ଶନିଶ୍ଚର ମହାପ୍ରଭୁଙ୍କୁ ନେଇ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ପୋଖରୀପୁଟ ଶ୍ରୀହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ ଡ. ପ୍ରଦୀପ କୁମାର ଚୌଧୁରୀଙ୍କ ଲିଖିତ ଓ ଜ୍ଞାନଯୁଗ ପ୍ରକାଶନ ଦ୍ୱାରା ପ୍ରକାଶିତ ‘ଶନି ମହାଗ୍ରହ ପ୍ରଭାବ ଓ ପ୍ରତିକାର’ ପୁସ୍ତକ ଏକ ଭବ୍ୟ ସମାରୋହରେ ଉନ୍ନମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ପର୍ଶୁରାମ ପଣ୍ଡା ଏହି ପୁସ୍ତକକୁ ପ୍ରଥମେ ଶ୍ରୀହନୁମାନଙ୍କ ନିକଟରେ ଅର୍ପଣ କରିଥିଲେ । ଏଥିରେ ଶ୍ରୀଶନିଶ୍ଚର ମହାଗ୍ରହଙ୍କ ସମ୍ପର୍କିତ ବୈଜ୍ଞାନିକ ତଥ୍ୟ ଓ ପୌରାଣିକ ତତ୍ତ୍ୱକୁ ପୁଙ୍ଖାନୁପୁଙ୍ଖ ଭାବରେ ଉଲ୍ଲେଖ କରାଯାଇଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ଶନିଶ୍ଚରଙ୍କୁ ନେଇ ୩୦୦ ପୃଷ୍ଠାରୁ ଊର୍ଦ୍ଧ ଏକ ତତ୍ତ୍ୱ ଓ ତଥ୍ୟଭିତ୍ତିକ ପୁସ୍ତକ କୌଣସି ଭାଷାରେ ଆଜି ପର୍ଯ୍ୟନ୍ତ ପ୍ରକାଶିତ ହେବା ଦୃଷ୍ଟିକୁ ଆସିନାହିଁ ବୋଲି ପଣ୍ଡା କହିଛନ୍ତି ।
ଏହି ଦିବ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧକାରୀ, ବିଶିଷ୍ଟ ସାହିତ୍ୟିକ ଓ କବି ରନôାକର ରାଉତ ଜୀବନରେ ଆଧ୍ୟାତ୍ମିକତାର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ଶନିଶ୍ଚର ମହାରାଜ ଆମ ଜୀବନକୁ କେତେ ଓ କିଭଳି ପ୍ରଭାବିତ କରନ୍ତି ଏବଂ ତାଙ୍କ ଦ୍ୱାରା ପ୍ରଭାବିତ ବ୍ୟକ୍ତି କେଉଁ ଆଧ୍ୟାତ୍ମିକ ଉପାୟ ଅବଲମ୍ବନ କଲେ ତାଙ୍କର କୃପାଦୃଷ୍ଟି ଲାଭ କରିପାରିବ ତାହା ନିଜ ବକ୍ତବ୍ୟରେ ଦର୍ଶାଇଥିଲେ । ଡ. ଚୌଧୁରୀ ଶ୍ରୀଶନିଶ୍ଚରଙ୍କୁ ନେଇ ଏକ ଯୁଗୋପଯୋଗୀ ତତ୍ତ୍ୱ ଓ ତଥ୍ୟଭିଭିକ ଗ୍ରନ୍ଥ ସମାଜକୁ ପ୍ରଦାନ କରିଥିବା ହେତୁ ତାଙ୍କୁ ସାଧୁବାଦ ଜଣାଇଥିଲେ । ଏଥିରେ ମୁଖ୍ୟବକ୍ତା ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ, ବାଗ୍ମୀ, ପ୍ରବଚକ ବିଜୟ ଦାଶ ଏହି ପୁସ୍ତକ ଜ୍ୟୋତିଷ ଦୃଷ୍ଟିରୁ ଏକ ଉପାଦେୟ ଗ୍ରନ୍ଥ ହେବା ସହିତ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଉପଯୋଗୀ ଏବଂ ଏଥିରେ ପ୍ରକୃତ ଉପଚାର ପ୍ରାଞ୍ଜଳ ଭାବରେ ଉପସ୍ଥାପିତ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ । ଡ. ଚୌଧୁରୀଙ୍କ ରଚିତ ଏହି ପୁସ୍ତକ ତଥ୍ୟ ଏବଂ ତତ୍ତ୍ୱ ଉପରେ ପର୍ଯ୍ୟବସିତ ବୋଲି କହି ଲେଖକ ଓ ପ୍ରକାଶକଙ୍କୁ ସେ ପ୍ରଶଂସା କରିଥିଲେ । ଲେଖକ ଡ. ଚୌଧୁରୀ କହିଥିଲେ ଯେ ଉଭୟ ବୈଜ୍ଞାନିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଶନିଶ୍ଚର ମହାଗ୍ରହ ଗ୍ରହମଣ୍ଡଳରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି ଯାହାଙ୍କର ପ୍ରଭାବରେ ସକଳ ଜଗତ ପରିଚାଳିତ । ଯାହାଙ୍କୁ ପାଥେୟ କରି ଭୌତିକ ତଥା ଆଧ୍ୟାତ୍ମିକ ଜଗତର ଜଗତର ବିକାଶର ଧାରାକୁ ନିର୍ଣ୍ଣୟ କରିହୁଏ, ଯାହାଙ୍କ ଅନୁଗ୍ରହ ହେଲେ ଜଣେ ସାଧାରଣ ବ୍ୟକ୍ତି ଅନନ୍ୟ ଦିବ୍ୟକୃପା ପ୍ରାପ୍ତ କରିଥାଏ । ଶନିଙ୍କ ଅନୁଗ୍ରହରେ ଜଣେ ସବୁକ୍ଷେତ୍ରରେ ସଫଳତା ଅର୍ଜନ କରିପାରିବ ।
ସଭାପତି ଜାତୀୟ ରାଜପଥର ପ୍ରାକ୍ତନ ପ୍ରକଳ୍ପ ନିଦେ୍ର୍ଦଶକ ଓ ବର୍ତମାନର ପୂଜ୍ୟତେ ବୈଷୟିକ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରମୋଦ କୁମାର ସାବତ ନିଜର ବକ୍ତବ୍ୟରେ କହିଛନ୍ତି ଡ. ଚୌଧୁରୀଙ୍କ ଏହି ସ୍ୱତନ୍ତ୍ର ପୁସ୍ତକ ସମସ୍ତଙ୍କ ପାଇଁ ଏକ ଉପାଦେୟ ଗ୍ରନ୍ଥ ଅଟେ । ଏହି ପୁସ୍ତକ ଜଣେ ପାଠକଲେ ଶନିମହାଗ୍ରହଙ୍କ ବିଷୟରେ ବୈଜ୍ଞାନିକ ତଥ୍ୟ, ଜ୍ୟୋତିଷ ତତ୍ତ୍ୱ, ଧର୍ମ, ଆଧ୍ୟାତ୍ମିକ ପରିଭାଷା, ଶନିଙ୍କର ସମସ୍ତ ଉପଚାର ବିଷୟରେ ଅବଗତ ହୋଇପାରିବେ । ଜ୍ଞାନଯୁଗ ପବ୍ଲିକେଶନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ତୁଷାରକାନ୍ତ ସାହୁ ଡ. ଚୌଧୁରୀଙ୍କ ଲିଖିତ ୬୦ରୁ ଊର୍ଦ୍ଧ୍ୱ ଆଧ୍ୟାତ୍ମିକ, ଜ୍ୟୋତିଷ ପୁସ୍ତକ ପ୍ରକାଶନ କରି ଜ୍ଞାନଯୁଗ ପବ୍ଲିକେଶନ ନିଜକୁ ଧନ୍ୟ ମନେ କରିଥିଲାବେଳେ ଏହି ପୁସ୍ତକ ’ଶନି ମହାଗ୍ରହ ପ୍ରଭାବ ଓ ପ୍ରତିକାର’ର ପ୍ରକୃତ ଉପାଦେୟତା ଓ ଆବଶ୍ୟକତା ନିଜେ ଗଭୀର ଭାବରେ ଅନୁଭବ କରିଥିବା କଥା କହିଥିଲେ । ଏକାମ୍ର ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପିକା ପ୍ରଭା ମଞ୍ଜରୀ ପଟ୍ଟନାୟକ ଏହି କାର୍ଯକ୍ରମର ଆଭିମୁଖ୍ୟ, ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଂଗେସଂଗେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ ।