ଅଙ୍ଗନବାଡି ଦିଦିଙ୍କ ମନୋମୁଖି କାର୍ଯ୍ୟକୁ ନେଇ ବଢୁଛି ଅସନ୍ତୋଷ
ନିଆଳି: ନିଆଳି ବ୍ଲକ୍ରେ ଥିବା ଅନେକ ଅଙ୍ଗନବାଡି କେନ୍ଦ୍ରଗୁଡିକ ୱାର୍କରଙ୍କ ମନମର୍ଜିରେ ଚାଲିଛି । କେଉଁଠି ରନ୍ଧା ଖାଦ୍ୟ ଦିଆଯାଉନି ତ ଆଉ କେତେକ କେନ୍ଦ୍ରଗୁଡିକୁ ୱାର୍କରମାନେ ଆସୁନାହାନ୍ତି । ଅନେକ ଅଙ୍ଗନବାଡି କେନ୍ଦ୍ରରେ ହେଲ୍ପର୍ ୧୦/୧୫ ମିନିଟ୍ ସେଣ୍ଟର ଖୋଲି ଆସିଥିବା ଜଣେ ଦି ଜଣ ଶିଶୁଙ୍କୁ ଶୁଖିଲା ଖାଦ୍ୟ ଦେଇ ଚାଲି ଯାଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉକ୍ତ ବ୍ଲକ୍ ଅଧିନସ୍ଥ ବାହାରଣା ପଞ୍ଚାୟତ ରୁକୁଣିଆ ଅଙ୍ଗନବାଡି କେନ୍ଦ୍ରରେ । ଉକ୍ତ ଅଙ୍ଗନବାଡି କେନ୍ଦ୍ର ୱାର୍କର ମମତା ବସ୍ତିଆ କେନ୍ଦ୍ରକୁ ନିଜ ମନମାନିରେ ଆସୁଥିବାବେଳେ ଗାଁରେ ବୁଲାବୁଲି କରୁଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ଚାହାନ୍ତି ନାହିଁ । ଏଠାରେ ଥିବା ହେଲ୍ପର୍ ସୁମିତ୍ରା ଭୋଇ ଦୈନଦିନ ଆସୁଥିବା ୨/୪ ଜଣ ପିଲାଙ୍କୁ ଶୁଖିଲା ଖାଦ୍ୟ ଦେଉଥିବା ବେଳେ ଆଉ କେଉଁ ଦିନ ପଚା ଅଣ୍ଡା ଦେଇ ଘରକୁ ପଠାଇ ଦେଇଥାନ୍ତି । ଯାହାଫଳରେ ଉକ୍ତ ସେଣ୍ଟରରେ ପଢାଉଥିବା ଶିଶୁମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନାଯୁଯାୟୀ, ଗତ ଶୁକ୍ରବାର ଉକ୍ତ ଅଙ୍ଗନବାଡି କେନ୍ଦ୍ରର ୱାର୍କର ଗାଁରେ ବୁଲୁଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରକୁ ଯାଇନଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶ୍ରୀମତୀ ପଣ୍ଡା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି କାମ କରନ୍ତି । ଯାହାଫଳରେ ସେ ସୁପରଭାଇଜର୍ ଓ ସିଡିପିଓଙ୍କୁ ରାଜନୈତିକ ଚାପ ପକାଇ ନିଜେ କରୁଥିବା ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇଥାନ୍ତି । ଶ୍ରୀମତୀ ପଣ୍ଡାଙ୍କ ନାମରେ ଶିଶୁଙ୍କ ଖାଦ୍ୟ ହଡପ କରିବା ଅଭିଯୋଗରେ ଓ ଦୈନଦିନ ଶିଶୁମାନେ ସେଣ୍ଟରକୁ ଆସିନଥିଲେ ମଧ୍ୟ ସେମାନଙ୍କର ପୁରା ଉପସ୍ଥାନ ପକାଇ ଲକ୍ଷାଧିକ ଟଙ୍କା ହଡପ କରୁଥିବାରୁ ତାଙ୍କ ନାମରେ ଓଡିଶାର ଉଚ୍ଚତ୍ତମ ନ୍ୟାୟାଳୟରେ ମାମଲା ରୁଜୁ ହେବ ବୋଲି ବାହରଣାର ଅନେକ ସମାଜସେବୀମାନେ ଚେତାବନୀ ଦେଇଛନ୍ତି ।