୨୨ରେ ଲଘୁଚାପ, ୨୪ରେ ଅବପାତ

୨୨ରେ ଲଘୁଚାପ, ୨୪ରେ ଅବପାତ
  • ଚାଷୀଙ୍କୁ ବାତ୍ୟା ଡର
  • କମିଲା ଶୀତ, ତଥାପି ୧୨ ସ୍ଥାନରେ ପାରଦ ୧୫ ତଳେ

ଭୁବନେଶ୍ୱର : ଆସନ୍ତା ୨୨ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ନଭେମ୍ବର ୨୪ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ୪୮ ଘଣ୍ଟା ପରେ ଏହା ଅଧିକ ଘନୀଭୂତ ହେବବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।  


     ଅପରପକ୍ଷରେ ପାଣିପାଗ ବିଭାଗର ଏଭଳି ଆକଳନ ପରେ ଚାଷୀଙ୍କ ମନରେ ଛନକା ପଶିଯାଇଛି । ଏବେ ଧାନ ଅମଳର ସମୟ ହୋଇଥିବାବେଳେ ଅନେକ ସ୍ଥାନରେ ଧାନ କଟା ବି ଜୋର୍‌ ଧରିଛି । ଏହି ସମୟରେ ଯଦି ଲଘୁଚାପ ଜନିତ ବର୍ଷା ହୁଏ ତଥାପିବି ଚାଷୀମାନେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ । କାହିଁକିନା ବିଲରେ ପାଣି ଜମିଗଲେ ଆଉ ଧାନ କାଟିବା ସମ୍ଭବପର ହେବନାହିଁ । ସେହିପରି ଯେଉଁ ଚାଷୀମାନେ ଧାନ  ଅମଳ କରିଛନ୍ତି ତାହାକୁ କେଉଁଠି ରଖିବେ ସେହି ଚିନ୍ତାରେ ଏବେଠାରୁ ପଡ଼ି ଯାଇଛନ୍ତି । ଅପରପକ୍ଷରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ବଢ଼ିଥିବାବେେଳେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧିପାଇଛି । ଫଳରେ ଶୀତର ପ୍ରକୋପ ପୂର୍ବାପେକ୍ଷା କମିଯାଇଛି । ତଥାପିବି ରାଜ୍ୟର ୧୨ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଅନୁଗୁଳରେ ୧୧.୬, ଝାରସୁଗୁଡ଼ାରେ ୧୧.୯, କେନ୍ଦୁଝରଗଡ଼ରେ ୧୪.୪, ସୁନ୍ଦରଗଡ଼ରେ ୧୩.୮, ଭବାନୀପାଟଣାରେ ୧୨.୮, ବଲାଙ୍ଗୀରରେ ୧୪.୪, କୋରାପୁଟରେ ୧୧.୭, ଫୁଲବାଣୀରେ ୧୧.୫, ସୋନପୁରରେ ୧୩.୭, ଦାରିଙ୍ଗବାଡ଼ିରେ ୧୧.୫, ରାୟଗଡ଼ାରେ ୧୩ ଓ ରାଉରକେଲାରେ ୧୨.୬ ରହିଛି । ଯେତେବେଳେକି ନୂଆପଡ଼ାରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଅଛି ।