ଯୌନ ନିର୍ଯାତନା ସଚେତନତା
ଜଗତସିଂହପୁର: ବିରିଡି ବ୍ଲକ୍ ଅନ୍ତର୍ଗତ ଅଢଙ୍ଗଗଡ ପଞ୍ଚାୟତ କାର୍ଯାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇସିଡିଏସ୍ ସୁପରଭାଇଜର୍ ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନୁଯାୟୀ ଯଦି କୌଣସି ଉପରିସ୍ଥ ଅଧିକାରୀ ତାଙ୍କର ଅଧନସ୍ଥ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନ ଦିଅନ୍ତି ତେବେ ଏହି ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସାଧାରଣତ ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନର ଶିକାର ହେଇଥାନ୍ତି । ଉପରିସ୍ଥ ଅଧିକାରୀମାନେ ଅଧନସ୍ଥ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି, ଦରମା ବୃଦ୍ଧି, ପଦୋନ୍ନତି, ବଦଳି ଏବଂ ଚାକିରି ସ୍ଥାୟୀ କରିବା ଭଳି ମିଛ ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନ ଦେଇଥାନ୍ତି । ମହିଳାମାନେ ଏହି ମିଛ ପ୍ରଲୋଭନରେ ବଶୀଭୂତ ହୋଇ ନିର୍ଯାତନର ଶିକାର ହୁଅନ୍ତି । ଏହା ସହିତ, ଆତ୍ମବିଶ୍ୱାସର ଅଭାବ ଏବଂ ଲଜ୍ଜା ହେତୁ ମହିଳାମାନେ ଏହି ଘଟଣାଗୁଡ଼ିକ ରିପୋର୍ଟ କରନ୍ତି ନାହିଁ । ଏଥିପାଇଁ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ସମସ୍ତ କାର୍ଯ୍ୟାଳୟରେ ଅଭିଯୋଗ କମିଟି ଗଠନ କରାଯାଇଛି । ମହିଳା କର୍ମଚାରୀମାନେ କମିଟିରେ ତାଙ୍କ ଅଭିଯୋଗ ଦାଖଲ କରିପାରିବେ । ଏହି କମିଟି ମାଧ୍ୟମରେ ଅଭିଯୋଗର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୁଅନ୍ତି ତେବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ କରିବା ପାଇଁ ସଚିବ ଉପସ୍ଥିତ ଥିବା ଅଙ୍ଗନବାଡି କର୍ମୀମାନଙ୍କୁ ସଚେତନ କରାଇଥିଲେ ।