ମାଇନ୍ସରେ ଠକାମୀର ଶିକାର ହେଲେ ଦୁଇ ପଞ୍ଚାୟତବାସୀ

 ଚମ୍ପୁଆ: କାଶିଆ ମାଇନ୍ସରେ କଞ୍ଚାମାଲ ପରିବହନକୁ ନେଇ ହୋଇଥିବା ଚଞ୍ଚକତା ପ୍ରତିବାଦରେ ଦୁଇ ପଞ୍ଚାୟତର ଅଧିବାସୀମାନେ ନିଜନିଜର ଜୀବନଜୀବିକା ହରାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଭଦ୍ରା ସାହି ଓ ସେରେଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଶିଆ ମାଇନ୍ସରେ ଏହି ଦୁଇ ପଞ୍ଚାୟତର ଲାଇସେନ୍ସ ପ୍ରାପ୍ତ ଲୋକମାନେ ସେମାନଙ୍କର ଜୀବନଜୀବିକା ପାଇଁ ୨୦୨୨ ରୁ କମ୍ପାନୀ ଓ ପ୍ରଶାସନର ମିଳିତ ସହମତିରେ ପରିବହନ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ଏବେ କାହା ଚାପରେ ସେମାନଙ୍କୁ ଏ କାର୍ଯ୍ୟରୁ ହଟାଯାଇ ଅଞ୍ଚଳ ବାହାରର ୩ଜଣଙ୍କୁ ପରିବହନ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ସେମାନଙ୍କର ଅଭିଯୋଗ ଅନୁଯାୟୀ ନିୟମିତ ଖଣି କାର୍ଯ୍ୟ ଯୋଗୁଁ ସେମାନଙ୍କର ଚାଷଜମି ଉଜୁଡି ଯିବା ସହ ଜଳ ଓ ବାୟୁ ମଧ୍ୟ ପ୍ରଦୁଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଆଜି ଦୁଇ ପଞ୍ଚାୟତର ପରିବହନ କାର୍ଯ୍ୟ କରୁଥିବା ଲୋକ, ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ ଓ ଖଣି ଅଧିକାରୀ ମାନଙ୍କୁ ଡକାଇ ଏକ ବୈଠକ ଡକାଇଥିଲେ । ବୈଠକରେ ଉପସ୍ଥିତ ଓ ଉପେକ୍ଷିତ ଥିବା ଦୁଇ ପଞ୍ଚାୟତର ପ୍ରତିନିଧି ମାନେ ନିଜର ପକ୍ଷ ରଖି କହିଥିଲେ କି ପ୍ରଶାସନ ଓ କମ୍ପାନୀର ସହମତିରେ ଆମକୁ ପରିବହନ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା । କିନ୍ତୁ କାହା ସ୍ୱାର୍ଥରେ ଆମର ଜୀବନଜୀବିକା ଉପରେ ଆଜି କୁଠାରାଘାତ କରାଯାଇଛି । ଭୟଙ୍କର ଆର୍ଥିକ ଦୁର୍ଗତି ଯୋଗୁଁ ପରିବାର ପ୍ରତିପୋଷଣ,ଗାଡ଼ିର କିସ୍ତି,ଏପରିକି ଆମର କରେଣ୍ଟ ଏକାଉଣ୍ଟ୍ ମଧ୍ୟ ଅଚଳ ହୋଇ ପଡ଼ିରହିଛି । ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଆଗାମୀ ୧୫ଦିନ ମଧ୍ୟରେ ନିଷ୍ପତ୍ତି ଜଣାଇଦେଲେ ବୋଲି  ବୈଠକରେ ସମସ୍ତଙ୍କୁ ଜଣାଇଥିଲେ  । ବୈଠକରେ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ, ସେରେଣ୍ଡା ସରପଞ୍ଚ ସୁସ୍ମିତା ସିଦ୍ଧୁ, ସମାଜସେବୀ ଯଦୁମଣି ବାରିକ, ପୂର୍ବତନ ସରପଞ୍ଚ କସ୍ତୁରୀ ଓରାମ, ଅଙ୍କିତା ଉପାଧ୍ୟାୟ, ପୂର୍ଣ୍ଣଚନ୍ଦ୍ର ମହାକୁଡ,ସୁଦାମ ବାରିକ,ପୃର୍ୱତନ ସରପଞ୍ଚ ଭଗବାନ ଚାତମ୍ବାଓ ଖଣି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।