ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ସୁପ୍ରିମ୍‌କୋର୍ଟ : ‘ସମୟସୀମା ଧାର୍ଯ୍ୟ କରିହେବନି’

ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ସୁପ୍ରିମ୍‌କୋର୍ଟ : ‘ସମୟସୀମା ଧାର୍ଯ୍ୟ କରିହେବନି’

ଦୀର୍ଘଦିନ ଧରି ପକାଇ ରଖିଲେ ‘ନ୍ୟାୟିକ ସମୀକ୍ଷା’

ନୂଆଦିଲ୍ଲୀ : ସମ୍ବିଧାନରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବିଲ୍‌ ଅନୁମୋଦନର କ୍ଷମତା ଦିଆଯାଇଛି । କୋର୍ଟ ଏନେଇ ଟାଇମଲାଇନ୍‌ ବା ସମୟସୀମା ଧାର୍ଯ୍ୟ କରିପାରିବେନି । ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନର ଉତ୍ତର ରଖି ଏମିତି ଉତ୍ତର ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲକୁ ପକାଇ ରଖିପାରିବେନି ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ରଖିଛନ୍ତି ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ପ୍ରଧାନ ବିଚାରପତି  ବିଆର ଗଭାଇଙ୍କ ଅବସର ପୂର୍ବରୁ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । 


     ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ପ୍ରଥମ ପ୍ରଶ୍ନର ଉତ୍ତରରେ କହିଛନ୍ତିଯେ, ଧାରା ୨୦୦ ଅନୁଯାୟୀ, ବିଧାନସଭାରେ ପାରିତ ବିଲକୁ ରାଜ୍ୟପାଳ ଅନୁମୋଦନ କଲେ ତାହା ଆଇନ୍‌ରେ ପରିଣତ ହୁଏ । ରାଜ୍ୟପାଳଙ୍କ ନିକଟରେ ୩ଟି ବିକଳ୍ପ ରହିଛି । ସେ ଅନୁମୋଦନ କରିପାରିବେ, ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇପାରିବେ କିମ୍ବା ଅନୁମୋଦନ ନଦେଇ ବିଧାନସଭାକୁ ପୁନଃବିଚାର ପାଇଁ ପଠାଇପାରିବେ । ତେବେ ରାଜ୍ୟପାଳ ଖାଲି ବିଲକୁ ଅନୁମୋଦନ ଦେଇପାରିବେନି ବୋଲି କହି ତାହାକୁ ଦୀର୍ଘଦିନ ଧରି ପକାଇ ରଖିପାରିବେ ନାହିଁ । ଯଦି ସେ ଅନୁମୋଦନ ନଦେବେ ତେବେ ତାହାକୁ ଗୃହକୁ ପୁନର୍ବିଚାର ପାଇଁ ପଠାଇପାରିବେ ବୋଲି କୁହାଯାଇଛି ।


   ସେହିପରି କ୍ୟାବିନେଟର ନିଷ୍ପତ୍ତିକୁ ରାଜ୍ୟପାଳ କ’ଣ ମାନିବାକୁ ବାଧ୍ୟ ବୋଲି ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତରରେ କୋର୍ଟ କହିଛନ୍ତିଯେ, କ୍ୟାବିନେଟର ପରାମର୍ଶ ବା ନିଷ୍ପତ୍ତିକୁ ରାଜ୍ୟପାଳ ମାନିବାକୁ ବାଧ୍ୟ ନୁହଁନ୍ତି । ଯଦି ସେମିତି ହେବ ତେବେ ଆଉ ବିଲ୍‌ର ପୁନର୍ବିଚାର ହୋଇପାରିବନି । କାହିଁକିନା କୌଣସି ସରକାର ନିଜ ବିଲ ବିରୋଧରେ ପରାମର୍ଶ ଦେବେନାହିଁ । ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର ସଂକ୍ରାନ୍ତରେ କୋର୍ଟ ବିଚାର କରିପାରିବେ କି ପ୍ରଶ୍ନର ଉତ୍ତରରେ ସୁପ୍ରିମକୋର୍ଟ କହିଛନ୍ତିଯେ, କୋର୍ଟ ଏନେଇ ସମୀକ୍ଷା କରିପାରିବେ ନାହିଁ । ତେବେ ଦୀର୍ଘଦିନ ଧରି ବିନା କାରଣରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଗଲେ ନ୍ୟାୟିକ ସମୀକ୍ଷା ହୋଇପାରିବ । ଯଦି ରାଜ୍ୟପାଳ କୌଣସି ନିଷ୍ପତ୍ତି ନନେଇ ବିଲକୁ ପକାଇ ରଖିଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ । 


    ସେହିପରି କୋର୍ଟ ଅପ୍ରେଲର ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି । ଧାରା ୨୦୦ରେ ଯଥା ଶୀଘ୍ର ସମ୍ଭବ ବୋଲି ଉଲ୍ଳେଖ କରାଯାଇଥିବାରୁ  କୋର୍ଟ ନିର୍ଦ୍ଦିଷ୍ଟ ଟାଇମଲାଇନ୍‌ ଧାର୍ଯ୍ୟ କରିପାରିବେ ନାହିଁ । ସେହିପରି ରାଜ୍ୟ ବିଲ୍‌ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ହୋଇପାରିବ ନାହିଁ । ସେହିପରି ଧାରା ୧୪୩ ଅନୁସାରେ ରାଷ୍ଟ୍ରପତି ଆଇନ୍‌ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ସହ ପରାମର୍ଶ କରିପାରିବେ । ତେବେ ସବୁବେଳେ ବିଲ ରିଜର୍ଭ ଥିଲେ ପରାମର୍ଶ ନେବାର ଆବଶ୍ୟକତା ନାହିଁ । ରାଷ୍ଟ୍ରପତି ଯଦି ସନ୍ତୁଷ୍ଟ ଥିବେ ତାହା ଯଥେଷ୍ଟ ବୋଲି ଖଣ୍ଡପୀଠ କହିଛନ୍ତି । ଅପରପକ୍ଷରେ କୋର୍ଟ ‘ଡିମଡ଼ ଆସେଣ୍ଟ’ ବା ବିଲ ଅନୁମୋଦନ ପ୍ରକ୍ରିୟାରେ ବିଳମ୍ବକୁ ‘ଅନୁମୋଦିତ’ ବୋଲି ଗ୍ରହଣ କରିବା ଘଟଣାରେ ସହମତ ନୁହଁନ୍ତି ।