ଷ୍ଟ୍ରିଟଫୁଡ଼ ଓ ଆମିଷ ଦୋକାନ ଉପରେ ଚଢ଼ାଉ କେବେ ?
ାା ରାଜୀବ ଲୋଚନ ପଣ୍ଡା ।ା
ରାଜ୍ୟରେ ଝାଡାବାନ୍ତି ଜଣ୍ଡିସ୍ ଜିଲ୍ଲା ପରେ ଜିଲ୍ଲା ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିବାବେଳେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତୁହାକୁ ତୁହା ଛୋଟ ହୋଟେଲ ଦୁକାନରେ ଯାଞ୍ଚ କରୁଛନ୍ତି । ତେବେ ସଞ୍ଜ ନଇଁଲେ ରାଜଧାନୀରେ ବିଭିନ୍ନ ଗଳିକନ୍ଦିରେ ଖୋଲୁଥିବା ଷ୍ଟି୍ରଟଫୁଡ଼ ଯାଞ୍ଚ ହେଉନଥିବାରୁ ଜଣ୍ଡିସ୍କୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଷ୍ଟି୍ରଟଫୁଡ଼ ସଂଖ୍ୟା ବଢି ବଢି ଚାଲିଛି । ଚାଟ୍, ଗୁପ୍ ଚୁପ, ମୋମୋ, ଛେନା ଓ ଛଣା ଛଣି ଖାଦ୍ୟର ପସରା ଦେଖିବାକୁ ମିଳୁଛି । ସହରରେ ବାହାର ରାଜ୍ୟରୁ ଆସି ବସ୍ତିରେ ରହୁଥିବା ବିକ୍ରେତା ମାନେ କିଭଳି ପରିବେଶରେ ଚାଟ ବନଉଛନ୍ତି ଏବଂ ସେଥିରେ ବ୍ୟବହୃତ ହେଉଥିବା ପାଣିର ମାନ କଣ ରହିଛି ତାର ଯାଞ୍ଚ ହେବା ପାଇଁ ଦାବି ହେଉଛି । ଏଥିସହ ସନ୍ଧ୍ୟାରେ ଖୋଲୁଥିବା ହୋଟଲ ଗୁଡିକରେ କିପ୍ରକାର ତେଲ, ସେଠାରେ ଖାଇବା ଉପଯୋଗୀ ପରିବେଶ ହେଇଛି କି ନାହିଁ ଏଥିସହ ପାଣିର ମାନ ଯାଞ୍ଚ କରିବାକୁ ଦାବି ହେଉଛି । ବିଶେଷକରି ବସ୍ତିରେ ରହୁଥିବା ବ୍ୟବସାୟୀମାନେ ବ୍ୟବହାର କରୁଥିବା ପାଣିକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ଗୁପ୍ ଚୁପ ପାଇଁ ବ୍ୟବହାର ହେଉଥିବା ପାଣିକୁ ଖଟା କରିବାପାଇଁ ଅଧିକାଂଶ ବ୍ୟବସାୟୀ ରସାୟନିକ ସାମଗ୍ରୀ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।
ଏଥିସହ ଦୋକାନରେ ଅତ୍ୟନ୍ତ ଅପରିଷ୍କାର ବୋତଲରେ ପାଣି ଆଣି ଲୋକଙ୍କୁ ଦେଉଛନ୍ତି । ଯେଉଁ ପ୍ଲାଷ୍ଟିକ ପାଣି ବୋତଲକୁ ଥରୁଟିଏ ବ୍ୟବହାର କରି ଫୋପାଡିବାକୁ କୁହାଯାଇଛି ଏମାନେ ତାହାକୁ ମାସ ମାସଧରି ବ୍ୟବହାର କରୁଛନ୍ତି । ସେହିଭଳି ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ବ୍ୟବସାୟୀମାନେ ଖାଦ୍ୟରେ ବିଭିନ୍ନ ପ୍ରକାରର ରଙ୍ଗ ବ୍ୟବହାର କରିଥାନ୍ତି । ଶସ୍ତାରେ ମିଳୁଥିବା ଏହି ରଙ୍ଗକୁ ଖାଇଲେ ବିଭିନ୍ନ ପ୍ରକାର ପେଟରୋଗ ସୃଷ୍ଟି ହେବବୋଲି ବିଶେଷଜ୍ଞମାନେ ଚେତାଇ ଦେଉଥିଲେ ମଧ୍ୟ ଯାଞ୍ଚ ହେଉନଥିବାରୁ ବ୍ୟବସାୟୀମାନେ ନିର୍ଭୟରେ ତାହାର ବ୍ୟବହାର କରୁଛନ୍ତି । ସେହିଭଳି ଖାଦ୍ୟ ପ୍ରସ୍ତୁତି ପାଇଁ ନିମ୍ନମାନର ମସଲା, ତେଲ ଆଦି ମଧ୍ୟ ବ୍ୟବହାର ହେଉଛି । ଏବେ ରାଜ୍ୟରେ ହଇଜା ଓ ଜଣ୍ଡିସ ଦେଖାଦେଇଛି ତେଣୁ ରାଜଧାନୀରେ ତନଘନା ଚାଲିଛି । ହେଲେ ଏହି ଯାଞ୍ଚରେ ଉଠା ଦୋକାନୀଙ୍କ ଉପରେ ନଜର ଦିଆଯାଉନଥିବାରୁ ଜଣ୍ଡିସ ନିୟନ୍ତ୍ରଣ ନେଇ ଆଶଙ୍କା ପ୍ରକାଶ ପାଉଛି । କେବଳ ଉଠା ଦୋକାନୀ ନୁହେଁ, ରାଜଧାନୀରେ ମାଂସ, ମାଛ ଭଳି ଆମିଷ ସାମଗ୍ରୀ ମଧ୍ୟ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରିବଟା ଚାଲିଛି । ବିଭିନ୍ନ ଗଳିକନ୍ଦିରେ ଡ୍ରେନେଜ ଉପରେ ବସି ମାଛ ଓ ମାଂସ କଟା ଚାଲିଥିବାରୁ ସହରର ଯେକୌଣସି ସ୍ଥାନରେ ଝାଡାବାନ୍ତି ବଢିବା ଆସଙ୍କାକୁ ଏଡାଇଯାଇହେବନୀ । ଏଥିନମନ୍ତେ ମହାନଗର ନିଗମ ଉଠାଦୋକାନୀ ସମେତ ଆମିଶ ଦୋକାନୀ ଉପରେ ଯାଞ୍ଚ କରିବାକୁ ମତପ୍ରକାଶ ପାଇଛି ।