ରାଉରକେଲାରେ ବିମାନ ଦୁର୍ଘଟଣା : ୬ ଆହତ
ରାଉରକେଲା : ରାଉରକେଲା ରଘୁନାଥପାଲିରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଜରୁରୀ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଦୁଇଜଣ କ୍ରିଉ ସଦସ୍ୟ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଉଡୁଥିବା ବେଳେ ହଠାତ୍ ଯାନ୍ତ୍ରୀକି ତ୍ରୁଟି ଦେଖିବାକୁ ମିଳିଥିଲା । ଏହାପରେ ପାଇଲଟ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରିଉ ସଦସ୍ୟଙ୍କ ସମତେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୪ ଜଣ ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଦୁଇଜଣ ମହିଳା ଅଛନ୍ତି । ଆହତମାନେ ୪ ଜଣ ଯାତ୍ରୀ ହେଲେ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ଆହତ ଦୁଇ କ୍ରିଉ ସଦସ୍ୟ ହେଲେ କ୍ୟାପଟେନ୍ ନବୀନ କାଡଙ୍ଗା ଓ କ୍ୟାପଟେନ୍ ତରୁଣ ଶ୍ରୀବାସ୍ତବ ବୋଲି ଜଣା ପଡ଼ିଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁରକ୍ଷିତ ଥିବା ଜଣା ପଡ଼ିଛି । ଏହି ବିମାନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଆହତ ବ୍ୟକ୍ତିଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି ଏବଂ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Samir Kumar Rout