ରାଧାକ୍ରିଷ୍ଣନ୍‌ ଉପରାଷ୍ଟ୍ରପତି

ରାଧାକ୍ରିଷ୍ଣନ୍‌ ଉପରାଷ୍ଟ୍ରପତି
  • ଶପଥ ପାଠ କରାଇଲେ ରାଷ୍ଟ୍ରପତି
  • ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଶପଥ ନେଲେ ଦେଶର ନୂଆ ଉପରାଷ୍ଟ୍ରପତି ସିପିି ରାଧାକ୍ରିଷ୍ଣନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପ ଠାରେ ଆୟୋଜିତ ଏକ ଶପଥ ଗ୍ରହଣ ସମାରୋହରେ ସିପି. ରାଧାକ୍ରିଷ୍ଣନଙ୍କୁ ଦେଶର ୧୫ତମ ଉପରାଷ୍ଟ୍ରପତି ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଦିଲ୍ଲୀରେ ପହଞ୍ଚିଥିଲେ ସିପି ରାଧାକ୍ରିଷ୍ଣନ । ପୂର୍ବାହ୍ନ ପ୍ରାୟ ୧୦ଟାରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଏହାସହ ରାଜ୍ୟସଭା ଅଧ୍ୟକ୍ଷ ଭାବେ ମଧ୍ୟ ଶପଥ ନେଇଛନ୍ତି ରାଧାକ୍ରିଷ୍ଣନ । ଶପଥ ଗ୍ରହଣ ପରେ ସି.ପି. ରାଧାକ୍ରିଷ୍ଣନ୍‌ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ମଧ୍ୟ ସଦୈବ ଅଟଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ, ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ସ୍ମାରକୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଓ କିଷାନ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 
ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସରୀ ଓ ଭେଙ୍କିୟା ନାଇଡୁ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗ ଦେଇଥିଲେ । ଆହୁରି ମଧ୍ୟ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା  ଜଗଦୀପ ଧନଖଡଙ୍କୁ ପ୍ରଥମ ଥର ସାଧାରଣରେ ଦେଖିବାକୁ ମିଳିଥିଲା । ଶପଥ ପାଠ ପରେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କ ସେବା ପ୍ରତି ସମର୍ପିତ ଏକ ସଫଳ ଉପରାଷ୍ଟ୍ରପତି କାର୍ଯ୍ୟକାଳ ପାଇଁ ଶ୍ରୀ ରାଧାକ୍ରିଷ୍ଣନଙ୍କୁ ଶୁଭକାମନା ଜଣାଇଛନ୍ତି । ଏକ୍ସ ପୋଷ୍ଟରେ  ମୋଦି ଲେଖିଛନ୍ତି ଥିରୁ ସିପି ରାଧାକ୍ରିଷ୍ଣନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଲି । ଜଣେ ସମର୍ପିତ ଜନସେବକ ଭାବେ ସେ ନିଜର ଜୀବନକୁ ରାଷ୍ଟ୍ର ନିର୍ମାଣ, ସମାଜସେବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିବା ପ୍ରତି ସମର୍ପି ଦେଇଛନ୍ତି । ଜନସାଧାରଣଙ୍କ ସେବା ପ୍ରତି ସମର୍ପିତ ଏକ ସଫଳ ଉପରାଷ୍ଟ୍ରପତି କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସିପି ରାଧାକ୍ରିଷ୍ଣନଙ୍କ ଉପରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ଯାତ୍ରା ବହୁତ କଠିନ ଥିଲା । ଏହି ଯାତ୍ରା ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ଓ ଆରଏସଏସରେ ଯୋଗଦେବା ପରେ ଜାତୀୟ ସ୍ତରକୁ ବିସ୍ତାରିତ ହୋଇଥିଲା । ସଂଘରୁ ସକ୍ରିୟ ରାଜନୀତିରେ ଆସିଥିବା ସିପି ରାଧାକ୍ରିଷ୍ଣନ ବିଜେପି ସଂଗଠନରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ । ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ସିପି ରାଧାକ୍ରିଷ୍ଣନ୍‌ ୧୬ ବର୍ଷ ବୟସରୁ ଆରଏସଏସ ଓ ଜନସଂଘ ସହ ଜଡିତ ଅଛନ୍ତି । ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ । ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ କୋଏମ୍ବାଟୁରରୁ ୨ ଥର ସାଂସଦ ଜିତିଥିଲେ । ୨୦୨୪ ଜୁଲାଇରୁ ମହାରାଷ୍ଟ୍ର ରାଜ୍ୟପାଳ ରହିଥିଲେ ସିପି ରାଧାକ୍ରିଷ୍ଣନ । ତାପୂର୍ବରୁ ୨୦୨୩ ଫେବ୍ରୁଆରିରୁ ଥିଲେ ଝାଡଖଣ୍ଡ ରାଜ୍ୟପାଳ । ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଓ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ ।