ସ୍ତ୍ରୀ ଓ ପ୍ରେମିକକୁ ଆକ୍ରମଣ ଘଟଣା; ସ୍ୱାମୀ ଗିରଫ

ଯାଜପୁର ଟାଉନ : ସ୍ୱାମୀ ନିଜ ସ୍ତ୍ରୀର ବେକ କାଟିବା ସହ ଓ ତା’ପ୍ରେମିକକୁ ବେକ କାଟି ତା’ର ଗୁପ୍ତାଙ୍ଗକୁ କାଟିବା ଘଟଣାରେ ଯାଜପୁର ଟାଉନ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ସହଯୋଗୀ ଫେରାର ହୋଇଛନ୍ତି । ବୁଧବାର ଦିନ ଯାଜପୁର ଟାଉନ ଥାନା ଟିପରା ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । କୋରେଇ ଚରଦା ଅଂଚଳର ମନୋଜ ମହାନ୍ତିଙ୍କ ପତ୍ନୀ ଡଲି ମହାନ୍ତି ଓ ତାଙ୍କ ପ୍ରେମିକ କୋରେଇ ବ୍ରାହ୍ମଣଦା ବଢ଼େଇ ସାହି ଗ୍ରାମର ପ୍ରଶାନ୍ତ ନାଥ ୨୦୨୪ମସିହା ନଭେମ୍ବର ମାସ ୨୩ ତାରିଖରୁ ଘରୁ ପଳାଇ ଆସି ପ୍ରଥମେ କେନ୍ଦୁଝର ଜିଲା ଘଟଗାଁରେ କିଛିଦିନ ରହିଲା ପରେ ଯାଜପୁର ଥାନା ଟିପରା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ଗତ ବୁଧବାର ଦିନ ଦୁହେଁ ବଜାରକୁ ଚାଉଳ କିଣିବାକୁ ଯାଉଥିବା ବେଳେ ସ୍ୱାମୀ ମନୋଜ ଓ ତାଙ୍କର ଦୁଇଜଣ ସାଥୀ ଡଲି ଓ ତାଙ୍କ ପ୍ରେମିକ ପ୍ରଶାନ୍ତକୁ କାବୁ କରିଥିଲେ । ଗୋଟିଏ ଦୌଡ଼ିରେ ବାନ୍ଧି ଉଭୟଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ବେଳେ ଉଭୟ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ଡଲିଙ୍କ ସ୍ୱାମୀ ମନୋଜ ନିଜ ସ୍ତ୍ରୀର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟିବା ସହ ପ୍ରେମିକ ପ୍ରଶାନ୍ତର ବେକ ଓ ଗୁପ୍ତାଙ୍ଗକୁ କାଟି ଫୋପାଡ଼ି ଦେଇ ପଳାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବରପାଇ ଯାଜପୁର ଏସ୍ଡିପିସ ପ୍ରଶାନ୍ତ ମାଝୀ, ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଓ ସଦର ଥାନାଧିକାରିଣୀ ଚିନ୍ମୟୀ ବେହେରା ମେଡିକାଲକୁ ଯାଇ ଆହତକୁ ଭେଟିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଘଟଣାଟି ଯାଜପୁର ଟାଉନ ଥାନା ଅଞ୍ଚଳରେ ଘଟିଥିବାରୁ ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଡିଏସ୍ପି ଶରତ ଚନ୍ଦ୍ର ପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ଏସ୍ଆଇ ମହେନ୍ଦ୍ରୀ ସେଠୀ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜକୁ ଘଟଣା ସ୍ଥଳକୁ ନେଇ ପଚରାଉଚରା କରିଥିଲେ । ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଏସ୍ଆଇ ଅଜୟ କୁମାର ସାହୁ କଟକ ବଡ଼ ଡାକ୍ତରଖାନାକୁ ଯାଇ ଦୁଇଜଣଙ୍କ ମୃତୁ୍ୟକାଳୀନ ଜମାନବନ୍ଦୀ ରେକର୍ଡ଼ କରିଛନ୍ତି । ମନୋଜ ମହାନ୍ତି ୨୦୧୦ ମସିହା ଜୁଲାଇ ୯ତାରିଖରେ ଡଲି ମହାନ୍ତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କର ୧୪ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଅଛି । ପ୍ରଶାନ୍ତ ନାଥ ରାଜମିସ୍ତ୍ରୀ ଭାବେ ମନୋଜଙ୍କ ଘରେ କାମ କରୁଥିବା ବେଳେ ଡଲିଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ । ସେହିଦିନ ଠାରୁ ମନୋଜ ଉଭୟଙ୍କୁ ଖୋଜି ବୁଲୁଥିଲା ।