ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଚୌଦ୍ୱାର : କଟକ ଚୌଦ୍ୱାରରେ ଭୟାନକ ବସ୍ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ । ଚୌଦ୍ୱାରରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା ଯାତ୍ରୀ ବାହୀ ବସ୍ । ଆଜି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ପୂଜାରାଣୀ ବସ୍ ୫୫ନଂ ଜାତୀୟ ରାଜପଥ ଚୌଦ୍ୱାର ଓଟିଏମ୍ ବଜାର ନିକଟରେ ଓଲଟି ପଡ଼ିଛି । ଏଥିରେ ଥିବା ଯାତ୍ରୀମାନେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାବେଳେ, ଜଣେ ଯାତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ଘଟଣାସ୍ଥଳରେ ଜାତୀୟ ରାଜପଥ କର୍ମଚାରୀ ପହଞ୍ଚି ବସକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଯାଇଥିବାବେଳେ ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବେପରୁଆ ଭାବରେ କଣ୍ଟ୍ରାକ୍ଟର ରାସ୍ତା ଖୋଳି ଦେଇ ପକାଇ ରଖିଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ କାମ ସରୁନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି । ସେହିଭଳି ଜଣେ ଯାତ୍ରୀ କହିଛନ୍ତି, ବସ୍ ଠିକ୍ ଭାବରେ ଯାଉଥିଲା । ମାତ୍ର ରାସ୍ତାରେ ବଡ଼ ଖାଲ ଆସିବାରୁ ଏଥିରେ ପଡ଼ି ବସଟି ଓଲଟିପଡ଼ିଥିଲା । ଏଥିରେ ୩ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।