ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଓ ପ୍ରେସ କ୍ଲବ ପକ୍ଷରୁ ଦାବି

 କୋଣାର୍କ: ଜଗନ୍ନାଥ ଧାମ ପୁରୀ ସ୍ଥିତ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରବେଶ କରିବା ପାଇଁ ମନ୍ଦିର ସେବାୟତ ସେମାନଙ୍କ ଠାରୁ ଟଙ୍କା ନେବା ନେଇ ଅଭିଯୋଗ ହେବା ପରେ ଖବର ସଂଗ୍ରହ କରୁଥିବା ଏକ ବୈଦୁ୍ୟତିକ ଗଣମାଧ୍ୟମର ସାମ୍ବାଦିକାଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିବା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହିତ ଆକ୍ରମଣକାରୀ ସେବାୟତମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଣାର୍କ ସାମ୍ବାଦିକ ସଂଘ ଓ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ଦାବି କରାଯାଇଛି ।
ଖବରରୁ ପ୍ରକାଶ ଯେ, ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶୀଘ୍ର ଦର୍ଶନ ପାଇଁ କେତେକ ସେବାୟତ ସେମାନଙ୍କ ଠାରୁ ଟଙ୍କା ନେଇ ମନ୍ଦିର ପ୍ରବେଶ କରାଇବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଗତ ରବିବାର ପୂର୍ବାହ୍ନରେ ଶ୍ରୀ ମନ୍ଦିର ଦାୟିତ୍ୱରେ ଥିବା କେତେକ ସେବାୟତ ଭକ୍ତମାନଙ୍କୁ ଶୀଘ୍ର ଶ୍ରୀମନ୍ଦିରକୁ ପ୍ରବେଶ କରାଯାଇ ନେଇ ଭକ୍ତମାନଙ୍କ ଠାରୁ ଉକ୍ରୋଚ ନେଇ ସେମାନଙ୍କୁ ଛାଡୁଥିବା ଖବର ପ୍ରଚାରିତ ହୋଇଥିଲା । ଏହି ଘଟଣାକୁ ନେଇ ପୁରୀ ଜିଲ୍ଲାର ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧିମାନେ ସିଂହଦ୍ୱାର ନିକଟରେ ଅଭିଯୋଗ ଆଧାରରେ ଖବର ସଂଗ୍ରହ କରୁଥିବା ବେଳେ କେତେକ ସେବାୟତ ସାମ୍ବାଦିକମାନଙ୍କୁ ଆକ୍ରମଣ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣା ନେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଆକ୍ରମଣକାରୀ ସେବାୟତମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଂହ ଦ୍ୱାର ଥାନାରେ ଅଭିଯୋଗ ହୋଇଛି ।