ରାସ୍ତା ହେବ କେବେ?
ନୂଆପଡାରୁ ପରମେଶ୍ୱର ବାରିକ : ଗାଆଁରୁ ଗାଆଁ ଯୋଡିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କରିଛନ୍ତି । କିନ୍ତୁ ଆବଶ୍ୟକ ଥାଇ ମଧ୍ୟ ଅନେକ ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ । ଭଲ ରାସ୍ତା ଖଣ୍ଡେ ନଥିବାରୁ ସେହି ଗ୍ରାମ ସବୁ ଅନେକ ଅସୁବିଧା ଭୋଗ କରୁଛନ୍ତି । ଖଡ଼ିଆଳ ଭବାନୀ ପାଟଣା ରାଜ୍ୟ ରାଜପଥର ବଡ ଦୋହେଲ୍ ଛକ ।
ଏହି ଛକରୁ ନରସିଂହ ପୁର ପ୍ରାୟ ଚାରି କିଲୋମିଟର । ବର୍ଷ ବର୍ଷ ବିତି ଯାଉଥିଲେ ମଧ୍ୟ ଭଲ ରାସ୍ତା ଖଣ୍ଡେ ନାହିଁ । ନରସିଂହ ପୁର ଓ ସରଗାଦି ଗ୍ରାମବାସୀ ଅନେକ ଦିନ ଧରି ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ଏପରିକି ଗ୍ରାମ ପଞ୍ଚାୟତ ବୈଠକରେ ପ୍ରସ୍ତାବ ଗୃହୀତ ହୋଇ ସରକାରଙ୍କୁ ଦିଆ ଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନି । ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ମାନେ କଲେଜ୍ ଯାଇଥାନ୍ତି । ଏହି ରାସ୍ତା ଦେଇ ଲୋକେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇଥାନ୍ତି । ରାସ୍ତା ଅବସ୍ଥା କିନ୍ତୁ ଏତେ ଖରାପ ଯେ ଯିବା ଆସିବାରେ ବହୁତ୍ ଅସୁବିଧା ହୋଇଥାଏ । ଏଠାରେ ଏକ ପଥର କ୍ୱାରୀ ଥିବାରୁ ଭାରୀ ଯାନ ସବୁ ଚଳାଚଳ କରିଥାଏ,ଫଳରେ ରାସ୍ତା ଅବସ୍ଥା ଆହୁରି ବିପର୍ଯ୍ୟୟ ହୋଇ ପଡେ । ରାସ୍ତାରେ ମେଟାଲ ସବୁ ଦିଶୁଥିବା ବେଳେ ଲୋକେ ଗଲା ବେଳେ ଝୁଣ୍ଟି ପଡ଼ୁଛନ୍ତି । ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇପଡେ । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଗମନାଗମନ ବ୍ୟବସ୍ଥା ଠିକ୍ ନଥିଲେ ଯେ କୌଣସି ଅଞ୍ଚଳ ପଛୁଆ ପଡ଼ିଯାଏ । ଏଣୁ ସରକାର ସବୁବେଳେ ଉନ୍ନତ ମାନର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥାନ୍ତି । କିନ୍ତୁ ବଡ ଦୋହେଲ - ନରସିଂହ ପୁର ରାସ୍ତା ନିର୍ମାଣ ପାଇଁ ଅନେକ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନାହିଁ । ଯାହା ଦ୍ୱାରା ଲୋକେ ସମସ୍ୟା ଭୋଗୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ନୂଆପଡ଼ା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ କିବା ପଞ୍ଚାୟତ ରାଜ୍ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।