ବଢୁଛି ଅପମିଶ୍ରିତ ବାସିଖାଦ୍ୟ ବିକ୍ରି
ସାଲେପୁର : ସାଲେପୁର ଅଞ୍ଚଳରେ ଛତୁ ଫୁଟିଲା ଭଳି ହୋଟେଲ ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଖୋଲି ଚାଲିଥିଲାବେଳେ ଅଧିକାଂଶ ସ୍ଥାନରେ ଅପମିଶ୍ରିତ ଖାଦ୍ୟ ଖାଉଟିମାନଙ୍କୁ ଦିଆଯାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ଫୁଡ୍ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ହୋଟେଲ ଓ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଖୁଲମ୍ଖୁଲା ଅପମିଶ୍ରିତ ଖାଦ୍ୟ ବିକ୍ରୟ କରୁଛନ୍ତି ।
ପ୍ରକାଶ ଯେ, ସାଲେପୁର ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅଟେ । ଏହି ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ୍ ଆଦି ରହିଅଛି । ତେଣୁ ସାଲେପୁର ଅଞ୍ଚଳକୁ ବାହାର ଅଞ୍ଚଳର ବହୁ ବ୍ୟକ୍ତି ଛାତ୍ରଛାତ୍ରୀ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ସାଲେପୁର ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଏବଂ ଜଳଖିଆ ଦୋକାନରେ ଭୋଜନ କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ସାଲେପୁରର କିଛି ହୋଟେଲରେ ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ଗ୍ରାହକମାନଙ୍କୁ ଦିଆଯାଉଛି । ବହୁ ହୋଟେଲରେ ୩/୪ଦିନର ବାସୀ ଖାଦ୍ୟକୁ ଡିପ୍ ଫ୍ରିଜରରେ ରଖି ଖାଲି ଗରମ କରି ଖାଉଟୀମାନଙ୍କୁ ଏହି ଖାଦ୍ୟ ପ୍ରଦାନ କରାଯାଉଥିବାବେଳେ ଖାଦ୍ୟ ପ୍ରସ୍ତୁତ ହେଉଥିବା ତେଲ, ମସଲା ଓ ବହୁ ଆବଶ୍ୟକୀୟ ସାମଗ୍ରୀ ଅତ୍ୟନ୍ତ ନିମ୍ନମାନର ବ୍ୟବହାର କରାଯାଉଛି । ଫଳରେ ଏହି ସବୁ ଖାଦ୍ୟ ଖାଇ ବହୁ ବ୍ୟକ୍ତି ପେଟ ରୋଗ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସାଲେପୁର ଅଞ୍ଚଳରେ କେତେକ ବ୍ୟବସାୟୀ ହୋଟେଲ କରି ନିୟମିତ ଅପମିଶ୍ରିତ ଖାଦ୍ୟ ଖାଉଟୀମାନଙ୍କୁ ଖାଇବାକୁ ଦେଉଥିଲେ ହେଁ ଖାଦ୍ୟ ନିରାପତ୍ତା ବିଭାଗ ଏ ଦିଗରେ ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଅଞ୍ଚଳରେ ନିମ୍ନମାନର ଓ ଅପମିଶ୍ରିତ ବାସୀ ଖାଦ୍ୟ ଖାଉଟୀମାନଙ୍କୁ ବିକ୍ରୟ କରୁଥିବା ପ୍ରତିଷ୍ଠାନ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।