ଚମ୍ପୁଆ ଉପଖଣ୍ଡରେ ବାଲିମାଫିଆ ସକ୍ରିୟ: ବୈତରଣୀରୁ ଲୁଟ ହେଉଛି ବାଲି
କେନ୍ଦୁଝର : ଚମ୍ପୁଆ ଉପଖଣ୍ଡର ବିଭିନ୍ନ ସ୍ଥାନରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରି ଚାଲିଛି । ଚମ୍ପୁଆ ଉପଖଣ୍ଡର ରୂପାକୁଣ୍ଡ ଘାଟରୁ ବିନା ଅନୁମତିରେ ଦୈନିକ ଶହ ଶହ ଟ୍ରିପ ବାଲି ମାଫିମାନେ ଚୋରାରେ ନେଉଛନ୍ତି । ନଦୀଗର୍ଭରେ ରାତିରେ ବାଲି ଉତ୍ତୋଳନ ହୋଇ ହାଇୱା ଗାଡିରେ ଚାଲାଣ ହେଉଛି । ଏଠାରେ ପୋଲିସ ବ୍ୟବସ୍ଥା ଏମିତି ଯେ ବିନା ବାଧାରେ ସାହାଣ ମେଲାରେ ଚାଲଛି ବାଲି ଚୋରି । ବାଲି ଚୋରଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଉ ନ ଥିବାରୁ ଚୋରି ବେଧଡ୍କ ଚାଲିଛି । ବିନା ଲିଜ୍ରେ ବହୁ ଘାଟ ଚାଲିଥିବାବେଳେ, ସେଠାରୁ ବାଲି ଚାଲାଣ ହେଉଥିଲେ ପୁଲିସ ସହଯୋଗ ମିଳୁ ନ ଥିବାରୁ ଖଣି ବିଭାଗ ଚଢାଉ କରିବାକୁ ସାହାସ କରିପାରୁନାହିଁ । ଦୀର୍ଘ ୩ ମାସ ହେବ ବିଭିନ୍ନ ବାଲି ଘାଟରେ ଚୋରି ଚାଲିଥିଲେ ମଧ୍ୟ ବାରିଆ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । ଫଳରେ ମାଫିଆଙ୍କ ପକେଟ ଗରମ ହେଉଛି, ଆଉ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ସହୁଛନ୍ତି ।
ବାଲିମାଫିଆଙ୍କ ଏ କଳା ଧନ୍ଦା ଯେ, ପ୍ରଶାସନକୁ ଜଣାନାହିଁ,ତା ନୁହେଁ ମାଫିଆଙ୍କ ସହ ଗହନ ସମ୍ପର୍କ ଯୋଡି ପୁଲିସ ବାବୁମାନେ ନିଜ ଭାଗ ପାଉଛନ୍ତି । ଫଳରେ ନଦୀ ପଠାରୁ ବାଲି ଖାଲି ହେବାରେ ଲାଗିଛି, ରାଜକୋଷକୁ କିନ୍ତୁ ରାଜସ୍ୱ ଆସୁନି । ବେଆଇନ ଭାବେ ବାଲି ଉଠାଣ ଯୋଗୁଁ ନଦୀ ଶଯ୍ୟା ବିପଦରେ ପଡିବା ସହ ପରିବେଶ କ୍ଷତିଗ୍ରସ୍ତ ହେଉଛି । ସେହିପରି ଜ୍ୟୋତିପୁର ଲିଜ୍ ଘାଟ ପାଇଁ ରୟାଲଟି ଅର୍ଥ ସଂପୂର୍ଣ୍ଣ ଜମା ନ ହୋଇ ଚାଲିଛି । ଏହି ବାଲି ଘାଟକୁ ଜଗିବାକୁ କେହି ନାହିଁ । ବାଲି ଘାଟରେ ସିସିଟିଭିରେ ବାଲି ଉଠାଣ ଓ ପରିବହନ ଉପରେ ତୀକ୍ଷ୍ନ ନଜର ରହିବ ବୋଲି ନିଦେ୍ର୍ଦଶାନାମା ରହିଛି । କିନ୍ତୁ ଲିଜ୍ ଘାଟରେ ସିସିଟିଭି ଲାଗି ନ ଥିବାରୁ ଚୋରି ବଢୁଛି । ଘାଟରୁ କେତେ ଉତ୍ତୋଳନ ହେଲା ଏବଂ କେତେ ପରିବହନ ହେଲା ତାହାର ହିସାବ ଖଣି ବିଭାଗ ପାଖରେ ନାହିଁ । ଏ ନେଇ ଚମ୍ପୁଆ ଉପଖଣ୍ଡ ଲଘୁ ଖଣିଜ ଅଧିକାରୀ ସୁପ୍ରଭା ନାୟକଙ୍କ ପଚାରିବାରୁ ଜ୍ୟୋତିପୁର ଲିଜ୍ଧାରୀ ୩ ଦିନ ତଳେ ରୟାଲଟି ବାବଦ ୪୦ଲକ୍ଷ ଟଙ୍କା ଜମା କରିଛନ୍ତି, ବାକି ଅର୍ଥ ଖୁବ ଶୀଘ୍ର ଜମା କରିବେ । ତେବେ ରୟାଲଟି ବାବଦ ଅର୍ଥ ସମ୍ପୂର୍ଣର୍ ଜମା ନ ହେଲେ ଚାଲି ପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଯଦି ଏହି ଘାଟ ଚାଲୁଥାଏ ଯାଂଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଚମ୍ପୁଆ ଉପଖଣ୍ଡର ଭଣ୍ଡା ବାଲି ଘାଟରେ ମଧ୍ୟ ସିସିଟିଭ ନ ଥାଇ ବାଲି ଉତ୍ତୋଳନ ହେଉଛି । ଫଳରେ ଅନୁମତି ଠାରୁ ବହୁ ଅଧିକ ଉତ୍ତୋଳନ ହେଉଛି । ଖଣି ବିଭାଗ ତୁରନ୍ତ ସମସ୍ତ ବାଲି ଘାଟରେ ସିସିଟିଭ ବାଧ୍ୟତାମୂଳକ କରିବା ପାଇଁ ଦାବି ହୋଇଛି । ବାରିଆ ଥାନା ଅଂଚଳର ରୂପାକୁଣ୍ଡ ଏବଂ ଅନ୍ୟ କେତେକ ବାଲି ଘାଟରେ ଚୋରାରେ ବାଲି ଉତ୍ତୋଳନ ନେଇ ଥାନାଧିକାରୀ ରଞ୍ଜୁ ହସିନୀ କୁଲୁଙ୍କୁ ପଚାରିବାରୁ ଅଭିଯୋଗର ଯାଂଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।