ଶିକ୍ଷକ ନିଯୁକ୍ତି ନେଇ ସରକାରଙ୍କୁ ଚିଠି
ନବରଙ୍ଗପୁର : ପିଲାଙ୍କ ଭବିଷ୍ୟତ ସ୍କୁଲ ଶିକ୍ଷା ଉପରେ ବିଶେଷ ଭାବେ ନିର୍ଭର କରେ । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ହିଁ ମୂଳଦୁଆ ପଡ଼ିଥାଏ । ତେବେ ଜିଲ୍ଲାରେ ବହୁଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଶିକ୍ଷକ ଅଭାବରେ ପିଲାଙ୍କ ଭବିଷ୍ୟତ କଥା ସରକାର ଚିନ୍ତା କରିବା ବିଡ଼ମ୍ବନାର ବିଷୟ । ସୀମିତ ଶିକ୍ଷକଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ଶିକ୍ଷକ ନିଯୁକ୍ତି ଏକ ମାତ୍ର ବିକଳ୍ପ ବୋଲି ଆଲୋଚନା ହେଉଛି । ନବରଙ୍ଗପୁର ଜିଲ୍ଲାରେ ୧୩୫ ହାଇସ୍କୁଲ ରହିଛି । ସେଥିମଧ୍ୟରୁ ୧୦୪ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲିପଡ଼ିଛି । ୧୦୩୬ ଶିକ୍ଷକ ପଦବୀ ମଧ୍ୟରୁ ୭୯୫ ଶିକ୍ଷକ ରହିଛନ୍ତି । ୨୪୧ ଶିକ୍ଷକ ପଦବୀ ଖାଲି ପଡ଼ିଛି । ହାଇସ୍କୁଲ ସଂଖ୍ୟା ବୃଦ୍ଧି ପାଇବା ସହ ଶିକ୍ଷକ ପଦବୀ ମଧ୍ୟ ସୃଷ୍ଟି କରାଯାଇ ନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ୧୦୪ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାବ୍ୟତୀତ ୭୭ ନୂତନ ଶିକ୍ଷକ ପଦବୀ, ଅଣଶିକ୍ଷକ ପଦବୀ, ନୂତନ ପିଅନ ପଦବୀ ୭୭ ଓ ନୂତନ କିରାଣି ୧୮୫ ପଦବୀ ପାଇଁ ମଧ୍ୟ ସରକାରଙ୍କୁ ଚିଠି କରିଛନ୍ତି ।