ଚୋରି ଅଭିଯୋଗରେ ୩ ଗିରଫ, ୭ ବାଇକ ଜବତ

 କଟକ : ବାଇକ ଚୋରି ଅଭିଯୋଗରେ ପୁରୀଘାଟ ଥାନା ପୋଲିସ ୩ ପେଶାଦାର ଲୁଟେରା ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡାମହାଣ ଗ୍ରାମର ଚନ୍ଦନ ବେହେରା (୨୫), ପୁରୀଘାଟ ଥାନା ଅନ୍ତର୍ଗତ ଗୋପାଳଜୀଉ ଲେନର ମହାଦେବ ନାୟକ (୩୦) ଓ ବାରଙ୍ଗ ଥାନା ଅନ୍ତର୍ଗତ ପଟାପୁର ଗ୍ରାମର ଶିବାନୀ ଓରଫ ଶିବ ଜେନା (୨୯) । ସେମାନଙ୍କଠାରୁ ପୋଲିସ ୭ଟି ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । 
ସୂଚନା ମୁତାବକ, ପୁରୀଘାଟ ଥାନାରେ ବାଇକ ଚୋରୀକୁ ନେଇ ଅଭିଯୋଗ ହୋଇଥିଲା  । ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଛାନବିନ ଆରମ୍ବ କରିଥିଲା  । ପ୍ରଥମେ ପୁଲିସ ଅଭିଯୁକ୍ତ ଚନ୍ଦନ ବେହେରାକୁ ଧରିବାରେ ସକ୍ଷମ ହୋଇଥିଲା । ଚନ୍ଦନଠାରୁ ଚୋରି ହୋଇଥିବା ମଟର ସାଇକେଲ ଉଦ୍ଧାର କରିବା ସହିତ ପଚରା ଉଚୁରା ପରେ ଆଉ ୨ଟି ଚୋରି ମଟର ସାଇକେଲ ମଧ୍ୟ ଉଦ୍ଧାର କରିଥିଲା । ଏହାପରେ ପୁଲିସ ଅଭିଯୁକ୍ତ ଚନ୍ଦନ ଠାରୁ ସୁରାଗ ପାଇ ଅନ୍ୟ ଜଣେ ଅଭିଯୁକ୍ତ ମହାଦେବ ନାୟକକୁ ଧରିବାରେ ସକ୍ଷମ ହୋଇଥିଲା । ତାହାଠାରୁ ୩ଟି ମୋଟର ସାଇକେଲ ଜବତ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଅଭିଯୁକ୍ତ ଚନ୍ଦନ ଠାରୁ ସୁରାଗ ପାଇ ତୃତୀୟ ଅଭିଯୁକ୍ତ ଶିବ ଜେନାକୁ ଧରିଥିଲା । ତାଠାରୁ ପୋଲିସ ୧ଟି ମଟର ସାଇକେଲ ଜବତ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁରୀଘାଟ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।