ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ମହୋତ୍ସବ
ଗରଦପୁର : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତର ବସନ୍ତପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୫.୩୦ ରେ କାକଡ଼ ଆରତି, ସକାଳ ୬.୩୦ରେ ବାବାଙ୍କ ସ୍ନାନ ଆରତି, ସକାଳ ୯ ଟାରେ ମହାଭିଷେକ ପୂଜା, ହୋମ ଓ ୧୨ ଟାରେ ମଧ୍ୟାହ୍ନ ଆରତି ଅନୁଷ୍ଠିତ ହୋଇଥିଲା । ଏହି ଗୁରୁପୂର୍ଣିମା ମହୋତ୍ସବରେ ପୂର୍ତ ବିଭାଗ ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ ଓ ଗରଦପୁର ବ୍ଲକ୍ର ବିଡ଼ିଓ ଆଲୋକ ରଂଜନ ସେଠି ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସମ୍ପାଦକ ସୁନୀଲ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ସାମ୍ବାଦିକ ଧିରେନ୍ ମିଶ୍ର, ସାମ୍ବାଦିକ ଉମାକାନ୍ତ ପାତ୍ର ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଗୁରୁ ପୂର୍ଣ୍ଣିମାରେ ଶ୍ରୀ ଶ୍ରୀ ବାବାଙ୍କ ଆଶିର୍ବାଦ କାମନା କରିଥିଲେ । ଶିରିଡ଼ି ସାଇ ଟ୍ରଷ୍ଟ ପକ୍ଷରୁ ନଳିନୀକାନ୍ତ ମହାନ୍ତି, କମଳ ମହାନ୍ତି, ଚଣ୍ଡିପ୍ରସାଦ ମହାନ୍ତି ଓ ସଂଯୁକ୍ତା ପ୍ରମୁଖ ମହୋତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଡକ୍ଟରÿ ରୁଦ୍ର ମହାନ୍ତି ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଶ୍ରୀମତି ନାୟକ ଓ ଗରଦପୁର ବିଡ଼ିଓ ଶ୍ରୀ ସେଠିଙ୍କୁ ପୁଷ୍ପ ମାଲ୍ୟ, ବାବାଙ୍କ ଅଙ୍ଗବସ୍ତ୍ର, ବାବାଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।