ସାରା ରାତି ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ
କେନ୍ଦୁଝର : ସ୍କୁଲ ଘରେ ଥିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ । ହେଲେ ଶିକ୍ଷକ ଓ ପ୍ରଧାନଶିକ୍ଷକ ଅତି ଖାମଖିଆଲି ଭାବେ ଚାବି ପକାଇ ପଳାଇ ଆସିଲେ । ରାତି ସାରା ଛାତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ଥିବାବେଳେ ନିଜେ ବାହାରିବାକୁ ବି ଉଦ୍ୟମ କରିଥିଲା । କିନ୍ତୁ ତା ମୁଣ୍ଡ ଝରକା ରେଲିଂ ଭିତରେ ଫଶି ଯାଇଥିଲା। ଶେଷରେ ରେଲିଂ କଟାଯାଇ ଛାତ୍ରୀ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପ୍ରଧାନଶିକ୍ଷକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି ।
ଝରକା ରେଲିଂ କଟାଯାଇ ଉଦ୍ଧାର
ହେଡ଼ମାଷ୍ଟରଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ
ସୂଚନାଯୋଗ୍ୟ ଯେ, ବାଂଶପାଳ ବ୍ଲକ ଅନ୍ତର୍ଗତ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ଶ୍ରେଣୀ ଗୃହରେ ତାଲା ପକାଇ ଶିକ୍ଷକମାନେ ଚାଲିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ରାତି ସାରା ଛାତ୍ରୀ ଜଣକ ଶ୍ରେଣୀ କକ୍ଷରେ ହିଁ ରହିଥିଲେ । ଛାତ୍ରୀ ଜଣକ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଝରକା ରେଲିଂରେ ଫଶି ଯାଇଥିଲା । ଆଜି ସକାଳୁ ସ୍କୁଲ ଆସିଥିବା ଶିକ୍ଷକମାନେ ଉଦ୍ଧାର କରି ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଛାତ୍ରୀଙ୍କ ନାମ ଜ୍ୟୋସ୍ନା ଦେହୁରୀ ଏବଂ ତାଙ୍କ ଘର ଆମ୍ବଡହରା ଗ୍ରାମରେ ବୋଲି ଜାଣିବାକୁ ମିଳିଛି ।
ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ସ୍କୁଲ ଗୁରୁବାର ଦିନ ଛୁଟି ହେବା ପରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହି ଯାଇଥିଲେ । ଶିକ୍ଷକମାନେ ଭଲ ଭାବରେ ଯାଞ୍ଚନକରି ସ୍କୁଲରେ ତାଲା ପକାଇ ଚାଲି ଯାଇଥିଲେ । ସେପଟେ ଛାତ୍ରୀଙ୍କୁ ନପାଇ ପରିବାର ଲୋକେ ରାତି ସାରା ଖୋଜାଖୋଜି କରି ନିରାଶ ହୋଇଥିଲେ । ସକାଳେ ଛାତ୍ରୀ ଜଣକ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଅଟକି ରହି ଆହତ ହୋଇଥିଲେ । ଆଜି ଅସୁସ୍ଥ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ କରିଥିଲେ ।
ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରହରି ମହାନ୍ତ କହିଛନ୍ତିଯେ, ଛାତ୍ରୀ ଜଣକ ଗତକାଲି ଶ୍ରେଣୀ ଗୃହରେ ଶୋଇ ପଡିଥିଲେ । ପିଲାମାନେ ଶ୍ରେଣୀ କକ୍ଷ ଯାଞ୍ଚ ନକରି ତାଲା ପକାଇ ଦେଇଥିଲେ । ତେବେ ଆଜି ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ଓ ସେ ସୁସ୍ଥ ଅଛନ୍ତି । ଘଟଣାର ତଦନ୍ତ ପାଇଁ ସଦର ପୋଲିସ ଓ ଅନ୍ୟମାନେ ପହଁଚିଛନ୍ତି । ବାଂଶପାଳ ବ୍ଲକ ଅଫିସ ବିଆରସିସି ନିରଞ୍ଜନ ନାୟକ ତଦନ୍ତ କରି ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି । ତଦନ୍ତ ପରେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି ପ୍ରକାଶ କରିଛନ୍ତି ।