ରାଜ୍ୟସଭାରେ ଉପକୂଳ ଜାହାଜ ଚଳାଚଳ ବିଲ୍ ଗୃହୀତ

  ନୂଆଦିଲ୍ଲୀ :  ଦେଶର ଉପକୂଳ ଅର୍ଥବ୍ୟବସ୍ଥାକୁ ପ୍ରୋସôାହିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଉପକୂଳ ଜାହାଜ ଚଳାଚଳ ବିଲ୍  ଆଜି ରାଜ୍ୟସଭାରେ ଗୃହୀତ ହୋଇଛି । ଏହି ଐତିହାସିକ ଆଇନ ଭାରତର ନଅଟି ଉପକୂଳ ରାଜ୍ୟ ଏବଂ ଚାରୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଥିବା ୧୧,୦୯୮ କିଲୋମିଟର ଲମ୍ବା ରଣନୀତିକ ଉପକୂଳର ବ୍ୟାପକ ଓ ବିଶାଳ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ବିଲକୁ ଗୃହୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଏହି ବିଲ୍ ପୂର୍ବରୁ  ଏପ୍ରିଲ ୩ରେ ଲୋକସଭାରେ ଗୃହୀତ ହୋଇଥିଲା । ଏହା ଉପକୂଳ ଜାହାଜ ପରିଚାଳନା ଆଇନଗତ ଢାଞ୍ଚାକୁ ସରଳ ଏବଂ ଆଧୁନିକୀକରଣ କରିବାକୁ ଉଦ୍ଦିଷ୍ଟ । ବାଣିଜ୍ୟିକ ଜାହାଜ ଚଳାଚଳ ଆଇନ, ୧୯୫୮ର ଚତୁର୍ଦ୍ଦଶ ଭାଗକୁ ବିଶ୍ୱ କ୍ୟାବୋଟେଜ୍ ମାନଦଣ୍ଡ ସହିତ ଯୋଡାଯାଇଛି  । ଏହା ଏକ ନୂତନ ଯୁଗର  ପ୍ରଗତିଶୀଳ ଆଇନ । ରାଜ୍ୟସଭାରେ ବିଲ୍ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଏହି ଆଇନ ଭାରତର ୨୦୩୦ ସୁଦ୍ଧା ଏହାର ଉପକୂଳ ମାଲ ପରିବହନ ଅଂଶକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି କରିବ । ଏଥିସହିତ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତରେ ସାମୁଦ୍ରିକ କ୍ଷେତ୍ରର ଅବଦାନକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ । ଭାରତକୁ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଏହା ଅନୁରୂପ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏହି ଐତିହାସିକ ଆଇନ ଗୃହୀତ ହେବା ସହିତ ଭାରତ ଏକ ସମନ୍ୱିତ, ଦକ୍ଷ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜାହାଜ ଚଳାଚଳ ଇକୋସିଷ୍ଟମ ନିର୍ମାଣ ଦିଗରେ ଆଉ ଏକ ପାଦ ଆଗକୁ ବଢିଛି ।