ଯୁବ ଇଞ୍ଜିନିୟର ମୃତ୍ୟୁ ଘଟଣା : ନୋଏଡା ବିଲ୍ଡର ଗିରଫ

ନୋଏଡା : ଶୁକ୍ରବାର ରାତିରେ ଗ୍ରେଟର ନୋଏଡାରେ ୩୦ ଫୁଟ ପାଣି ଭର୍ତ୍ତି ଗାତରେ ବୁଡିଯାଇ ଜଣେ ଯୁବ ସପ୍ଟୱେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନୋଏଡା ବିଲ୍ଡରଙ୍କୁ ଗିରଫ କରାଯାଇଛି । ଗ୍ରେଟର ନୋଏଡା ପୁଲିସ ବିଲଡର ଅଭୟ କୁମାରଙ୍କୁ ଗିରଫ କରିଛି । ନଲେଜ୍‌ ପାର୍କ ପୁଲିସ ଷ୍ଟେସନ୍‌ ଟିମ୍‌ ତାଙ୍କୁ ହେପାଜତକୁ ନେଇଛି । ଅଭୟ କୁମାର ନଲେଜ୍‌ ପାର୍କ ଅଞ୍ଚଳରେ ଅବସ୍ଥିତ ରିଅଲ୍‌ ଇଷ୍ଟେଟ୍‌ ପ୍ରୋଜେକ୍ଟ ଏମଜେଡ ୱିଶଟାଉନର ମାଲିକ । ବିଲ୍ଡରଙ୍କ ଖାମଖିଆଲ ନୀତି ଯୋଗୁଁ ଜଣେ ଯୁବ ଇଞ୍ଜିନିୟର ଯୁବରାଜ ମେହଟାଙ୍କ ଜୀବନ ଚାଲିଗଲା ବୋଲି ପ୍ରାଥମିକ ତଦନ୍ତରୁ ଅଭିଯୋଗ ହୋଇଛି । ଶୁକ୍ରବାର ରାତିରେ ଗୁରୁଗ୍ରାମରେ ତାଙ୍କ ଅଫିସରୁ ଗ୍ରେଟର ନୋଏଡାର ସେକ୍ଟର ୧୫୦ ସ୍ଥିତ ଟାଟା ୟୁରେକା ପାର୍କରେ ତାଙ୍କ ଘରକୁ ଫେରୁଥିବା ସମୟରେ ଯୁବରାଜ ମେହଟାଙ୍କ କାର ପାଣି ଭର୍ତ୍ତି ଗାତରେ ଖସିପଡ଼ିଥିଲା । ଘଟଣାସ୍ଥଳରେ ଅନେକ ଉଦ୍ଧାରକାରୀ ଦଳ ଉପସ୍ଥିତ ଥିଲେ ମଧ୍ୟ  ଯୁବରାଜ ବୁଡ଼ି ଯାଇଥିଲେ । ସାହାଯ୍ୟ ପାଇଁ ବାରମ୍ବାର ଡାକୁଥିଲେ ମଧ୍ୟ ଫସି ରହିଥିବା ଇଞ୍ଜିନିୟରଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳରେ କେହି ଗାତ ଭିତରକୁ ପ୍ରବେଶ କରି ନଥିଲେ । ତାଙ୍କ ବାପା ରାଜକୁମାର ମେହେଟା ମଧ୍ୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ଦର୍ଶାଇଥିଲେ । ପୂର୍ବରୁ ଉତ୍ତର ପ୍ରଦେଶ ସରକାର ନୋଏଡା ପ୍ରାଧିକରଣର ସିଇଓ ଏମ୍‌ ଲୋକେଶଙ୍କୁ ବହିଷ୍କାର କରିଛନ୍ତି ।