ଯୁବ ସଂଗଠକଙ୍କ ହୃଦ୍ଘାତରେ ପରଲୋକ
ସାଲେପୁର : ସାଲେପୁର ବ୍ଲକ୍ ରୋଧପୁର ଗ୍ରାମର ଯୁବକ ସରୋଜ ପରିଜାଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି । ସରୋଜ ପରିଜା ହୃଦ୍ରୋଗରେ ଆକ୍ରାନ୍ତ ହୋଇ ଅପରେସନ୍ ପରେ ଘରେ ଥିବାବେଳେ ହଠାତ୍ କାଲି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଆଜି ତାଙ୍କର ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସରୋଜ କୁମାର ନାମରେ ସାଲେପୁର ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ । ସେ ଜଣେ ପରୋପକାରୀ, ସ୍ୱେଚ୍ଛାସେବୀ ଓ ସଂଗଠନ ପ୍ରେମୀ ଯୁବକ ଥିଲେ । ତାଙ୍କର ବିୟୋଗରେ ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଯୁବସଂଗଠକ ରଶ୍ମିରଂଜନ ପରିଜା, ରଘୁପତି ରାଉତ, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ହୃଷିକେଶ ମଲ୍ଲିକ, ବିଜୟଲକ୍ଷ୍ମୀ ଦାଶ, ବଦ୍ରିନାରାୟଣ ସିଂହ, ସାମ୍ବାଦିକ ଅମୀୟ ବିଶ୍ୱାଳ, କାଶିନାଥ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।