ଲାଗିଲା ଟ୍ରମ୍ପ୍ଙ୍କ ୫୦ ପ୍ରତିଶତ ଶୁଳ୍କ

ନୂଆଦିଲ୍ଲୀ : ଆମେରିକା ଭାରତୀୟ ରପ୍ତାନୀ ଉପରେ ଲାଗୁ କରିଥିବା ୫୦ ପ୍ରତିଶତ ଶୁଳ୍କ ଆଜିଠୁ ଲାଗୁ ହୋଇଛି । ଆମେରିକାକୁ ଭାରତର ଦୁଇ ତୃତୀୟାଂଶ ରପ୍ତାନୀ ଯାହାର ବାର୍ଷିକ ମୂଲ୍ୟ ପାଖାପାଖି ୬୦ ବିଲିୟନ ଡଲାରରୁ ଅଧିକ ଏବେ ଶୁଳ୍କ ପରିସର ଭୁକ୍ତ ହୋଇଛି । ଏହା ଚଳିତମାସ ପ୍ରାରମ୍ଭରେ ଅଧିସୂଚିତ ୨୫% ହାରର ଦୁଇ ଗୁଣା । ଆମେରିକା ରାଷ୍ଟ୍ରପତିଙ୍କ ଅନୁସାରେ ଭାରତ ଲଗାତାର ଋଷିଆରୁ ଅଶୋଧିତ ତୈଳ ଓ ପ୍ରତିରକ୍ଷା ଉପକରଣ କ୍ରୟ କରୁଥିବାରୁ ଲାଗୁ ହୋଇଛି । ତେବେ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ନୂଆ ଶୁଳ୍କ କାରଣରୁ ଆମେରିକାକୁ ରପ୍ତାନୀ ଏବେ ବ୍ୟବସାୟୀକଦ୍ଭ ରୂପେ ଅବ୍ୟବହାରିକ ହୋଇପାରେ । ଏଣୁ ଚାକିରୀ ହ୍ରାସ ପାଇବା ସହ ଆର୍ଥିକ ବିକାଶ ମାନ୍ଦା ହେବ । ଏହି ଶୁଳ୍କ ଲାଗିବା ଦ୍ୱାରା ଜିଟିଆରଆଇ ପରାମର୍ଶ ଅନୁସାରେ କପଡ଼ା, ରତ୍ନ ଓ ଆଭୂଷଣ, ଚମଡ଼ା ଉତ୍ପାଦ, ସାମୁଦ୍ରିକ ଖାଦ୍ୟ ଓ ଅଟୋମୋବାଇଲ ଭଳି ଶ୍ରମ ପ୍ରଧାନ କ୍ଷେତ୍ର ସବୁଠୁ ଅଧିକ ପ୍ରଭାବିତ ହେବ । ଥିଙ୍କଟ୍ୟାଙ୍କ ସଂସ୍ଥାପକ ଅଜୟ ଶ୍ରୀବାସ୍ତବ ଚେତାବନୀ ଦେଇଛନ୍ତି ଯେ ପ୍ରଭାବିତ କ୍ଷେତ୍ରରେ ରପ୍ତାନୀ ପାଖାପାଖି ୭୦% ପର୍ଯ୍ୟନ୍ତ ହ୍ରାସ ହୋଇପାରେ, ଯାହା ୬୦.୨ ବିଲିୟନ ଡଲାରରୁ ହ୍ରାସ ହୋଇ ୧୮.୬ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ ।
- ସାମୁଦ୍ରିକ ଖାଦ୍ୟ, କପଡା, ଜେମ୍ସ ଓ ଅଳଙ୍କାର ରପ୍ତାନୀ ଅଧିକ ପ୍ରଭାବିତ
- ବିକଳ୍ପ ବଜାର ସନ୍ଧାନରେ ଭାରତ
ଏହା ଛଡା ଆମେରିକାକୁ ହେଉଥିବା ମୋଟ ରପ୍ତାନୀ ପାଖାପାଖି ୪୩% ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଏଣୁ ଭାରତର ରପ୍ତାନୀ କେନ୍ଦ୍ରମାନଙ୍କରେ ହଜାର ହଜାର ନିଯୁକ୍ତି ପ୍ରତି ବିପଦ ଉପୁଜିପାରେ । ତେବେ ଏହାର ମୁକାବିଲା ପାଇଁ ଭାରତ ବିକଳ୍ପ ବଜାର ସନ୍ଧାନରେ ରହିଛି । ପ୍ରସାର ବୃଦ୍ଧି ଓ ବୟନ, ମଣି ଏବଂ ଅଳଙ୍କାର ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଧ୍ୟାନ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ଅଧିକ ଶୁଳ୍କର ମୁକାବିଲା କରିବା ପାଇଁ ସରକାର ବୟନ କ୍ଷେତ୍ରରେ ଏକ ବିଶ୍ୱବ୍ୟାପୀ ପ୍ରୋତ୍ସାହନ ଯୋଜନା କରୁଛନ୍ତି । ଯାହାର ଲକ୍ଷ୍ୟ ୨୦୦ ରୁ ଅଧିକ ଦେଶକୁ ଭାରତର ରପ୍ତାନୀ ଅଂଶ ବୃଦ୍ଧି କରିବା । ଏହା ୪୦ ଟି ଦେଶରେ ସମର୍ପିତ ପ୍ରସାର କାର୍ଯ୍ୟକ୍ରମ ଆରମ୍ଭ କରିବ । ଏହି ତାଲିକାରେ ୟୁକେ, ଜାପାନ, ଦକ୍ଷିଣ କୋରିଆ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ୍ ଓ ନେଦରଲ୍ୟାଣ୍ଡ ଭଳି ପ୍ରମୁଖ ଅର୍ଥନୀତି ଅନ୍ତର୍ଭୁକ୍ତ । ମେକ୍ସିକୋ, ପୋଲାଣ୍ଡ, ରୁଷ ଓ ତୁର୍କୀ ଭଳି ଉଦୀୟମାନ ବଜାର ମଧ୍ୟ ଏହି ଯୋଜନାର ଅଂଶ । ଅନ୍ୟାନ୍ୟ ଦେଶଗୁଡ଼ିକ ମଧ୍ୟରେ ବେଲଜିୟମ, କାନାଡା, ସଂଯୁକ୍ତ ଆରବ ଏମିରେଟ୍ସ ଓ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ।