୨୭ରୁ ଶୀତ ଅଧିବେଶନ : ସମ୍ବୋଧିତ କରିବେ ରାଷ୍ଟ୍ରପତି
- ଇତିହାସ ରଚିବ ଓଡ଼ିଶା ବିଧାନସଭା
- ୨୮ରେ ଅତିରିକ୍ତ ବଜେଟ୍
- ଡିସେମ୍ବର ୮ରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍
- ଡିସେମ୍ବର ୩୧ ଯାଏଁ ଚାଲିବା ନେଇ କାର୍ଯ୍ୟସୂଚୀ
ଭୁବନେଶ୍ୱର : ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଥିବାରୁ ଶୀତ ଅଧିବେଶନ ଐତିହାସିକ ମୁହୂର୍ତ୍ତର ମୂକସାକ୍ଷୀ ହେବ । ଦୀର୍ଘ ଅବଧିର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ ବୋଲି କାର୍ଯ୍ୟସୂଚୀ ରହିଛି ।
ଅପରପକ୍ଷରେ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରିବେ । ଡିସେମ୍ବର ୪ରୁ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହେବ । ତିନିଦିନ ଧରି ଖର୍ଚ୍ଚଦାବି ଆଲୋଚନା ହେବାପରେ ଡିସେମ୍ବର ୮ରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ନେଇ ଆଲୋଚନା ହେବା ସହ ପାରିତ ହେବାର କାର୍ଯ୍ୟସୂଚୀ ରହିଛି । ଅଧିବେଶନର କାର୍ଯ୍ୟ ଅବଧି ବେଶ୍ ଲମ୍ବା ରହିଛି । ୨୯ ଦିନ ଧରି ବିଧାନସଭା ଚାଲିବାର କାର୍ଯ୍ୟସୂଚୀ ଅଛି । ତେବେ ଡିସେମ୍ବର ୮ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବାର ଥିବାରୁ ଅନେକ ଦିନ ପୂର୍ବରୁ ବିଧାନସଭାର ଅଧିବେଶନ ସରିବାର ସମ୍ଭାବନା ରହିଛି । ବିଧାନସଭା ଇତିହାସରେ ଅତୀତରେ ଅନେକ ବାର ଏଭଳି ନଜିର ଦେଖିବାକୁ ମିଳିଛି ।
ଏହି ଶୀତ ଅଧିବେଶନ ଏକ ଐତିହାସିକ ଅଧିବେଶନ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଦେଶର ରାଷ୍ଟ୍ରପତି ସମ୍ବୋଧିତ କରିବେ । ଫଳରେ ଅଧିବେଶନ ପୂର୍ବରୁ ସମସ୍ତଙ୍କ ମନରେ ଉତ୍ସୁକତା ଭରିଯାଇଛି ।