ମୁକ୍ତି ସଂଗ୍ରାମର ଅନନ୍ୟ ଯୋଦ୍ଧା ନେତାଜୀ
ଅକ୍ଷୟ କୁମାର ରାଉତ : ୧ ୮୯୭ ମସିହାରେ ଯେତେବେଳେ ବ୍ରିଟିଶ୍ ସାମ୍ରାଜ୍ୟ ମହାରାଣୀ ଭିକ୍ଟୋରିଆଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଥିଲା, ସେତିକିବେଳେ ଜାନୁୟାରୀ ମାସ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓଡିଶାର କଟକ ସହରରେ ଓଡିଆ ବଜାରରେ ପ୍ରବାଦ ପୁରୁଷ ସୁଭାଷ ଚନ୍ଦ୍ର ବୋଷ । ତାଙ୍କର ପିତା ଜାନକୀ ନାଥ ବୋଷ ବଙ୍ଗର ୨୪ ପ୍ରଗଣା ଅଂଚଳର ଏକ କ୍ଷୁଦ୍ର ଗ୍ରାମରୁ ଆସି ଓକିଲାତି କରି କଟକରେ ସ୍ଥାୟୀ ଭାବେ ବାସ କରୁଥିଲେ । ମାତା ପ୍ରଭାବତୀ ଉତ୍ତର କଲିକତା ଅଂଚଳର ହାଟଖୋଲାର ଏକ ଐତିହ୍ୟ ସମ୍ପନ୍ନ ପରିବାରରୁ ଆସିଥିଲେ । ତାଙ୍କର ଆଠ ପୁତ୍ର ଓ ଛଅ କନ୍ୟାଙ୍କ ମଧ୍ୟରୁ ସୁଭାଷ ନବମ ସନ୍ତାନ ଥିଲେ ।
ପାଂଚ ବର୍ଷ ବୟସରେ ୧୯୦୨ ମସିହାରେ କଟକ ପ୍ରୋଟେଷ୍ଟାଂଟ ସ୍କୁଲରେ ପାଠ ପଢିଥିଲେ । ଜଣେ ମେଧାବୀ ଛାତ୍ର ହିସାବରେ ଭାରତୀୟ ବଂଶୋଦ୍ଭବ ଯୋଗୁ ବୃତ୍ତି ପାଉ ନଥିଲେ । ୧୯୦୯ ମସିହାରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କଲେ । ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ସେବା ହିଁ ମାଧବ ସେବା ବୋଲି ଧରି ନେଇଥିଲେ । ପରେ ପରେ ସେ ବ୍ରହ୍ମଚର୍ଯ୍ୟ, ଧ୍ୟାନଯୋଗ, ହଟ୍ଟଯୋଗ ଓ ରାଜଯୋଗ ସାଧନ କରିଥିଲେ । ୧୯୧୩ ମସିହାରେ ସୁଭାଷ ବୋଷ ସମଗ୍ର ଆସାମ, ବଙ୍ଗ, ବିହାର ଓ ଓଡିଶାରେ ଏଂଟ୍ରାନ୍ସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଲାଭ କରି କଲିକତାର ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ ଆରମ୍ଭ କଲେ । ସେ କଲେଜ ୟୁନିୟନରେ ନେତା ହିସାବରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ବିଶ୍ୱବିଦ୍ୟାଳୟରୁ ଦଣ୍ଡାଦେଶ ଦ୍ୱାରା ବାହାର କରିଦିଆଗଲା । ଫଳରେ ଦୁଇବର୍ଷ ସମୟ ନଷ୍ଟ ହୋଇଗଲା । ପୁନର୍ବାର ସୁଭାଷ ସ୍କଟିସ୍ ଚର୍ଚ୍ଚ କଲେଜରେ ନାମ ଲେଖାଇ ୧୯୧୯ ମସିହାରେ ସ୍ନାତକ ଦର୍ଶନ ଶାସ୍ତ୍ରରେ ଅନର୍ସ ସହ ପ୍ରଥମ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ଲାଭ କରି ଉତ୍ତୀର୍ଣ୍ଣ ହେଲେ । ଆଇ.ସି.ଏସ. ପରୀକ୍ଷା ଦେବା ପାଇଁ ସୁଭାଷ ବିଲାତ ଗଲେ ଓ ସେଠାରେ ପରୀକ୍ଷା ଦେଇ ଚତୁର୍ଥ ସ୍ଥାନ ଲାଭ କଲେ । ଦେଶ ସେବାପାଇଁ ସେ ଇଣ୍ଡିୟାନ୍ ସିଭିଲ୍ ସର୍ଭିସର ପରମ ସୌଭାଗ୍ୟକୁ ପ୍ରତ୍ୟାଖ୍ୟାନ କଲେ । ୧୯୨୧ ମସିହା ଅପ୍ରେଲ ମାସ ୧୬ ତାରିଖରେ ବିଲାତରୁ ଆସି ବମ୍ବେରେ ପହଁଚି ଗାନ୍ଧିଜୀଙ୍କୁ ସାକ୍ଷାତ୍ କଲେ । ଗାନ୍ଧିଜୀଙ୍କ ପରାମର୍ଶରେ ସୁଭାଷ କଲିକତା ଯାଇ ସେଠାରେ ଚିତ୍ତରଞ୍ଜନ ଦାସଙ୍କୁ ସାକ୍ଷାତ୍ କରି, ସେଠାରେ ଦେଶ କାମରେ ଲାଗି ପଡିଲେ । ୧୯୨୪ରେ ସେ କଂଗ୍ରେସ ଦଳର ପ୍ରାର୍ଥୀଭାବେ କଲିକତା କର୍ପୋରେସନ୍ର ଏକ୍ଜିକ୍ୟୁଟିଭ୍ ଅଫିସର ଭାବେ ମାସିକ ତିନି ହଜାର ଟଙ୍କାରେ କାର୍ଯ୍ୟ କଲେ । ଏହି ଟଙ୍କା ସେ ରୋଗୀ ଓ ଅସହାୟ ଶିଶୁମାନଙ୍କ ପାଇଁ ଖର୍ଚ୍ଚ କରୁଥିଲେ । ସେ ସମୟରେ ମେୟର ହୋଇଥିଲେ ଚିତ୍ତରଞ୍ଜନ ଦାସ । ସ୍ୱରାଜ ପାର୍ଟିର ସଫଳତା ଉପରେ ବ୍ରିଟିଶ୍ ସରକାର କ୍ରୋଧାନ୍ୱିତ ହୋଇ ସୁଭାଷଙ୍କୁ ୧୯୨୪ ମସିହା ଅକ୍ଟୋବର ୨୫ ତାରିଖ ଭୋରରୁ କଲିକତା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ୧୯୧୮ ରେଗୁଲେସନ ତୃତୀୟ ବ୍ୟବସ୍ଥା ବଳରେ ଆରେଷ୍ଟ କରାଗଲା । ସୁଭାଷଙ୍କୁ କଲିକତାରୁ ବରହମ୍ପୁର ଜେଲ୍କୁ ସ୍ଥାନାନ୍ତର କରାଗଲା । ପରେ ଲାଲ ବଜାର ପୋଲିସ୍ ହାଜତରେ ଓ ତା’ପରେ ମାନ୍ଦ୍ରାଜ୍ ଜେଲକୁ ପଠାଇ ଦିଆଗଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ୧୯୨୭ ମେ ମାସରେ ମୁକ୍ତ କରି ଦିଆଗଲା । କଲିକତା ମେୟର ଭାବେ ସୁଭାଷ ନିର୍ବାଚିତ ହେଲେ । ରାଜନୈତିକ ଅଭିଜ୍ଞତାରୁ “ ଦି ଇଣ୍ଡିଆନ୍ ଷ୍ଟ୍ରଗଲ୍” ନାମକ ଏକ ବିଖ୍ୟାତ ପୁସ୍ତକ ରଚନା କରିଥିଲେ । ୧୯୩୮ ମସିହାରେ ୫୧ତମ ଜାତୀୟ କଂଗ୍ରେସ ଅଧିବେଶନରେ ସେ ସଭାପତି ରୂପେ ମନୋନୀତ ହୋଇଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କୁ ୫୧ ହଳ ବଳଦ ଟାଣୁଥିବା ଏକ ରଥରେ ବସାଇ ବ୍ୟାଣ୍ଡ ବାଜା ବଜାଇ ହରିପୁରାର ସଭା ସ୍ଥଳକୁ ନିଆଯାଇଥିଲା । ସୁଭାଷ ଘୋଷଣା କଲେ ଯେ “ ପୃଥିବୀ ପୃଷ୍ଠରେ ଏମିତି ଶକ୍ତି ନାହିଁ ଯେ କି ଭାରତକୁ ଆଉ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ରଖିବ ।” ଶାନ୍ତି ନିକେତନରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ୧୯୩୭ ମସିହାରେ ସୁଭାଷଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ “ ମୁଁ ବଙ୍ଗଳାର କବି ହୋଇ ତୁମକୁ ଦେଶ ନାୟକ ପଦରେ ବରଣ କରୁଛି।
ଦ୍ୱିତୀୟ ଥର କଂଗ୍ରେସ ସଭାପତି ପଦ ପାଇଁ ସୁଭାଷ ବୋଷ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଘୋଷଣା କଲେ । ମହାତ୍ମା ଗାନ୍ଧୀ ଶୁଭେଚ୍ଛା ସହ ପଟ୍ଟାଭି ସୀତାରାମାୟାଙ୍କୁ ସୁବାଷ ଚନ୍ଦ୍ରଙ୍କ ବିରୁଦ୍ଧରେ ଦକ୍ଷିଣ ପନ୍ଥୀଙ୍କ ମନୋନୀତ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅବତ୍ତୀର୍ଣ୍ଣ କରାଇଲେ । ବାଦ ବିବାଦ ମଧ୍ୟରେ ସୁଭାଷ ଚନ୍ଦ୍ର ଦୁଇଶହରୁ ଅଧିକ ଭୋଟରେ ବିଜୟ ଲାଭ କଲେ । ଗାନ୍ଧିବାଦୀ ମାନଙ୍କ ଚାପରେ ସୁଭାଷ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ସମସ୍ତ ଚରମ ତଥା ପ୍ରଗତିବାଦୀ ତତ୍ତ୍ୱକୁ ଏକାଠି କରି ସୁଭାଷ ୧୯୩୯ ରେ ଏକ ନୂଆ ଦଳ ଗଠନ କଲେ । ଏହାର ନାଁ “ଫରୱାଡର଼୍ ବ୍ଲକ” । ୧୯୩୯ ଜୁନ୍ ୨୨ ତାରିଖରେ ଫରୱାଡର଼୍ ବ୍ଲକ୍ର ପ୍ରଥମ ଅଖିଳ ଭାରତ ଅଧିବେଶନ ବମ୍ବେଠାରେ ଅନୁଷ୍ଠିତ ହେଲା । ବଙ୍ଗର ଶେଷ ସ୍ୱାଧୀନ ରାଜା ସିରାଜଦ୍ଦୌଲାଙ୍କ ସ୍ମୃତି ଉପରେ କଳଙ୍କର ଦାସ ପରି ହୋଲ୍ୱେଲ୍ ସ୍ମୃତି ସ୍ତମ୍ଭକୁ ହଟାଇବା ପାଇଁ ସୁଭାଷ ହିନ୍ଦୁ ଓ ମୁସଲମାନ୍ ଯୁବକମାନଙ୍କୁ ନେଇ ସତ୍ୟାଗ୍ରହ କରିବାକୁ ଗଲାବେଳେ, ତାଙ୍କୁ ଭାରତୀୟ ପ୍ରତିରକ୍ଷା ଆଇନ୍ ବଳରେ ଗିରଫ କରାଯାଇ କଲିକତାରେ ପ୍ରେସିଡେନ୍ସି ଜେଲ୍ରେ ରଖାଗଲା । ଜେଲ ଖାନାରେ ଥିବା ବେଳେ ସେ ପୂର୍ବବଙ୍ଗରେ ଢାକା ନିର୍ବାଚନ ମଣ୍ଡଳୀରୁ କେନ୍ଦ୍ରୀୟ ବିଧାନ ସଭାକୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିଲେ । ଜେଲ ମଧ୍ୟରେ ସୁଭାଷ ବୋଷ୍ ବହୁ ଐତିହାସିକ ପତ୍ର ସରକାରଙ୍କୁ ଲେଖିଥିଲେ । ଜେଲରେ ସୁଭାଷ ଏକ ସପ୍ତାହ ଅନଶନ କରିବାରୁ ଇଂରେଜ ସରକାର ବିଚଳିତ ହୋଇ ତାଙ୍କୁ ଖଲାସ କରିଦେଲେ । କିନ୍ତୁ ତାଙ୍କୁ ଗୃହବନ୍ଦୀ କରି ରଖିଲେ । ସୁଭାଷ ଚନ୍ଦ୍ର ବୋଷ ଖଲାସ ହେବା ସଂଗେ ସଂଗେ ଭାରତ ବାହାରକୁ ଖସି ଚାଲିଯିବାର ଉପାୟ ଚିନ୍ତା କଲେ । ତାଙ୍କ ପୁତୁରା ଶିଶିର ଓ ଫରୱାଡର଼୍ ବ୍ଲକ୍ର ନେତା ଅନ୍ତରଙ୍ଗ ମିଆଁ ଆକବର ଶାହା ସହିତ ମିଶି ଯୋଜନା ପ୍ରସ୍ତୁତ୍ କଲେ । ଝିଆରୀ ଇଲାକୁ ଗୁପ୍ତ ଭାବରେ ଯିବା ସମ୍ପର୍କରେ ଜଣାଇ ଦିଆଗଲା ।
୧୯୪୧ ମସିହା ଜାନୁୟାରୀ ୧୬ ତାରିଖରେ ହିନ୍ଦୁବେଶୀ ସୁଭାଷ ଘନ ପିଙ୍ଗଳ ରଙ୍ଗର ସେର୍ୱାନୀ, ଢିଲା ପାଇଜାମା, ଲେସ୍ ବନ୍ଧା ୟୁରୋପିଆନ୍ ଯୋତା ଓ କଳା ଅସ୍ତର ଖାନ୍ ପରି ଲୋମଶ ଟୋପି ପିନ୍ଧି ଓଜନଦାର ଜର୍ମାନ ତିଆରି ୱାଣ୍ଡରର କାର୍ରେ ଶିଶିର ସହିତ ବାହାରି ପଡିଲେ । ୧୯୪୧ ଜାନୁୟାରୀ ୧୭ ତାରିଖରେ ଧାନବାଦ ନିକଟବର୍ତ୍ତୀ ବାରାରୀରେ ପହଁଚିଲେ । ସେଠାରେ ପୁତୁରା ଅଶୋକଙ୍କ ଘରେ ଏକ ବୀମା କମ୍ପାନୀର ଏଜେଂଟ ଭାବରେ ରହିଲେ । କିଛି ସମୟ ପରେ ଶିଶିର, ଅଶୋକ ଓ ତାଙ୍କ ସ୍ତ୍ରୀ ମିଶି ସୁଭାଷ କାକାଙ୍କୁ ନେଇ ଗୋମୋ ଅଭିମୁଖେ ଚାଲିଲେ । ପେଶ୍ୱାରରେ ପହଁଚି ଗଲେ । ରହିଥିବା ହୋଟେଲ୍ରୁ ସୁଭାଷ ଆସି ବିଶ୍ୱସ୍ତ ବନ୍ଧୁ ଅବଦ ଖାଁଙ୍କ ଘରେ ଛ ଦିନ ରହି ପଠାଣଙ୍କ ଚଳଣି ଓ ପ୍ରଥା ଜାଣିନେଲେ । ମହମ୍ମଦ ଶାହା ଓ ଜଗତରାମ ତଲୱାରଙ୍କ ମାଧ୍ୟମରେ ଛଦ୍ମବେଶ ବଦଳାଇ ପଠାଣ ବେଶରେ କାବୁଲ ଯିବାକୁ ସ୍ଥିର କଲେ । ଆଫଗାନ ଅଂଚଳର ଗୋଟିଏ ଗାଁରେ ପହଁଚି ସୁଭାଷ ବୁଦ୍ଖାନ୍ ତନଖି ଫାଟକ ଦେଇ କାବୁଲରେ ପହଁଚିଲେ । କାବୁଲରେ ଥିବା ଇଟାଲୀ ଦୂତାବାସର ଜଣେ କର୍ମଚାରୀ ଓର୍ଲାଣ୍ଡୋ ମାଜୋଟ୍ଟାଙ୍କ ନାମରେ ପାସ୍ପୋର୍ଟ ବନାଇ ଉଡାଜାହାଜ ଯୋଗେ ମସ୍କୋରେ ପହଁଚିଲେ । ତାପରେ ଜର୍ମାନୀର ବର୍ଲିନ୍ରେ ପହଁଚି ଆଡାମ୍ ବନ୍ ଟ୍ରଟ୍ ଓ ଆଲେକ୍ଜାଣ୍ଡାର ୱାର୍ଥଙ୍କ ମାଧ୍ୟମରେ ଜର୍ମାନ ବୈଦେଶିକ ମନ୍ତ୍ରାଳୟରେ ‘ୱାର୍କ ଗ୍ରୁପ୍ ଇଣ୍ଡିଆ’ ବିଭାଗ ଖୋଲିଲେ । ୧୯୪୧ ମସିହା ଶେଷ ଆଡକୁ ସେ ବର୍ଲିନ୍ରେ “ ମୁକ୍ତ ଭାରତ ସେଂଟର” କରିବାକୁ ସକ୍ଷମ ହେଲେ । ସେଂଟର କାର୍ଯ୍ୟ ହେଲା “ ଆଜାଦ୍ ହିନ୍ଦ୍ ରେଡିଓ”, ନେସନାଲ କଂଗ୍ରେସ ରେଡିଓ” ଏବଂ “ଆଜାଦ୍ ମୁସଲ୍ଲିମ୍ ରେଡିଓ” ମାଧ୍ୟମରେ ଦେଶର କାର୍ଯ୍ୟକ୍ରମକୁ ପରିଚାଳନା କରିବା । “ଆଜାଦ୍ ହିନ୍ଦ୍ ” ପତ୍ରିକା ମାଧ୍ୟମରେ ଭାରତର ରାଜନୀତି, ଅର୍ଥନୀତି, ଦର୍ଶନ ଓ ସଂସ୍କୃତି କଳା ସାରା ବିଶ୍ୱରେ ପ୍ରଚାର କରିବା, ଯୁଦ୍ଧବନ୍ଦୀମାନଙ୍କୁ ନେଇ ଗଠିତ ଭାରତୀୟ ସେନା ଏବଂ ଭାରତୀୟ ଜାତୀୟ ସୈନ୍ୟବାହିନୀ ସହ ସମ୍ପର୍କ ସ୍ଥାପନ କରିବା । ୧୯୪୨ ମେ’ ମାସରେ ସୁଭାଷ ଆଡ୍ଲଫ ହିଟ୍ଲରଙ୍କୁ ଶେଷଥର ସାକ୍ଷାତ୍ କଲେ । ମୁକ୍ତ ଭାରତ ସେଂଟର ସ୍ୱାଧୀନତା ପାଇବା ପରେ ଭାରତର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଏକ ଯୋଜନା କମିଶନ୍ ପ୍ରତିଷ୍ଠା କଲେ । ଜନ-ଗଣ-ମନକୁ ଜାତୀୟ ସଂଗୀତ ଓ ଭାରତୀୟ ମାନଙ୍କ ମଧ୍ୟରେ ଜୟ-ହିନ୍ଦ୍ କହି ଅଭିବାଦନ କରିବାର ସାଧାରଣ ସମ୍ଭାଷଣ ଆରମ୍ଭ କରାଗଲା । ବର୍ଲିନ୍ ଠାରେ ୧୯୪୩ ମସିହା ଜାନୁୟାରୀ ୨୬ ତାରିଖରେ ଭାରତର ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରି ନେତାଜୀ ମୁଖ୍ୟ ଅଭିଭାଷଣ ପ୍ରଦାନ କଲେ ।
ନେତାଜୀ ଇଣ୍ଡିଆନ୍ ନେସ୍ନାଲ ଆର୍ମି ବା ଆଜାଦ୍ ହିନ୍ଦ୍ ଫୌଜକୁ ସମ୍ପୂର୍ଣ୍ଣ ଭାବେ ପୁନର୍ଗଠନ କରି ୧୯୪୩ ମସିହା ଜୁଲାଇ ୫ ତାରିଖରେ ସିଙ୍ଗାପୁର ଟାଉନ୍ ହଲ୍ ସମ୍ମୁଖସ୍ଥ ବିରାଟ ପଡିଆରେ ଆଜାଦ୍ ହିନ୍ଦ୍ ଫୌଜର ପ୍ରଧାନ ସେନାଧ୍ୟକ୍ଷ ଭାବରେ ସମ୍ବୋଧନ କରି ଦିଲ୍ଲୀ ଚଲୋ ! ଦିଲ୍ଲୀ ଚଲୋ ! ଡାକରା ଦେଇଥିଲେ ।୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଆଜାଦ୍ ହିନ୍ଦ୍ ଫୌଜର ଝାନ୍ସି ରାଣୀ ରେଜିମେଂଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ନେତାଜୀ ରାଷ୍ଟ୍ର ମୁଖ୍ୟ ଭାବେ ୧୯୪୩ ନଭେମ୍ବରରେ ଟୋକିଓ ଠାରେ ଅନୁଷ୍ଠିତ ବୃହତ୍ତର ପୂର୍ବ ଏସିଆ ରାଷ୍ଟ୍ରମାନଙ୍କ ମିଳିତ ଅଧିବେଶନରେ ଯୋଗଦେଲେ । ପ୍ରଧାନ ମନ୍ତ୍ରୀ ତୋଜୋ ଘୋଷଣା କଲେ ଯେ ଜାପାନ ସୈନ୍ୟ ବାହିନୀ ଅଧୀନରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଜାଦ୍ ହିନ୍ଦ୍ ଅସ୍ଥାୟୀ ସରକାରଙ୍କୁ ଶାସନ ହସ୍ତାନ୍ତର କରାଯିବ । ଆଣ୍ଡାମାନ୍ ଦ୍ୱୀପର ଜିମ୍ଖାନା ପଡିଆରେ ନେତାଜୀ ରାଷ୍ଟ୍ରମୁଖ୍ୟ ଭାବରେ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ । କୁଖ୍ୟାତ୍ ସେଲୁଲାର ଜେଲ ପରିଦର୍ଶନ ପରେ ରସ୍ ଦ୍ୱୀପରେ ବ୍ରିଟିଶ୍ ମୁଖ୍ୟ କମିଶନରଙ୍କ ନିବାସକୁ ଦଖଲ କରି ଜାତୀୟ ତ୍ରିରଙ୍ଗା ପତାକା ଗର୍ବର ସହ ଉଡାଇଲେ । ନେତାଜୀ ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ସହିଦ ଓ ନିକୋବର ଦ୍ୱୀପ ପୁଞ୍ଜକୁ ସ୍ୱରାଜ ଦ୍ୱୀପ ପୁଞ୍ଜ ଭାବରେ ପୁନର୍ନାମିତ କରିଥିଲେ ।
ନେତାଜୀ ଭାରତ ସୀମା ଆଡକୁ ଆଗେଇବାର ପ୍ରଥମ ପ୍ରସ୍ତୁତି ସ୍ୱରୂପ ତାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ସିଙ୍ଗାପୁରରୁ ରେଙ୍ଗୁନ୍ ନେଇ ଆସିଲେ । ଚ୍ଚଟଗ୍ରାମକୁ ଯାଇଥିବା ରାସ୍ତାରେ ଅରକିନ୍ ଠାରେ ଯେଉଁ ଯୁଦ୍ଧ ହେଲା ସେଥିରେ ଆଜାଦ୍ ହିନ୍ଦ୍ ଫୌଜ ଅଧିକ ଶକ୍ତିଶାଳୀରେ ପରିଣତ ହେଇଥିଲା । ଭାରତ-ଜାପାନ ମିଳିତ ବାହିନୀ ୧୯୪୪ ମସିହା ଏପ୍ରିଲ୍ ପ୍ରଥମ ସପ୍ତାହରେ କୋହିମା ଅଧିକାର ପରେ ପରେ ମଣିପୁର ରାଜଧାନୀ ଇମ୍ଫାଲକୁ ଘେରାଉ କରି ଭାରତ ମାଟିରେ ସ୍ୱାଧୀନତାର ପତାକା ଉଡାଇଥିଲେ । ୧୯୪୫ ଅଗଷ୍ଟରେ ହିରୋସିମା ଓ ନାଗାସାକି ସହର ଉପରେ ଆମେରିକା ଆଟମ୍ ବମ୍ ନିକ୍ଷେପ କରିବାରୁ ଜାପାନ ଆତ୍ମ ସମର୍ପଣ କଲା । ବର୍ମାରେ ପ୍ରକୃତିର ତାଣ୍ଡବ ଲୀଳା ଆଜାଦ୍ ହିନ୍ଦ୍ ଫୌଜକୁ ପତନାଭିମୁଖୀ କରିଦେଇଥିଲା । ସେହିଦିନ ନେତାଜୀ ଆଜାଦ୍ ହିନ୍ଦ୍ ଫୌଜକୁ ସଂଗ୍ରାମ ଚଳାଇବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ । ସୋଭିଏତ୍ ଅଫିସ୍କୁ ଯିବାକୁ ଯୋଜନା କଲା ପରେ କେତେଜଣଙ୍କୁ ସାଂଗରେ ଧରି ଟୋକିଓ ଯାତ୍ରା କଲେ ଓ ବାଟରେ ବ୍ୟାଙ୍କକ୍ ଓ ସାଇଗନ ଠାରେ କିଛି ସମୟ ରହିଥିଲେ । ସାଇଗନ୍ ଠାରୁ ନେତାଜୀ ଜାପାନୀ ବିମାନରେ ହବିବୁର ରହମାନଙ୍କୁ ସାଂଗରେ ନେଇ ଯାତ୍ରା କଲେ । ବିମାନଟି ଟୋକିଓ ଯିବା ବାଟରେ ତାଇହୋ ବିମାନ ବନ୍ଦରରେ ଉଡାଣ ଆରମ୍ଭ କଲାବେଳେ ଦୁର୍ଘଟଣା ଘଟିବାରୁ ଜାପାନୀ ସେନାଧ୍ୟକ୍ଷ ଶିଦେଇ ଓ ବିମାନ ଚାଳକଙ୍କ ସହ ଅନ୍ୟ କେତେକଙ୍କ ମୃତ୍ୟୁ ବରଣ କଲେ । ନେତାଜୀଙ୍କ ଶରୀରରେ ନିଆଁ ଲାଗିଯିବାରୁ ସେ ଭୀଷଣ ଆହତ ହୋଇଛନ୍ତି । ଏହି ଖବର ଟୋକିଓ ରେଡିଓରୁ ୧୯୪୫ ଅଗଷ୍ଟ ୨୩ ତାରିଖ ଦିନ ପ୍ରସାରିତ ହେଲା । ତାପରେ ସମ୍ବାଦ ମିଳିଲା ଯେ ତାଇହୋ ମିଲିଟାରୀ ହସ୍ପିଟାଲରେ ନେତାଜୀଙ୍କର ମୃତ୍ୟୁ ହୋଇଯାଇଅଛି । ହବିବୁର ରହମାନଙ୍କ କହିବା ଅନୁଯାୟୀ ତାଇହୋଠାରେ ତାଙ୍କ ସଂସ୍କାର କରାଯାଇ ପାଉଁଶକୁ ଟୋକିଓ ସହରର ରେଙ୍କୋଜୀ ମନ୍ଦିରରେ ରଖାଯାଇଥିଲା । ତାଙ୍କର ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ଜାତୀୟ ରାଜନୈତିକ ପଟ୍ଟଭୂମି, ଓ ଦଳିତ ମଣିଷ ଜାତି ପାଇଁ ଅମର ପ୍ରତୀକ ଭାବେ ଭାରତୀୟ ମାନଙ୍କର ସଂକଳ୍ପର ଉତ୍ସ ହୋଇ ନେତାଜୀ ସୁଭାଷ ସବୁଦିନେ ରହିବେ ।
ପାରାଦ୍ୱୀପଗଡ଼, କୁଜଙ୍ଗ
ଜଗତ୍ସିଂହପୁର
ମୋ-୯୯୩୭୬୯୧୪୭୫
Samir Kumar Rout