ଯୁବପିଢିଙ୍କ ପାଇଁ ଉଦାହରଣ : ଭିକ ମାଗି ମଙ୍ଗଳସୂତ୍ର କିଣିଲେ ୯୩ ବର୍ଷର ବୃଦ୍ଧ
ବିବାହ ଏକ ପବିତ୍ର ବନ୍ଧନ ଯାହା ଦୁଇଟି ହୃଦୟକୁ ଯୋଡ଼ିବାରେ ସାହାଯ୍ୟ କରେ । ବିବାହ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ, ଯାହା ଜନ୍ମ ଜନ୍ମର ବନ୍ଧନ । ଯେଉଁଥିରେ ସୁଖଦୁଃଖ, ଭଲମନ୍ଦରେ ଉଭୟ ପରସ୍ପରକୁ ସମର୍ଥନ କରନ୍ତି । ସ୍ୱାମୀ-ସ୍ତ୍ରୀ ପ୍ରେମ ଶାଶ୍ୱତ ସୁନ୍ଦର ଓ ଚିରସ୍ଥାୟୀ । ପ୍ରେମ ହେଉଛି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ବି ତାହା କମ୍ ପଡ଼ିଯାଏ ।
ବେଶ୍ କିଛିଦିନ ଧରି ସ୍ୱାମୀ ସ୍ତ୍ରୀ ଓ ପ୍ରେମ ପାଇଁ ହତ୍ୟା ଖବର ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଛି । କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ସ୍ୱାମୀକୁ ହତ୍ୟା କଲାଣି । ଯେପରି ସମ୍ପର୍କ ଏଠି ମୂଲ୍ୟହୀନ ହୋଇପଡ଼ିଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମହାରାଷ୍ଟ୍ରର ୯୩ ବର୍ଷୀୟ ବୃଦ୍ଧ ଏବଂ ବୃଦ୍ଧାଙ୍କ ଭିଡିଓ ଯାହା କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁଛି । ଯାହା ପ୍ରକୃତ ପ୍ରେମର ପରିଭାଷା ବୁଝାଉଛି । ଆଜିର ଯୁବପିଢିଙ୍କ ପାଇଁ ଏମାନେ ସାଜିଛନ୍ତି ପ୍ରକୃତ ପ୍ରେମର ଉଦାହରଣ । ବୟସ ସିନା ବଢ଼ିଯାଇଛି, ହେଲେ ପ୍ରେମ ଏବେବି ଶାଶ୍ୱତ ରହିଛି ।
ବୃଦ୍ଧ ବୃଦ୍ଧା ଉଭୟ ବର୍ଷ ବର୍ଷ ଧରି ସାଥି ହୋଇ ଭିକ୍ଷାବୃତ୍ତି କରନ୍ତି । ଏ ମହଙ୍ଗା ଦୁନିଆରେ ଟଙ୍କାଏ ଦୁଇଟଙ୍କା ଯୋଡ଼ି ପେଟ ପାଇଁ ଦାନା ଯୋଗାଡ଼ କରନ୍ତି। କିନ୍ତୁ ସେହି ଟଙ୍କାରୁ କେତେବେଳେ କେମିତି ପେଟରୁ କାଟି କିଛି କିଛି ସଞ୍ଚୟ କରି ରଖୁଥିଲେ ଏହି ୯୩ ବର୍ଷୀୟ ବୃଦ୍ଧ । ସେ ବି କାହିଁକି ଜାଣିଛନ୍ତି? ନିଜ ସ୍ତ୍ରୀ ପାଇଁ ମଙ୍ଗଳସୂତ୍ର କିଣିବା ପାଇଁ । କାରଣ ବୃଦ୍ଧା ଜଣଙ୍କର ଇଚ୍ଛା ଥିଲା ମଙ୍ଗଳସୂତ୍ର ପିନ୍ଧିବାର । ତେଣୁ ନିଜ ପେଟରୁ କାଟି ବର୍ଷ ବର୍ଷ ଧରି ନିଜ ସାଧ୍ୟ ମୁତାବକ ସଞ୍ଚୟ କରି ଚାଲିଥିଲେ ବୃଦ୍ଧ ଜଣକ । ହାତରେ ବର୍ଷ ବର୍ଷର ସଞ୍ଚିତ ଅର୍ଥ ଧରି ସାତ ଜନ୍ମର ସାଥିଙ୍କୁ ସାଙ୍ଗରେ ନେଇ ଚାଲି ଚାଲି ପହଞ୍ଚିଥିଲେ ଏକ ସୁନା ଦୋକାନରେ । ସେଠାରେ ଟେବୁଲ୍ ଉପରେ ଗାମୁଛା ପୁଟୁଳି ଖୋଲି ଅଜାଡ଼ି ଦେଇଥିଲେ ଦୁଇଟଙ୍କା, ପାଞ୍ଚଟଙ୍କା, ଦଶଟଙ୍କା ଥିବା ଖୁଚୁରା ପାଇସା ତକ। ଆଉ ହାତରେ ଧରିଥିଲେ ୧୨୦୦ ଟଙ୍କା । ଏତିକିବେଳେ ଦୋକାନର ମାଲିକ ପହଞ୍ଚିଥିଲେ । ଜାଣିବାକୁ ପାଇଲେ ପରିଣତ ବୟସରେ ସ୍ତ୍ରୀର ଇଚ୍ଛା ପୂରଣ କରିବା ପାଇଁ ବୃଦ୍ଧ ଜଣକ ମଙ୍ଗଳସୂତ୍ର କିଣିବାକୁ ଆସିଛନ୍ତି । ବୃଦ୍ଧ ଜଣକ ପଚାରିଥିଲେ, ବାବୁ! ଏତିକିରେ ମୋ ସ୍ତ୍ରୀ ପାଇଁ ମଙ୍ଗଳସୂତ୍ର ହୋଇଯିବ ତ ? ଏ ପ୍ରଶ୍ନ ଶୁଣି ସହୃଦୟ ମାଲିକ ଜଣକ ନିଶ୍ଚିତ ହେବ ବୋଲି ହଁ ଭରିଥିଲେ । ଏହାପରେ ସେ ଉଭୟଙ୍କୁ ମଙ୍ଗଳସୂତ୍ର ବାଛିବାକୁ କହିଥିଲେ । ଶେଷରେ ଆଶୀର୍ବାଦ ଭିକ୍ଷା କରିବା ସହ ମାତ୍ର ୨୦ ଟଙ୍କା ରଖି ବାକି ସମସ୍ତ ପଇସା ଫେରାଇ ଦେଇଥିଲେ ଓ ଧରାଇ ଦେଇଥିଲେ ମଙ୍ଗଳସୂତ୍ର ଏବଂ କାନଫୁଲ । ଏତେ ଦିନର ସ୍ୱପ୍ନ ପୂରଣ ଖୁସିରେ ବୃଦ୍ଧ ଓ ବୃଦ୍ଧାଙ୍କ ଆଖିରେ ଲୁହ ଯେମିତି ବୋଲ ମାନୁନଥିଲା ।