ରାସ୍ତା କଡ଼ରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ
ବେଗୁନିଆ : ବୋଲଗଡ଼ ବ୍ଲକ୍ ଗୋପାଳପୁର ପଞ୍ଚାୟତ ବୁଶ୍ୱନାଥପୁରରେ ବିନା ଫଳକରେ ରାସ୍ତା ଉପରେ ବେଆଇନ ଗୃହ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ଏହି ସ୍ଥାନଟି ଗୋଚର କିସମ, ପ୍ଲଟ ନମ୍ବର -୨୧୧ , ଖାତା ନମ୍ବର ୧୪୩ ଥିବା ବେଳେ ଏହି ସ୍ଥାନଟି ଚାରିଛକ ଓ ବେଗୁନିଆ ମୁଖ୍ୟ ରାସ୍ତାର ବିଶ୍ୱନାଥପୁର ଠାରୁ ଗଡ଼ମାଣିତ୍ରି ଆଡ଼କୁ ଯାଇଛି । ନିକଟରେ ମା ରାମଚଣ୍ଡୀ ମନ୍ଦିର ଥିବାରୁ ସଂଖ୍ୟାଧିକ ଯାନବାହାନ ଏହି ରାସ୍ତା ଦେଇ ଚଳପ୍ରଚଳ ହୋଇଥାଏ । ସ୍ଥାନଟି ତିନି କୋଣିଆ ଛକ ହୋଇଥିବାରୁ ଗାଁର କିଛି ବୁଦ୍ଧିଜୀବୀ ଏହି ବେଆଇନ ନିର୍ମାଣକୁ ବିରୋଧ କରି ବୋଲଗଡ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ କମୁ୍ୟନିଟି ଗୃହ ନିର୍ମାଣ ପାଇଁ ଗାଁରେ ଅନେକ ଉପଯୁକ୍ତ ସ୍ଥାନ ଅଛି । ରାସ୍ତା ଉପରେ ତଥା ଗୋଚରସ୍ଥାନରେ ଏଭଳି ବିନା ଫଳକରେ ବେଆଇନ ନିର୍ମାଣ ଆଦୌ ଠିକ୍ ନୁହେଁ । ପୂର୍ବ ସମୟରେ ବର୍ତ୍ତମାନର ଭାରୀ ଯାନ ଭଳି ଯାନ ବାହନ ନ ଥିଲା, ବିଦୁ୍ୟତ ନ ଥିଲା, ଭଲ ରାସ୍ତା ନ ଥିଲା, ଏବେ କିନ୍ତୁ ସବୁ ପରିବର୍ତ୍ତନ ହେଇଛି । ପୂର୍ବରୁ ଥିବା ତ୍ରିନାଥ ମନ୍ଦିରକୁ ମଧ୍ୟ ରାସ୍ତା ଉପରେ ରଖିବା ଠିକ୍ ନୁହେଁ । କେତେବେଳେ କେଉଁ ସରକାର ଆସିବ, ରାସ୍ତା ଚଉଡ଼ା କରିବାକୁ ଯାଇ ମନ୍ଦିରକୁ ପୁଣି ଭାଙ୍ଗିଦେବେ । ଯେହେତୁ ଉକ୍ତ ମନ୍ଦିରର ନିଜସ୍ୱ ସ୍ଥାନର ରେକର୍ଡ କିଛି ନାହିଁ । ଏରୁ ସୁରକ୍ଷିତ ସ୍ଥାନରେ ତ୍ରିନାଥ ଦେବଙ୍କ ମନ୍ଦିର ସମେତ କମୁ୍ୟନିଟି ହଲ୍ ନିର୍ମାଣ କରାଗଲେ ଏହା ଦୀର୍ଘସ୍ଥାୟୀ ହୋଇପାରିବ । ଏଣୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି ।