ସରକାରୀ ଜମି ଜବରଦଖଲକୁ ନେଇ ରାସ୍ତାରୋକ 

 ବାଲିଅନ୍ତା :  ପୂରଣପ୍ରଧାନ ପଞ୍ଚାୟତ ଅଧିନ ଶିଶିଲୋ ଛକରେ ସରକାରି ଜମିକୁ ଦୀର୍ଘବର୍ଷ ଧରି କିଛି ଲୋକ ଜବରଦଖଲ କରିବା ସହ ଶିଶିଲା ବିଦ୍ୟାଳୟର ଜମିକୁ ହାତେଇବା ଅଭିଯୋଗରେ ଆଜି ସରଦେଇପୁର-ନିମାପଡା ମୁଖ୍ୟରାସ୍ତା ଶିଶିଲୋ ଛକରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ବିଦ୍ୟାଳୟ ଉନ୍ନୟନ ପରିଷଦ କମିଟି । ପ୍ରାୟ ୧ ଘଣ୍ଟା ରାସ୍ତା ରୋକ କରିଥିବା ବେଳେ ଜରୁରୀକାଳୀନ ସେବାକୁ ଗୁରୁତ୍ୱ ଦେଇଥିଲେ  । ମାତ୍ର ସେହିବାଟ ଦେଇ ଯାଉଥିବା ଜୟଦେବ ବିଧାୟକ ବୁଝାଶୁଝା କରିଥିଲେ ମଧ୍ୟ ବିକ୍ଷୋଭକାରୀ ତାଙ୍କୁ ମଧ୍ୟ ଛାଡିନଥିଲେ । ପରେ ସେ ଅନ୍ୟଏକ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇଥିଲେ । ପରେ ତହସିଲଦାର ବିମଳଚନ୍ଦ୍ର ଲେଙ୍କା, ଅତିରିକ୍ତ ତହସିଲଦାର ଯୋଗୀନାଥ ଦାଶ, ବାଲିଅନ୍ତା ଥାନା ପୁଲିସ ମାନସ ମଲ୍କିକ, ରମାନନ୍ଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପରେ ବିଦ୍ୟାଳୟ ଜମିର ସୀମା ନିର୍ଦ୍ଧାରଣ କରାଯିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା  । ଖବରନେବାରେ ଜଣାପଡିଛି ଶିଶିଲୋ ଛକ ହାଟ ନିକଟରେ ୧୦ ରୁ ୧୫ ଜଣ ଦୋକାନୀ ଦୀର୍ଘବର୍ଷ ଧରି ସରକାରୀ ଜମି ଜବରଦଖଲ କରି ଦୋକାନ କରିଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଏହି ସରକାରୀ ଜମି ଜବରଦଖଲ କରି କିଛି ଦୋକାନୀଙ୍କୁ ଭଡାସୂତ୍ରରେ ଦେଇଛନ୍ତି । ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ସରଦେଇପୁର-ନିମାପଡା ରାସ୍ତା ଚାରିଥାକିଆ ହେଉଥିବା ବେଳେ ଆବଶ୍ୟକ ସ୍ଥଳେ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ଉଛେଦ ହେଉଛି । ତଦନୁଯାୟୀ ରାସ୍ତା ନିର୍ମାଣ ସମୟରେ ସେମାନଙ୍କ ଦୋକାନର ଏକ ତୃତୀୟାଂଶ ଉଛେଦ କରାଯାଇଛି । ସେଥିରେ ସେମାନଙ୍କ ବ୍ୟବସାୟ କରିବା ନିମନ୍ତେ ଅସୁବିଧା ହେବାରୁ କିଛି ବ୍ୟବସାୟୀ ତାଙ୍କ ପଛ ପାର୍ଶ୍ୱକୁ ଦୋକାନ ଘର ନିର୍ମାଣ କରିବାପାଇଁ ପ୍ରସ୍ତୁତ ହେଉଥିଲେ କ୍ଷ ମାତ୍ର ପଛପାର୍ଶ୍ୱ ଜମି ଶିଶିଲୋ ପଞ୍ଚାୟତ ବିଦ୍ୟାଳୟ ନାଁରେ ଥିବା ବେଳେ ବିଦ୍ୟାଳୟ ଏହାକୁ ବିରୋଦ୍ଧ କରିଥିଲେ । ଏପରିକି ବିଦ୍ୟାଳୟ ଉନ୍ନୟନ ପରିଷଦ କମିଟି ଓ ଗ୍ରାମବାସୀ ସ୍ଥାନୀୟ ତହସିଲ ପ୍ରଶାସନଙ୍କୁ ଅବଗତ କରିଥିଲେ । ମାତ୍ର ସେଥିରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଆଜି ସେମାନେ ରାସ୍ତାରୋକ କରିଥିଲେ ।