ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପାଲଟିଛି ପରିସ୍ରାଗାର 

 ବୁଗୁଡ଼ା :  ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ପାଲଟିଛି ମୁକ୍ତାକାଶ ପରିସ୍ରାଗାର । ମେଡିକାଲ ପାଚେରୀଟି ଭାଙ୍ଗି ଦିଆଯିବା ଫଳରେ ଲୋକେ ବିନା ଦ୍ୱିଧାରେ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟର କାନ୍ଥରେ ପ୍ରତିଦିନ ପରିସ୍ରା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖସ୍ଥ ରାସ୍ତାକଡରେ କିଛି ଅଟୋ ଧାଡି ବାନ୍ଧି ରହୁଥିବାରୁ ସେଗୁଡିକର ପଛପଟେ କାର୍ଯ୍ୟାଳୟ କାନ୍ଥରେ ପରିସ୍ରା କରିବା ପାଇଁ ଲୋକଙ୍କୁ ସୁବିଧା ହେଉଛି । ଆଖ ପାଖରେ ଶୌଚାଳୟ ନ ଥିବାରୁ ଲୋକଙ୍କୁ ଯେତେ ବାରଣ କଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଲୋକେ ପରିସ୍ରା କରିବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଦୁର୍ଗନ୍ଧରେ ଫାଟି ପଡୁଛି ଏବଂ କର୍ମଚାରୀମାନେ ମେଡିକାଲ ଝରକା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଏହା ଛଡା ମେଡିକାଲ ପାଚେରୀ ନଥିବାରୁ ଗାଈ ଗୋରୁ ଆଦି ଅବାଧରେ ପ୍ରବେଶ କରିବା ଫଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିର ପ୍ରତିକାର ବ୍ୟବସ୍ଥା ସ୍ୱରୂପ ପୂର୍ବରୁ ଥିବା ପାଚେରୀର ପୁନର୍ବାର ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଉଦ୍ୟମ କରିବା ବିଧେୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।