ରାଜସ୍ୱ ଅମଲା ସଂଘର କଳାବ୍ୟାଜ୍ ପରିଧାନ
କେନ୍ଦୁଝର : ଓଡିଶା ରାଜସ୍ୱ ଅମଲା ସଂଘର ନିଷ୍ପତି ଅନୁସାରେ ଗତ ଜୁନ ୨୫ ତାରିଖରେ ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା କେନ୍ଦୁଝରର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରାଯାଇଥିଲା ।
ଯଦି ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଦାବି ଗୁଡିକ ପୂରଣ କରିବାରେ ଅବହେଳା ପ୍ରଦର୍ଶନ କରନ୍ତି, ତାହାହେଲେ ଜୁଲାଇ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ କଲା ବ୍ୟାଜ୍ ପରିଧାନ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସୋମବାର ଦିନ କେନ୍ଦୁଝର ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା କଳା ବ୍ୟାଜ୍ ପରିଧାନ କରି ସରକାରଙ୍କ ଚରମ ଅବହେଳାକୁ ବିରୋଧ କରିଥିଲେ । ପ୍ରକାଶଥାଉ କି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଆଗାମୀ ୧୩ ତାରିଖ ସୁଦ୍ଧା ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ରାଜ୍ୟ ସଂଘର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଜୁଲାଇ ୧୪ ତାରିଖ ଠାରୁ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି କେନ୍ଦୁଝରର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ସଚିନ୍ କୁମାର ପଣ୍ଡା, ପ୍ରଭାତେନ୍ଦୁ କୁମାର ନାଏକ, ରଶ୍ମିରଜ୍ଞନ ମହାନ୍ତି, ସନ୍ତୋଷ କୁମାର ରଣା, ଗୌରାଙ୍ଗ ଚରଣ ଜେନା, ପାର୍ଥସାରଥୀ ନାୟକ, ପିତବାସ ମହାନ୍ତ ପ୍ରକାଶ କରିଛନ୍ତି ।