ରାଜ୍ୟରେ ଝାଡ଼ାବାନ୍ତି ଆତଙ୍କ

ପୁଣି ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଅଭିଯୋଗ । କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଦ ପଞ୍ଚାୟତରେ ଜଣେ ମହିଳାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିବା ପରେ ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ମେଡିକାଲ ଟିମ୍ । ଗାଁରେ ବ୍ଲିଚିଂ ପକାଇବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି ମେଡିକାଲ ଟିମ୍ । ଗାଁରେ ଲୋକଙ୍କୁ ଔଷଧ ବଣ୍ଟାଯାଇଛି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପରିବାର ଲୋକଙ୍କ କହିବାନୁସାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମହିଳା ପଡ଼ିଆ ଯାଇଥିଲେ ଏବଂ ସେଠାରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା , ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏହାର ତଦନ୍ତ କରୁଛି ।  

ତେବେ ସମ୍ବଲପୁରରେ ମଧ୍ୟ ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଧନକଉଡ଼ାର ଶ୍ରବଣ ଛୁରିଆ । ଝାଡ଼ାବାନ୍ତି ଯୋଗୁଁ ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେହି ପଡ଼ାରେ ସ୍ବାସ୍ଥ୍ୟ ସର୍ଭେଲାନ୍ସ ଆରମ୍ଭ ହୋଇଛି ।  ଆଜି ଜିଲ୍ଲା ସଦର ମେଡିକାଲରେ ୩ ରୁ ୪ଜଣ ରୋଗୀ ଭର୍ତ୍ତି ହୋଇଥିବା କହିଛନ୍ତି ଏଡିଏମଓ ଡାକ୍ତର ଅଶୋକ ଦାସ ।  ତେବେ ଝାଡ଼ାବାନ୍ତି ଓ ହଇଜାରେ ପ୍ରଭାବିତ କଟକ ଚୌଦ୍ଵାର ବ୍ଲକରେ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ସଫା ପଞ୍ଚାୟତ ସୁଆଁରୀ ଗାଁରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ରାଜ୍ୟ ଜନସ୍ଵାସ୍ଥ୍ୟ ଅଧିକାରୀ ଓ କେନ୍ଦ୍ର ପକ୍ଷରୁ ଏକ ତିନି ଜଣିଆ ଟିମ୍ ଗାଁରେ ପହଞ୍ଚିଥିଲେ । ଗାଁର ସମସ୍ତ ଜଳଉତ୍ସଗୁଡ଼ିକୁ ଯାଞ୍ଚ କରିବା ସହିତ ଲୋକଙ୍କୁ ପାଣି ଫୁଟାଇ ପିଇବା ଓ ଟ୍ୟାଙ୍କର୍ ଯୋଗେ ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ବ୍ୟବହାର କରିବାକୁ  କୁହାଯାଇଛି ।