ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷିବ

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗକୁ ସଂଲଗ୍ନ ଉତ୍ତର ଓଡ଼ିଶାରେ ସମୁଦ୍ର ପତନ ଠାରୁ ୧.୫ ଏବଂ ୫.୮ କିମି ଉଚ୍ଚତାରେ ଉପର ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳିରହିଛି । ସେହିପରି ଉତ୍ତର ପୂର୍ବ ଆରବସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଟ୍ରଫ୍ ଲାଇନ୍ ରହିଛି । ସେହି ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ଉପରେ ବି ଢଳି ରହିଛି । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ସୁନ୍ଦରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ । ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
- ୬ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ
- ୬ ସ୍ଥାନରେ ବଢୁଛି ଜଳସ୍ତର
ଏତଦ୍ବ୍ୟତୀତ ଜୁଲାଇ ୫ରେ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଓ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଯେତେବେଳେକି ଜୁଲାଇ ୬ରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ, ବୁଢାବଳଙ୍ଗ, ବଂଶଧାରା ନଦୀର ଜଳସ୍ତର କେତେକ ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ସେଭଳି କୌଣସି ବିପଦର ସମ୍ଭାବନା ନାହିଁ । ଖଇରମାଳ ଓ ଟିକରପଡ଼ାରେ ମହାନଦୀ ବଢୁଥିବାବେଳେ ଚମ୍ପୁଆ ଓ ସ୍ୱମପାଟଣାରେ ବୈତରଣୀ ଏବଂ କାଶୀନଗର ଠାରେ ବଂଶଧାରା ନଦୀ ଜଳସ୍ତର ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହି ସବୁ ସ୍ଥାନରେ ଜଳସ୍ତର ବିପଦସଂକେତ ଠାରୁ ୨ରୁ ୪ ମିଟର ତଳେ ରହିଛି ।