ସଚିବସ୍ତରୀୟ ବୈଠକ ବଜେଟ୍‌ ଖର୍ଚ୍ଚ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ୨୦୨୪-୨୫  ଆର୍ଥିକ ବର୍ଷ ମାର୍ଚ୍ଚ ୬ ତାରିଖ ସୁଦ୍ଧା ବଜେଟ୍‌ ପ୍ରାବଧାନ ଅନୁସାରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା ।  ବିଭିନ୍ନ ବିଭାଗ ପକ୍ଷରୁ ଖର୍ଚ୍ଚ ସମୀକ୍ଷା କରାଯିବା ସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ, ଆଇଜିଓଟି  କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀଙ୍କୁ ପ୍ରଶିକ୍ଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା ।  ଗତ ୨୦୨୩-୨୪  ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗକୁ ବଜେଟ୍‌ ଅନୁମୋଦନ ଅନୁସାରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବିଭାଗମାନଙ୍କ ଦ୍ୱାରା ବଜେଟ୍‌ ପ୍ରାବଧାନ ଅନୁସାରେ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ ।  ବିଭିନ୍ନ ବିଭାଗ ଦ୍ୱାରା ଚଳିତ  ମାର୍ଚ୍ଚ  ୬ ତାରିଖ ସୁଦ୍ଧା ଗତ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ସାମଗ୍ରିକ ଭାବେ ଖର୍ଚ୍ଚ ୧୬.୫ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ପାଇଛି । କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ହାର ଗତବର୍ଷ ତୁଳନାରେ ୧୭.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ  ବିଭିନ୍ନ ବିଭାଗ ଦ୍ୱାରା ବଜେଟ୍‌  ମୁତାବକ ଖର୍ଚ୍ଚ ଗତବର୍ଷ ତୁଳନାରେ ଅଧିକ କରାଯାଇଛି । ୮୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିଥିବା ବିଭାଗମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା  ୯୦ରୁ ୯୫ ପ୍ରତିଶତ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ୭୦ ପ୍ରତିଶତ ଖର୍ଚ୍ଚ ହାସଲ କରିଥିବା ବିଭାଗମାନଙ୍କୁ ୮୦ ରୁ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ କୁହାଯାଇଛି ।  ବିଭିନ୍ନ ବିଭାଗ ତରଫରୁ ଖର୍ଚ୍ଚର ସ୍ଥିତି କେତେ ରହିଛି ଏବଂ ଚଳିତ  ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ହାର କେତେ ରହିବ, ସେ ସମ୍ପର୍କରେ ବିଭାଗୀୟ ସଚିବମାନେ ଉପସ୍ଥାପନ କରିଥିଲେ । କମ ଖର୍ଚ୍ଚ କରିଥିବା ବିଭାଗମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସମୟସୀମା ମଧ୍ୟରେ ତଥା ନୂତନ ଆର୍ଥିକ ବର୍ଷ ପୂର୍ବରୁ ଯଥାସମ୍ଭବ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ  ଦେଇଥିଲେ । 
ଫେବୃୟାରୀ ୨୦୨୫ ସୁଦ୍ଧା  ରାଜ୍ୟର ନିଜସ୍ୱ  ରାଜସ୍ୱ ଆଦାୟ,  କେନ୍ଦ୍ରୀୟ ଅନୁଦାନ, କେନ୍ଦ୍ରୀୟ କର ବାବଦରେ ରାଜ୍ୟର ଅଂଶ ପ୍ରଦାନ, ବିଭିନ୍ନ କର ଆଦାୟ, ଅଣ କର ରାଜସ୍ୱ କ୍ଷେତ୍ର  ଆଦିରୁ ସଂଗୃହିତ ରାଜସ୍ୱ ସାମଗ୍ରିକ ଭାବେ ଗତ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଥିବା ବୈଠକରୁ ଜଣାଯାଇଛି । କର୍ମଚାରୀ ତଥା ଅଧିକାରୀଙ୍କ ଦକ୍ଷତା ବୃଦ୍ଧି  ପାଇଁ ଆଇଜିଓଟି  କର୍ମଯୋଗୀ ମିଶନରେ ରାଜ୍ୟର  ୪ଲକ୍ଷ ୧୬ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ଅଧିକାରୀ ଏବଂ କର୍ମଚାରୀ ୫ଲକ୍ଷ ୩୦ହଜାରରୁ ଊର୍ଦ୍ଧ୍ୱ  ପ୍ରଶିକ୍ଷଣ ନେଇଛନ୍ତି । ବୈଠକରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।