ରାହୁଲ ଓ ଇଣ୍ଡି ମେଣ୍ଟ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ : ଅନୁପ୍ରବେଶକାରୀଙ୍କୁ ଭୋଟର କରି ଫାଇଦା ନେବାକୁ ଚାହୁଁଛି କଂଗ୍ରେସ : ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର : କଂଗ୍ରେସ ଦଳ ଓ ଏହାର ସହଯୋଗୀମାନେ କେବଳ ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ । ଅନୁପ୍ରବେଶକାରୀଙ୍କୁ ଭୋଟର୍ କରି ସେମାନେ ନିଜର ରାଜନୈତିକ ରୁଟି ସେକିବାକୁ ଚାହୁଁଛନ୍ତି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି, କଂଗ୍ରେସ ଏବଂ ଇଣ୍ଡି ଗଠବନ୍ଧନ ଉପରେ କଠୋର ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ସମ୍ବିଧାନର ଦ୍ୱାହି ଦିଅନ୍ତି, ସେମାନେ ଆଜି ସମ୍ବିଧାନର ମୂଳ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଦଳ ନିର୍ବାଚନ କମିଶନ ଭଳି ଏକ ନିରପେକ୍ଷ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣି ଦେଶରେ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି । ସ୍ୱତନ୍ତ୍ର ସଂଶୋଧିତ ଭୋଟର ତାଲିକା (ଏସଆଇଆର) ଭଳି ନିୟମିତ ପ୍ରକ୍ରିୟାକୁ ରାଜନୈତିକ ଅସ୍ତ୍ର କରି ଏହି ଲୋକମାନେ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ତେବେ ପରିବାର କ୍ଷମତାଚୁ୍ୟତ ହେବା ବାସ୍ତବରେ ସେମାନଙ୍କୁ ଅଧିକ କଷ୍ଟ ଦେଇଛି । ଇଣ୍ଡି ମେଣ୍ଟର ଲୋକମାନେ ବିଶେଷ ଭାବରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧି ସବୁବେଳେ ସମ୍ବିଧାନର ଦ୍ୱାହି ଦେଇ ସମ୍ବିଧାନ ବିରୋଧୀ କାମ କରୁଛନ୍ତି । କଂଗ୍ରେସ ପାର୍ଟି ଦିଶାହୀନ ହେବା ରାହୁଲଙ୍କ ପାଇଁ ଦ୍ୱନ୍ଦ୍ୱର କାରଣ ହୋଇଛି । ସେ କହିଛନ୍ତି, ସ୍ୱତନ୍ତ୍ର ସଂଶୋଧିତ ଭୋଟର ତାଲିକା ପ୍ରଥମ ଥର ପାଇଁ ନୁହେଁ ବରଂ ସବୁ ରାଜ୍ୟରେ ଜାତୀୟ ସ୍ତରରେ ନିର୍ବାଚନ କମିଶନଙ୍କ ଏକ ନିୟମିତ ପ୍ରକ୍ରିୟା । ସ୍ୱାଧୀନତା ପରେ ଭୋଟର ତାଲିକାକୁ ସଂଶୋଧିତ ଏବଂ ବ୍ୟବସ୍ଥିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଏକ ସ୍ୱତନ୍ତ୍ର ଏବଂ ନିରନ୍ତର ପ୍ରକ୍ରିୟା ରହିଛି । କଂଗ୍ରେସ ଦଳ ପ୍ରଥମେ ଇଭିଏମ ଉପରେ ମିଛ ଅଭିଯୋଗ ଆଣିବା ସହ ସମୟ ସମୟରେ ମହାରାଷ୍ଟ୍ର, ହରିୟାଣାର ପ୍ରସଙ୍ଗ ଉଠାଇ ଦେଶବାସୀଙ୍କ ସାମ୍ନାରେ ମିଛର ପାହାଡ ତିଆରି କରେ । ବିଶେଷ ଭାବରେ ୨୦୧୪, ୨୦୧୯ ଏବଂ ୨୦୨୪ ରେ ଅନେକ ରାଜ୍ୟରେ ଲଗାତାର ପରାଜୟ ଯୋଗୁଁ କଂଗ୍ରେସ ଦଳ ହତାଶାବସ୍ଥାରେ ଅଛି । କଂଗ୍ରେସ ପାଖରେ ନା କୌଣସି ସ୍ପଷ୍ଟ ପ୍ରସଙ୍ଗ ଅଛି, ନା କୌଣସି ନୀତି ଅଛି । କେବଳ ଏକ ପ୍ରତିକ୍ରିୟାଶୀଳ ଶକ୍ତି ଭାବରେ ଇଚ୍ଛାନୁସାରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ତିଆରି କରୁଛନ୍ତି ।
ପ୍ରଥମେ କଂଗ୍ରେସ ଇଭିଏମକୁ ପ୍ରସଙ୍ଗ କରିଥିବା ବେଳେ ପରେ ରାଫେଲ ଉପରେ ମିଛ ଟିପ୍ପଣୀ ଦେଇଥିଲା । ତା'ପରେ ସୀମାରେ ଚୀନ୍ ସହିତ ଆମର ବିବାଦ ପ୍ରସଙ୍ଗରେ ଚୀନ୍କୁ ସମର୍ଥନ କରିଥିଲା । କଂଗ୍ରେସ ଭାରତୀୟ ସେନା ଏବଂ ଭାରତର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ, ଯେଉଁ ପ୍ରସଙ୍ଗରେ ନ୍ୟାୟପାଳିକା ମଧ୍ୟ ସ୍ୱାଧୀନ ଭାରତର କୌଣସି ରାଜନୈତିକ ବ୍ୟକ୍ତିତ୍ୱ ଉପରେ ଏତେ କଠୋର ମନ୍ତବ୍ୟ ଦେବାକୁ ବାଧ୍ୟ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳ ଏବଂ ତାଙ୍କର ନେତା ରାହୁଲ ଗାନ୍ଧି ଆଜି ବୈଚାରିକ ଦିଶାହୀନ ହୋଇଯାଇଛନ୍ତି । ଦେଶରେ ଅସ୍ଥିରତା ତିଆରି କରିବା ପାଇଁ ସେମାନଙ୍କର ସୁଚିନ୍ତିତ ରଣନୀତିର ଏକ ଅଂଶ ହେଉଛି ଅରାଜକତା ଏବଂ ଅହଂକାରର ସମିଶ୍ରଣ । ସେମାନଙ୍କର ସ୍ପଷ୍ଟ ନୀତି ହେଉଛି ଯେ ଯଦି ସେମାନେ ନିର୍ବାଚନ ଜିତିଯାଆନ୍ତି, ତେବେ ସବୁକିଛି ଠିକ୍ ଅଛି, କିନ୍ତୁ ଯେତେବେଳେ ସେମାନେ ହାରିଯାଆନ୍ତି, ସେତେବେଳେ ବ୍ୟବସ୍ଥାର ତ୍ରୁଟି ଉପରେ ଦୋଷ ଲଦନ୍ତି । ଗତ ଦୁଇ-ତିନି ଦିନ ମଧ୍ୟରେ ହୋଇଥିବା ବିତର୍କ ଏବଂ ବିବାଦ ପାଇଁ ଭାରତୀୟ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଯେତେବେଳେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ଏବଂ ନିରପେକ୍ଷ ସଂସ୍ଥା ଭାବରେ ସେମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରନ୍ତି, ସେତେବେଳେ ସେମାନେ ସେହି ନିର୍ବାଚନ ଆୟୋଗଙ୍କୁ ନଷ୍ଟ କରିବା ଦେବା ଭଳି ମନ୍ତବ୍ୟ ଦିଅନ୍ତି । କଂଗ୍ରେସ ଭାରତ ବିରୋଧୀ ଦେଶର ଭାଷା ବ୍ୟବହାର କରୁଛି । ରାଜନୀତି ପ୍ରସଙ୍ଗ ଆଧାରିତ ହେବା ଉଚିତ । କଂଗ୍ରେସ ସମେତ ବିରୋଧୀ ଦଳ ସଂସଦରେ ‘ଅପରେସନ୍ ସିନ୍ଦୂର' ଉପରେ ଆଲୋଚନା ପୂର୍ବରୁ ବହୁତ ହଙ୍ଗାମା କରିଥିଲେ, କିନ୍ତୁ ଯେତେବେଳେ ସଂସଦରେ ଏହା ଉପରେ ବିତର୍କ ହେଲା, ସେତେବେଳେ ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିଲା । ଏହି ଲୋକମାନେ କେବଳ ପ୍ରତିବାଦ କରିବାକୁ ଚାହୁଁନାହାଁନ୍ତି ବରଂ ଦେଶରେ ଅରାଜକତା ତିଆରି କରିବାକୁ ଚାହୁଁଛନ୍ତି ।