ଶ୍ରମ କାର୍ଯ୍ୟାଳୟରେ ପଡ଼ିରହିଛି ୨୫ଶହ ଆବେଦନ
ଯାଜପୁର: ନିର୍ମାଣ ଶ୍ରମିକଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି । ବିଭିନ୍ନ ସମୟରେ ସହାୟତା ବଣ୍ଟନ ସମାବେଶର ଆୟୋଜନ କରାଯାଇ ନିର୍ମାଣ ଶ୍ରମିକଙ୍କୁ କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ଏଥିସହ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ଶହଶହ ଆବେଦନକାରୀଙ୍କୁ ନୂତନ ପରିଚୟ ପ୍ରଦାନ କରାଯାଉଛି । ହେଲେ ଆଶ୍ଚର୍ଯ୍ୟର କଥା ବର୍ଷବର୍ଷ ଧରି ଆବେଦନ କରି ପରିଚୟ ପତ୍ର ପାଇ ସହାୟତା ଅପେକ୍ଷା କରିଥିବା ନିର୍ମାଣ ଶ୍ରମିକଙ୍କୁ ଏହା ମିଳିପାରୁନି । ଯେଉଁ ମାନେକି କାରଣ କ’ଣ ତାହା ସ୍ପଷ୍ଟ ହୋଇପାରୁ ନାହାନ୍ତି । ଏପରିକି କାରଣ ସଂପର୍କରେ ଯାଜପୁର ରୋଡ଼ରେ କାର୍ଯ୍ୟ କରୁଥିବା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ କୋରି ଲିଙ୍କରେ ମେସେଜ ଦେବାକୁ ଉଚିତ ମଣୁ ନାହାନ୍ତି । ଫଳରେ ଆବେଦକଙ୍କୁ ଅପେକ୍ଷା କରି କରି ନିରାଶ ହେବାକୁ ପଡ଼ୁଛି । ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସମୟରେ ବିବାହ କାଳୀନ ସହାୟତା ଠାରୁ ମୃତୁ୍ୟ କାଳୀନ, ଅନ୍ତେଷ୍ଟିକ୍ରିୟା, ପ୍ରସୂତୀକାଳୀନ ସହାୟତା, ଶିକ୍ଷା ସହାୟତା ପ୍ରଭୂତି ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ବିଭିନ୍ନ ସମୟରେ ସମାବେଶ ମାଧ୍ୟମରେ ହେଉ କି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇ ଦିଆଯାଇଥାଏ । ଚଳିତବର୍ଷ ୨ଶହ ପାଖାପାଖି ହିତାଧିକାରୀଙ୍କୁ ୨କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବା ୨୫ଶହଆବେଦନକାରୀ ସହାୟତା ପାଇବାରୁ ବଞ୍ଚିତ ରହିିଛନ୍ତି । ଏହା ପଛରେ ଲାଞ୍ଚ ନାଁ କମିସନ ତାହା ଏକ ପ୍ରଶ୍ନ ହୋଇ ଠିଆ ହୋଇଛି । ସୂଚନା ଅଧିକାର ବଳରେ ମିିଳିଥିବା ତଥ୍ୟ ମତେ ତା ୩୦ା୫ା୨୦୨୫ ସୁଧା ବିଭିନ୍ନ ସହାୟତା ପାଇନଥିବା ମୋଟ ୩୩୭୧ଜଣ ଶ୍ରମିକଙ୍କର ଆବେଦନରୁ ୮୬୮ଜଣଙ୍କର ଆବେଦନରେ ଇନକ୍ୱାରୀ ପ୍ରଦାନ କରାଯାଇଛି । ହେଲେ ୨୫୦୩ ଜଣଙ୍କର ଆବେଦନ କୋରି କରାଯାଇନି । ମିଳିଥିବା ତଥ୍ୟ ମତେ ଶିକ୍ଷା ସହାୟତା ପାଇଁ ୧୮୨୦, ବିବାହ-ସହାୟତା ପାଇଁ ୪୫୩, ମୃତୁ୍ୟ କାଳୀନ ସହାୟତା ପାଇଁ ୧୦୨, ଅନ୍ତେଷ୍ଟିକ୍ରିୟା ସହାୟତା ପାଇଁ ୧୨୮ ଜଣ ଆଦେବନକାରୀଙ୍କ ଆବେଦନ ଫାଇଲ ତଳେ ଚାପି ହୋଇଯାଇଛି । ବିଭିନ୍ନ ସମୟରେ ଶହଶହ ସଂଖ୍ୟାର ଆବେଦନ ସହାୟତା ପାଇଁ ଅନଲାଇନରେ ଆବେଦନ କରିଥାନ୍ତି । ଯାହାକୁ ଯାଞ୍ଚ କରି ମଞ୍ଜୁର କରିବା କାର୍ଯ୍ୟ ହେଉଛି ଉକ୍ତ ବିଭାଗର । ହେଲେ କାର୍ଯ୍ୟରତ କର୍ମଚାରୀ ମନଇଛାରେ ଯାଞ୍ଜ କରି ଆବେଦନକାରୀଙ୍କୁ ସହାୟତା ପ୍ରଦାନ କରିବାରେ ସହଯୋଗ କରୁଥିବା ବେଳେ ଅନେକଙ୍କ କ୍ଷେତ୍ରରେ ଯାଞ୍ଜ କରିବାକୁ ମନ ବଳାଉ ନାହାନ୍ତି । ଯାହାକୁ ନେଇ କମିସନ ଭଳି କଥା ଉଠିବାରେ ଲାଗିଛି । କମିସନ ପାଇଁ ବହୁ ଆବେଦନ ଗୁଡିକୁ ପକାଇ ରଖାଯାଉଥିବା ଭଳି ଅଭିଯୋଗ ହେଉଛି । ଯାଜପୁର ଜିଲାଶ୍ରମ କାର୍ଯ୍ୟାଳୟ ସମାଜରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରମିକ ମାନଙ୍କର ଆର୍ଥିକ, ସାମାଜିକ ସୁରକ୍ଷା ବା ସହାୟତା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଆଇନ୍ ବା ଯୋଜନା ପ୍ରଣୟନ ହୋଇଛି । ସେହି କ୍ରମରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କାମ କରୁଥିବା ଶ୍ରମିକ ମାନଙ୍କ ଆର୍ଥିକ, ସାମାଜିକ ସୁରକ୍ଷା ବା ସହାୟତା ପାଇଁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ହୋଇଛି । ଏହି ବୋର୍ଡ ଅଧିନରେ ଥିବା ସହାୟତା ଗୁଡିକୁ ପାଇବାକୁ ଯୋଗ୍ୟ ଶ୍ରମିକ ପଞ୍ଜିକରଣ ହୋଇ ବିଭିନ୍ନ ସହାୟତା ପାଇଁ ଆବେଦନ ଅନଲାଇନରେ କରିବାକୁ ପଡିଥାଏ । ଯାହାକୁ କ୍ରମାନ୍ୱୟରେ ଅଧିକାରୀ ମାନେ ଯାଞ୍ଚ କରିଥାନ୍ତି । ସଠିକ୍ ଆବେଦନ ଗୁଡିକୁ ଅନୁମୋଦନ କରି ସହାୟତା ପ୍ରଦାନ କରିଥାଆନ୍ତି । ଯେଉଁ ଆବେଦନ ଭେରିଫିକେସନ୍ ପାଇଁ ଯଦି କୌଣସି ଦସ୍ତାବିଜ୍ ବା ସ୍ପଷ୍ଟିକରଣର ଆବଶ୍ୟକତା ପଡେ ତେବେ ଉକ୍ତ ଅଧିକାରୀ ଇନକ୍ୱାରୀ ଦ୍ୱାରା ଆବେଦନକାରୀଙ୍କୁ ଜଣାଇଥାଆନ୍ତି । କିନ୍ତୁ ଯାଜପୁର ଜିଲା ଶ୍ରମ କାର୍ଯ୍ୟାଳୟର ଅସାଧୁ ଅଧିକାରୀ ଆବେଦନ ଗୁଡିକୁ କ୍ରମାନ୍ୱୟରେ ନକରି ଯେଉଁ ଆବେଦନ ଉପରେ କମିସନ୍ ପାଉଛନ୍ତି ସେହି ଆବେଦନ ଗୁଡିକର କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ହେଉଥିବା ଅଭିଯୋଗର ତଦନ୍ତ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କରାଗଲେ ଜଣାପଡ଼ିଯାଆନ୍ତା ବୋଲି ଜ÷ନିକ ସୂଚନ କର୍ମୀ କହିଛନ୍ତି ।