ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଏହା ପୂର୍ବ ଭଳି ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମନିଟାରି ପଲିସି କମିଟି (ଏମପିସି)ର ତିନି ଦିନିଆ ବୈଠକ ପରେ ଆଜି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ଗତ ଏମପିସି ବୈଠକରେ ରେପୋ ହାର ୫୦ବେସିସ୍ ପଏଣ୍ଟ (ବିପିଏସ୍) ହ୍ରାସ କରାଯାଇଥିଲା । ଫେବ୍ରୁଆରି ଏବଂ ଏପ୍ରିଲରେ ମଧ୍ୟ ଆରବିଆଇ ରେପୋ ହାର ୨୫-୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ । ଯେତେବେଳେ ରେପୋ ହାର କମ୍ ଥାଏ, ବ୍ୟାଙ୍କଗୁଡ଼ିକ ପାଇଁ ଋଣ ନେବା ଶସ୍ତା ହୋଇଯାଏ ଏବଂ ସେମାନେ ଗ୍ରାହକମାନଙ୍କୁ କମ ସୁଧ ହାରରେ ଋଣ ଦେଇପାରନ୍ତି । ଅଗଷ୍ଟ ମାସ ବିବୃତ୍ତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଏହାର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ୬.୫% ରେ ବଜାୟ ରଖିବ । କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ମୂଳ ମୁଦ୍ରାସ୍ଫୀତି ଆଶା ଅନୁଯାୟୀ ୪% ରେ ସ୍ଥିର ରହିଛି ।