ଲାଲକିଲ୍ଲାରେ ବିସ୍ଫୋରଣ : ୮ ମୃତ
- ସାରା ଦେଶରେ ହାଇଆଲର୍ଟ
- ଆଇ-ଟ୍ୱେଣ୍ଟିରେ ଆସିଥିଲେ ସନ୍ଦିଗ୍ଧ
- ଏନଆଇଏର ତନାଘନା
- ଜଳିଗଲା ୬ କାର, ୩ ଅଟୋ
- ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
- ସ୍ଥିତି ଅନୁଧ୍ୟାନ କଲେ ଅମିତ ଶାହ
- ଡିଜିଙ୍କ ସହ କଥାହେଲେ ମୋହନ
ନୂଆଦିଲ୍ଲୀ : ସମୟ ପ୍ରାୟ ରାତି ୬ଟା ୫୫ । ହଠାତ୍ ଲାଲକିଲା ମେଟ୍ରୋ ଷ୍ଟେସନ ନିକଟରେ ହେଲା ପ୍ରଚଣ୍ଡ ବିସ୍ଫୋରଣ । ରାସ୍ତାରେ ପାର୍କିଂ ହୋଇଥିବା ଏକ ହ୍ୟୁଣ୍ଡାଇ କାର୍ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଏହାପରେ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା । ୬ କାର, ଦୁଇଟି ଅଟୋ ଇ-ରିକ୍କା ଓ ଗୋଟିଏ ଅଟୋ ରିକ୍ସା ଜଳିଯାଇଥିଲା । ଆଉ ଆଖପାଖରେ ଥିବା ଲୋକଙ୍କ ମଧ୍ୟରୁ ସେଠାରେ ୮ ଜଣ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।
ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ରେ ଏହି ବିସ୍ଫୋରଣ ହୋଇଥିଲା । ଗୁରୁତର ୮ ଜଣଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସପିଟାଲକୁ ନେବାବେଳେ ବାଟରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ବିସ୍ଫୋରଣ ପରେପରେ ତୁରନ୍ତ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥିଲା । ପରେ ପରେ ମୁମ୍ବାଇ ଓ ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଥିଲା । ଗୁଇନ୍ଦା ବିଭାଗ ପକ୍ଷରୁ ସାରା ଦେଶର ଡିଜିଙ୍କୁ ସତର୍କ ସୂଚନା ପଠାଯିବା ସହ ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି । ବିସ୍ଫୋରଣ ସ୍ଥଳରେ ତୁରନ୍ତ ଡଜନେରୁ ଉଦ୍ଧ୍ୱର୍ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୁରନ୍ତ ଦିଲ୍ଲୀ ସିପିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ସ୍ଥିତି ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୬ଟା ୫୨ରେ ଆସ୍ତେ ଆସ୍ତେ ଆସୁଥିବା ଏକ ହ୍ୟୁଣ୍ଡାଇ ଆଇ ଟ୍ୱେଣ୍ଟି କାର୍ ରେଡ଼ ଲାଇଟ ନିକଟରେ ଅଟକି ଥିଲା । ହଠାତ ତାହା ବିସ୍ଫୋରଣ ହେବାରୁ ଆଖପାଖ ଗାଡ଼ିଗୁଡ଼ିକରେ ବି ନିଆଁ ଲାଗି ଯାଇଥିଲା । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଏଫଏସଏଲ, ଏନଆଇଏ ଟିମ୍ ପହଁଚି ତନାଘନା ଆରମ୍ଭ କରିଦେଇଥିଲେ । ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ହେବାପରେ ଉତ୍ତରପ୍ରଦେଶରେ ରେଡ଼ ଆଲର୍ଟ ଜାରି କରାଯାଇଥିଲା । ବିସ୍ଫୋରଣ ହୋଇଥିବା ଗାଡ଼ିରେ ହରିୟାଣା ରେଜିଷ୍ଟ୍ରେସନ ନମ୍ବର ରହିଛି । ଦିଲ୍ଲୀ ପୁଲିସ ଏନେଇ ହରିୟାଣା ପୁଲିସ ସହ ଆଲୋଚନା କରିଥିବାବେଳେ କାର ମାଲିକଙ୍କୁ ଚିହ୍ନଟ କରାଯାଇଛି । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ପାଇଁ ହରିୟାଣା ଯାଇଛି । ଉକ୍ତ କାରରେ ୩ ଜଣ ବ୍ୟକ୍ତି ଥିବାବେଳେ କାରର ପ୍ରଚଣ୍ଡ ବିସ୍ଫୋରଣରେ ଷ୍ଟ୍ରିଟ ଲାଇଟ୍ ବି ଦୋହଲି ଯାଇଥିଲା ।