ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ପିଡି ଡିଆରଡିଏ ନରେଶ ଚନ୍ଦ୍ର ଶବରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତରୁ ଆସିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇଥିଲା । ବିଶେଷ କରି ସ୍ୱାସ୍ଥ୍ୟ, ଗମନାଗମନ, ଡ୍ରେନ୍ ନିର୍ମାଣ ଓ ଯୋଗାଯୋଗ ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣି କରାଯାଇଥିଲା । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୨୭ ଗୋଟି ଅଭିଯୋଗର ଶୁଣାଣି କରଯାଇଥିଲା । ସମସ୍ତ ଅଭିଯୋଗ ଗ୍ରହଣ ଅପପରେ ତୁରନ୍ତ ଏ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାଲକାନଗିରି ପିଏ ଆଇଟିଡିଏ, ପୋଲିସର ବରିଷ୍ଠ ଅଧିକାରୀ, ବ୍ଲକର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କାଲିମେଳା ବ୍ଲକର ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ଦେବଗଡ଼ : ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ସୁଗୁଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୪୫ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୧ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ମଧୁବାବୁ ପେନସନ, ସୁଭଦ୍ରା ଯୋଜନା, ନଳକୂପ ଖନନ, ଭୂମିହୀନ ପରିବାରକୁ ଜମି ପଟ୍ଟା ପ୍ରଦାନ, ଜମି ଚିହ୍ନଟ କରିବା ଆଦି ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ସହିତ ତଦନ୍ତ କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଶିବିରରେ ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ତିଲେଇବଣି ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର କର୍ଣ୍ଣ ମଲ୍ଲିକ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।