ରାକ୍ଷୀପୂର୍ଣ୍ଣିମାରେ ‘ସୁଭଦ୍ରା’ କିସ୍ତି
ଭୁବନେଶ୍ୱର: ଆସନ୍ତା ରାକ୍ଷୀପୂର୍ଣ୍ଣିମା ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ କରାଯିବ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁଷଙ୍ଗିକ ଖର୍ଚ୍ଚକୁ ମଧ୍ୟ ଏହି ବୈଠକରେ ଅନୁମୋଦନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ପବ୍ଲିକ୍ ଆଡମିନିଷ୍ଟ୍ରେସନ, ନୂଆଦିଲ୍ଲୀ ଦ୍ୱାରା ‘ଓଡିଶାର ଜିଲ୍ଲାମାନଙ୍କରେ ସୁଭଦ୍ରାର ପ୍ରଭାବ’ ବିଷୟ ଉପରେ ହେବାକୁ ଥିବା ଅଧ୍ୟୟନର ପ୍ରସ୍ତୁତି ଓ ପ୍ରକ୍ରିୟା ଉପରେ ଉପସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସବୁ ବର୍ଗର ସୁଭଦ୍ରା ହିତାଧିକାରୀଙ୍କ ଉପରେ ସୁଭଦ୍ରା ସହାୟତାର ପ୍ରଭାବ, ଏହାର ଉପଯୋଗ ଓ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତି ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା । ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଇଆଇଏମ ସମ୍ବଲପୁର ସହଯୋଗରେ ଜୁଲାଇ ମାସ ପ୍ରଥମ ସପ୍ତାହରୁ କଲେଜ ଝିଅ (ସୁଭଦ୍ରା ସମୀକ୍ଷା)ମାନଙ୍କ ଦ୍ୱାରା କ୍ଷେତ୍ର ସର୍ବେକ୍ଷଣ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଆଇଆଇଏମ ତଥ୍ୟ ଅଧ୍ୟୟନ, ଉପକରଣ, ତାଲିମ ଏବଂ ବିଶ୍ଳେଷଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ । ସୁଭଦ୍ରା ସହାୟତାର ସଠିକ ଉପଯୋଗ ସୁନିଶ୍ଚିତ କରିବା ଉଦେ୍ଦଶ୍ୟରେହିତାଧିକାରୀମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ଦକ୍ଷତା ବିକାଶ ବିଭାଗ ସହ ଆଲୋଚନା ମଧ୍ୟ କରାଯାଇଛି । ସୁଭଦ୍ରା ସହାୟତାର ଉପଯୋଗକୁ ନିରନ୍ତର ଭାବେ ସମୀକ୍ଷା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଅଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।