା କରିବାକୁ ଥିବା ୨୧ଟି ନୂତନ ଏନ୍.ଏ.ସି. ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ସାଲେପୁର ଅଞ୍ଚଳକୁ ଏନ୍.ଏ.ସି. ମାନ୍ୟତା ପ୍ରଦାନ କରାଯିବାପାଇଁ ସରକାର ଘୋଷଣା କରିବେ ବୋଲି ବହୁ ରାଜନେତାମାନେ କହୁଥିବାବେଳେ କିନ୍ତୁ ଆଜି ତାହା ଭୂଲ୍ ବୋଲି ପ୍ରମାଣିତ ହୋଇଛି । ସରକାରଙ୍କ ପକ୍ଷରୁ ୧୨ଗୋଟି ଅଞ୍ଚଳକୁ ଏନ୍.ଏ.ସି. ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ପୁଣି ସାଲେପୁରବାସୀ ନିରାଶ ହୋଇଛନ୍ତି । ସମସ୍ତ ଭିତ୍ତିଭୂମି ଥିବାବେଳେ ସାଲେପୁରକୁ ଏନ୍.ଏ.ସି. ମାନ୍ୟତା ପ୍ରଦାନ କରାଯିବାପାଇଁ ଏହି ଅଞ୍ଚଳବାସୀଙ୍କର ଦୀର୍ଘବର୍ଷର ଦାବି ହୋଇଥିବାବେଳେ ସରକାର ପୁଣି ଥରେ ସାଲେପୁର ଲୋକଙ୍କୁ ନିରାଶ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୧୮ତାରିଖ ସୋମବାର ଦିନ ସାଲେପୁର ବନ୍ଦ ଡାକରା କଳିଙ୍ଗ ସେନା ପକ୍ଷରୁ ଦିଆଯାଇଥିବା ଜଣାଯାଇଛି ।