‘ଶବରୀ ଭବନ’ ଉଦ୍ଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ ‘ଶବରୀ ସାଂସ୍କୃତିକ ଭବନ’ ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ୍ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ - ଏହା ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ । ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ୱଳ୍ପକାଳୀନ ରହଣି ସହିତ ଶିକ୍ଷା, କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ । ଆଦିବାସୀ ଭାଇ ଓ ଭଉଣୀମାନେ ଯେତେବେଳେ ଏଠାକୁ ଆସିବେ, ନିଜ ଘର ପରି ଅନୁଭବ କରିବେ । ଆପଣଙ୍କ ଶିକ୍ଷା, ଚିକିତ୍ସା, ନିଯୁକ୍ତି, ଓ ଉନ୍ନତିର ମାର୍ଗ ଏହିଠାରୁ ଆରମ୍ଭ ହେବ। ଆଦିବାସୀ ସଂସ୍କୃତି କେବଳ ନାଚ, ଗୀତରେ ସୀମାବଦ୍ଧ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ, ଏକ ଆତ୍ମା। ସେ କହିଥିଲେଯେ, ଭୁବନେଶ୍ୱରରେ ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଉଛି । ରାଜ୍ୟର ୪୦% ଜନଜାତି ଏବଂ ଅନୁସୂଚିତ ଜାତିଙ୍କ କଲ୍ୟାଣ ପାଇଁ ରେକର୍ଡ ୬୮ ହଜାର ୮୮୧ କୋଟି ତାଙ୍କର ବିଶେଷ ପ୍ରାବଧାନ କରାଯାଇଛି । ନିୟମିତ କଲ୍ୟାଣକାରୀ ଯୋଜନା ବ୍ୟତୀତ ଏହି ଟଙ୍କା କେବଳ ତାଙ୍କ ପାଇଁ ଖର୍ଚ୍ଚ ହେବ । ଏହା ହେଉଛି ଆମ ସରକାରଙ୍କ ଜନଜାତିଙ୍କ ପାଇଁ ପ୍ରତିବଦ୍ଧତା ।
- ଓଡିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ : ମୁଖ୍ୟମନ୍ତ୍ରୀ
- ୨ କୋଟି ଟଙ୍କାର ଅନୁଦାନ ଘୋଷଣା
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛୁ । ରାଜ୍ୟର ୨୪% ଜନଜାତି ଏହି ଲକ୍ଷ୍ୟ ପୂରଣରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ରାଜ୍ୟର ଡବଲ ଇଞ୍ଜିନ ସରକାର ଏକ ବର୍ଷର ସଫଳ ଯାତ୍ରା ପୂରଣ କରି ସେହି କାର୍ଯ୍ୟକୁ ନୂତନ ବିଶ୍ୱାସ ନୂତନ ଶକ୍ତି ସହିତ ଜାରି ରଖିଛନ୍ତି । ଆଗାମୀ ଦିନରେ ବିକାଶର ଜୟଯାତ୍ରା ଆହୁରି ତ୍ୱରାନ୍ୱିତ ହେବ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ସରକାର କେବଳ ଅବିଭକ୍ତ କୋରାପୁଟ ନୁହେଁ, ସାରା ରାଜ୍ୟକୁ ସମତୁଲ ଭାବେ ବିକାଶ କରିବା ପାଇଁ ବଦ୍ଧପରିକର । ଏହି ଶବରୀ ଭବନ ଓଡିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ, ଓ ନୂଆ ପିଢ଼ି ପାଇଁ ଏକ ଅନୁପ୍ରେରଣା ରୂପେ ଦୀପ୍ତିମାନ ରହିବ। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଗଣଶିକ୍ଷାମନ୍ତ୍ରୀ ତଥା ଶବରୀ ସାଂସ୍କୃତିକ ପରିଷଦର ସଭାପତି ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନକୁ ଆଦିବାସୀ ସଂସ୍କୃତି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରି ୨୦୦ କୋଟି ଅନୁଦାନ ପ୍ରଦାନ କରିଛନ୍ତି । ଏଥିରୁ, ଦକ୍ଷିଣ ଓଡିଶା, ବିଶେଷ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶର ଗତି ଦ୍ରୁତତର ହେବ। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ମୁନା ଖାନ, ସାଂସଦ ବଳଭଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଶବରୀ ସାଂସ୍କୃତିକ ସଂସଦର ଉପଦେଷ୍ଟା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭାତ୍ରା, କୋଟପାଡ଼ ବିଧାୟକ ରୂପା ଭାତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ରାୟଗଡ଼ା ବିଧାୟକ କାଡ୍ରକା ଅପଲସ୍ୱାମୀ, ବିଷମ କଟକ ବିଧାୟକ ନୀଳମାଧବ ହିକ୍କା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ମଞ୍ଚାସୀନ ଥିଲେ । ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶବରୀ ସାଂସ୍କୃତିକ ପରିଷଦର ଉପସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ ।