ରାଜନୈତିକ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗହରା

ଜଟଣୀ : କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ଥାନ ସରଂକ୍ଷଣ କରାଯାଇଛି । ଉଦେ୍ଦଶ୍ୟ ରହିଛି କିପରି ରାଜନୈତିକ କ୍ଷେତ୍ର ହେଉ ବା ଅନ୍ୟ କିଛି ଯେଉଁଥିରେ ମହିଳା ସଶକ୍ତିକରଣ ଯୋଜନାର ସଫଳ ରୂପାୟନ ହୋଇପାରିବ । ମହିଳା ମାନେ ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସମକକ୍ଷ ହୋଇପାରିବେ, ନିଜ ଗୋଡ଼ରେ ଠିଆ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସରକାରୀସ୍ତରରେ ବହୁ ଯୋଜନା କାର୍ଯ୍ୟକାରୀ କରାଯାଇଛି । ରାଜନୈତିକ କ୍ଷେତ୍ରରେ ମହିଳାମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରି ୱାର୍ଡ ମେମ୍ବର ଓ ସରପଞ୍ଚ ଓ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି । ସେହିପରି ପୌରାଞ୍ଚଳରେ ମଧ୍ୟ ବିଭିନ୍ନ ୱାର୍ଡରେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚିତ ଲୋକପ୍ରତିନିଧି ବା କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ପ୍ରକୃତ ପକ୍ଷେ ମହିଳା ପ୍ରତିନିଧିଙ୍କ ସ୍ୱାମୀ, ପୁଅ ଓ ପୁତୁରା ଅନେକ ସ୍ଥାନରେ ସେମାନଙ୍କ ବଦଳରେ ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଗ୍ରାମାଞ୍ଚଳ ହେଉବା ସହରାଞ୍ଚଳ ସେଠାରେ ଏକ ନୂତନ ପ୍ରକାର ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି । ମହିଳାମାନେ ନିର୍ବାଚିତ ହେବା ପରେ ଅଧିକାଂଶ ସମୟରେ ଘରେ ରହି ଘର କରଣା କାର୍ଯ୍ୟ ତୁଲାଇଥାନ୍ତି । ସେହି କ୍ଷେତ୍ରରେ ସେମାନଙ୍କ ସ୍ୱାମୀମାନେ ପୌରସଂସ୍ଥା ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ସେମାନଙ୍କ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଚିରାଚରିତ ଢଙ୍ଗରେ ଏହି ଘଟଣା ପ୍ରଶାସନର ଅଜାଣତରେ ନୂହେଁ ବରଂ ଜାଣତରେ ଚାଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଯାହାଫଳରେ ଖୋଲାଖୋଲି ଭାବେ ସରକାରୀ ନିୟମ ଉଲଙ୍ଘନ କରାଯାଉଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ ।କେତେକ ମହିଳା ପ୍ରତିନିଧିଙ୍କ ସ୍ୱାମୀ ବହୁ ଉନ୍ନୟନମୂଳକ କାଗଜପତ୍ର ଧରି ବିଭିନ୍ନ ବିଭାଗର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିବା ସହ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିନେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି ପଞ୍ଚାୟତସ୍ତରରେ ଆବାସ ଯୋଜନା ଠାରୁ ଆରମ୍ଭ କରି ପୌରାଞ୍ଚଳରେ ଭତ୍ତା, ଜନ୍ମ ମୃତୁ୍ୟ ସାର୍ଟିଫିକେଟ୍ ସହିତ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଫାଇଲ ବହୁ ସମୟରେ ସେମାନଙ୍କ ହାତରେ ଦେଖିବାକୁ ମିଳୁଛି । ବିଗତ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ବହୁ ମହିଳା ପ୍ରତିନିଧ ଆଗକୁ ନ ଆସିବା ଫଳରେ ସେମାନଙ୍କ କାର୍ଯ୍ୟ ସ୍ୱାମୀ ତୁଲାଉଛନ୍ତି । ଯାହାକି ଏକ ପ୍ରକାର ଧାରାରେ ପରିଣତ ହୋଇଗଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ମହିଳା ପ୍ରତିନିଧିଙ୍କ ଭୂମିକା ରବର ଷ୍ଟାମ୍ପ ଭଳି ଥିବାବେଳେ, ବର୍ତ୍ତମାନର ସ୍ଥିତି ପରଖିଲେ କେତେକ ସେହି ସ୍ଥିତିରେ ଥିବା ସହରରେ ଚର୍ଚ୍ଚା ଚାଲିଛି । ବାସ୍ତବ କ୍ଷେତ୍ରରେ ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଡିଣ୍ଡିମ ପିଟାଯାଉଛି ତାହାର ବାସ୍ତବତା କେତେଦୂର ଯୁକ୍ତିଯୁକ୍ତ ବୋଲି ନିର୍ବାଚିତ ପ୍ରତିନିଧିଙ୍କ କ୍ଷେତ୍ରରେ ଜଣାପଡିଛି । ଯଦି ଏଭଳି ଧାରା ଆଗକୁ ବଜାୟ ରହେ ତେବେ ରାଜନୈତିକ କ୍ଷେତ୍ରରେ ମହିଳା ସଶକ୍ତିକରଣ ଯୋଜନାର ସଫଳ ରୂପାୟନ କିଭଳି ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।