ରେଳ ୱାଗନ୍ରେ ପାଲଭିଡ଼ାକୁ ନେଇ ଦାବିପତ୍ର ; ଡିସେମ୍ବର ୧ରେ କୋଇଲା ପରିବନ ବନ୍ଦ ଚେତାବନୀ
ତାଳଚେର,୨୬ା୯ : ତାଳଚେର ଏକ ପ୍ରଦ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଖଣିରୁ ଟ୍ରକ ଓ ରେଳଯୋଗେ କୋଇଲା ପରିବହନ ହେଉଥିବାରୁ ଦିନକୁ ଦିନ ଏବେ ଏହା ଆନ୍ଦୋଳନର ରୂପଧାରଣ କରୁଛି । ଏହାକୁ ନେଇ ମହାନଦୀ ଠିକା କୋଇଲା ଶ୍ରମିକ ସଂଗଠନ କଂଗ୍ରେସ୍୍ ପକ୍ଷରୁ ତାଳଚେର ନୋଡ଼ାଲ ମହାପ୍ରବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ତାଳଚେରରେ ରହିଥିବା ସମସ୍ତ କୋଇଲା ଖଣି ଗୁଡ଼ିକରୁ ରେଳଯୋଗେ କୋଇଲା ପରିବହନ ହେଉଛି, ମାତ୍ର ରେଳରେ ପାଲଭିଡ଼ା ଯାଉନଥିବାରୁ ଅଞ୍ଚଳରେ ଦିନକୁ ଦିନ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି ପାଉଛି । ଏହି ପ୍ରଦ୍ୟୁଷଣକୁ ରୋକିବା ଦିଗରେ ପାଲଭିଡ଼ା ଯିବା ଆବଶ୍ୟକତା ରହିଛି । ତାଳଚେରରୁ ଟ୍ରେନ ଯୋଗେ ଦୈନିକ ୫୦ରୁ ୫୫ଟ୍ରେନ ଯୋଗେ କୋଇଲା ପରିବହନ ହେଉଛି । ଯଦି ଏହି ରେଳଡ଼ବା ଗୁଡ଼ିକରେ ପାଲ ଭିଡ଼ା ହୁଅନ୍ତା ତେବେ ପ୍ରଦ୍ୟୁଷଣ ରୋକିବା ସହ ପାଖାପାଖି ଦୁଇହଜାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିପାରିବ। ଏହାକୁ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାନଦୀ କୋଇଲା ଠିକାଶ୍ରମିକ ସଂଗଠନ ପକ୍ଷରୁ ତାଳଚେର ଜଗନ୍ନାଥ କୋଇଲା ଖଣି ମହାପ୍ରବନ୍ଧକ ତଥା ଏମସିଏଲ ତାଳଚେର ନୋଡ଼ାଲ ଜିଏମଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶଥାଉକି, ତାଳଚେର କୋଇଲା ଖଣି ଠିକାଶ୍ରମିକ ସଂଗଠନ ପକ୍ଷରୁ ୨୦୧୭-୧୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଳଚେର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦ୍ୟୁଷଣ ରୋକିବା ପାଇଁ କୋଇଲା ପରିବହନ କରୁଥିବା ରେଳଡ଼ବା ଗୁଡ଼ିକରେ ପାଲଭିଡ଼ିବାକୁ ଜିଲ୍ଲା ପ୍ରଶାସନ, ଏମସିଏଲ ଓ ରେଳବିଭାଗକୁ ବାରମ୍ବାର ଅବଗତ କରାଇଥିଲା । ଏହି ପ୍ରସଙ୍ଗକୁ ନେଇ ଗତ ୨୦୨୧ ମସିହାରେ ଶାନ୍ତିପୂର୍ଣ୍ଣ ଭାବେ ସଂଘ ପକ୍ଷରୁ ଗଣମାଧାରଣା ଦିଆଯାଇଥିଲା । ରେଳୱାଗନ ଗୁଡ଼ିକ କୋଇଲା ପରିବହନ ବେଳେ ପାଲଭିଡ଼ି ଯାତାୟତ କରିବାକୁ କେନ୍ଦ୍ର ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଗେଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି । ତେବେ ତାଳଚେର ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଞ୍ଚଳକୁ ରେଳୱାଗନରେ ମାଲ୍ ପରିବହନ ବେଳେ ପାଲଭିଡ଼ା ଯାଉଥିବା ଦେଖିବାକୁ ମିଳିଛି ବୋଲି ସଂଗଠନ ପ୍ରକାଶ କରିଛି । ବରିଷ୍ଠ ନାଗରିକ, ଶ୍ରମିକ ସଂଗଠନ, ରାଜନୈତିକ ସଂଗଠନ ଓ ପରିବେଶବିତ୍ମାନେ ଏ ବିଷୟରେ ଏମସିଏଲ ଅଧିକାରୀ, ରେଳବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ପଦକ୍ଷେପ ଶୂନ ବୋଲି କୋଇଲା ଠିକାଶ୍ରମିକ ସଂଗଠନ ପକ୍ଷରୁ କୁହାଯାଉଛି । ଆଗାମୀ ଦିନରେ ଏ ନେଇ ଜନ ଆନ୍ଦୋଳନ ଆରମ୍ଭ ହେବାକୁ ଯାଉଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଏହାକୁ ନେଇ ଆସନ୍ତା ଡ଼ିସେମ୍ବର୧ତାରିଖ ପୂର୍ବରୁ ଟ୍ରେନରେ କୋଇଲା ପରିବହନ ବେଳେ ପାଲଭିଡ଼ା ନ ଗଲେ, ପରିବହନକୁ ବନ୍ଦ କରାଯିବ ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ୍ ସଭାପତି ରାଜକିଶୋର ସାହୁ ଚେତାବନୀ ଦେଇଛନ୍ତି ।