ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପୁରୀ : ଶ୍ରୀମନ୍ଦିର ପରିସରରେ ହେବ ଗୃହ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ l ଏନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ମହିଳା ଭକ୍ତ ଶିଶୁଙ୍କୁ ନେଇ ଆସିଥାନ୍ତି l ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମାଆମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଉଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଓ ଅନ୍ଯ ଅଧିକାରୀ ଆଲୋଚନା କରିଛନ୍ତି ଏବଂ ସ୍ଥାନ ନିରୁପଣ କରିଛନ୍ତି । ମହିଳା ଭକ୍ତଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ନିମନ୍ତେ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପରିସର ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗୃହର ପରିମଳ ଗୋପନୀୟତା ଓ ମା' ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ରଖିବା ପାଇଁ ସେଠାରେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ରହିବେ ।