କ୍ୟାବିନେଟ୍ରେ ମିଳିଲା ମଞ୍ଜୁରୀ: ୟୁପିରେ ହେବ ସେମିକଣ୍ଡକ୍ଟର ୟୁନିଟ୍

ନୂଆଦିଲ୍ଲୀ : ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧୀନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ଏବେ ଦେଶରେ ୫ଟି ସେମିକଣ୍ଡକ୍ଟର ୟୁନିଟର ନିର୍ମାଣ କାର୍ଯ୍ୟ ଅଗ୍ରଣୀସ୍ତରରେ ଜାରି ରହିଛି । ଏହି ୬ଷ୍ଠ ୟୁନିଟ୍ ସହ ଭାରତ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ଦିଗରେ ଆହୁରି ଅଗ୍ରଗତି ହାସଲ କରିଛି । ଆଜି ଅନୁମୋଦିତ ୟୁନିଟ୍ ହେଉଛି ଏଚସିଏଲ୍ ଏବଂ ଫକ୍ସନକର ଏକ ଯୌଥ ଉଦ୍ୟୋଗ । ଏଚସିଏଲର ହାର୍ଡୱେୟାର ବିକାଶ ଏବଂ ଉତ୍ପାଦନର ଏକ ଦୀର୍ଘ ଇତିହାସ ରହିଛି । ଫକ୍ସକନ୍ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ବିଶ୍ୱର ଏକ ଅଗ୍ରଣୀ କମ୍ପାନୀ । ଉଭୟ କମ୍ପାନୀ ମିଶି ଜେୱାର ବିମାନବନ୍ଦର ନିକଟରେ ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ବା ୱାଇଇଆଇଡିଏରେ ଏକ କାରଖାନା ସ୍ଥାପନ କରିବେ । ଏହି ପ୍ଲାଣ୍ଟ ମୋବାଇଲ୍ ଫୋନ୍, ଲାପଟପ୍, ଅଟୋମୋବାଇଲ୍, ପିସି ଏବଂ ଡିସପ୍ଲେ ଥିବା ଅନ୍ୟାନ୍ୟ ଡିଭାଇସ୍ ପାଇଁ ଡିସପ୍ଲେ ଡ୍ରାଇଭର୍ ଚିପ୍ସ ଉତ୍ପାଦନ କରିବ । ଏହି ପ୍ଲାଣ୍ଟଟି ପ୍ରତି ମାସରେ ୨୦,୦୦୦ ୱେଫର୍ ପାଇଁ ଡିଜାଇନ୍ କରାଯାଇଛି । ଡିଜାଇନ୍ ଆଉଟପୁଟ୍ କ୍ଷମତା ପ୍ରତି ମାସରେ ୩୬ ନିୟୁତ ୟୁନିଟ୍ ରହିବ ।
୨୭୦ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ୭୦ଟି ଷ୍ଟାର୍ଟଅପ୍ର ଉଦ୍ୟୋଗୀମାନେ ନୂତନ ଉତ୍ପାଦ ବିକଶିତ କରିବା ପାଇଁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଡିଜାଇନ୍ କୌଶଳ ଉପରେ କାମ କରୁଛନ୍ତି । ଏହି ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ବିକଶିତ ୨୦ଟି ଉତ୍ପାଦକୁ ଏସସିଏଲ୍ ମୋହାଲି ଦ୍ୱାରା ବ୍ୟବହାର କରାଯାଇଛି । ଆଜି ଅନୁମୋଦିତ ନୂତନ ସେମିକଣ୍ଡକ୍ଟର ୟୁନିଟ୍ ୩୭୦୦ କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ । ଭାରତରେ ଲାପଟପ୍, ମୋବାଇଲ୍ ଫୋନ୍, ସର୍ଭର, ଚିକିସôା ଉପକରଣ, ପାୱାର ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଉପକରଣ ଏବଂ କଞ୍ଜୁ୍ୟମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ସହ  ସେମିକଣ୍ଡକ୍ଟରର ଚାହିଦା ବଢିଚାଲିଛି ।