ସଜାଡ଼ ନଳକୂପ: କୃଷ୍ଣଚନ୍ଦ୍ର
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳମାନଙ୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ମନ୍ତ୍ରୀ ଡଃ ମହାପାତ୍ର ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪ ଘଣ୍ଟା ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ବିଭାଗ ତରଫରୁ ଜାରି କରାଯାଇଥିବା ନିଦେ୍ର୍ଦଶନାମାକୁ କଡାକଡି ଭାବେ କାର୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଭାଗ ତରଫରୁ ଜାରି କରାଯାଇଥିବା ନିଦେ୍ର୍ଦଶନାମାରେ କୁହାଯାଇଛି ଯେ, ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି । ଏହା ବ୍ୟତୀତ ବଡ଼ ବଡ଼ କୋଠା, ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପୌରାଞ୍ଚଳ ଦ୍ୱାରା ଆବଶ୍ୟକ ପଦକ୍ଷେପ ନେବା ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ବିସ୍ତୃତ ସୂଚନା ଦେଇଥିଲେ । ସମସ୍ତ ସହରାଞ୍ଚଳରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ଆବଶ୍ୟକ । ଏହି ଉଦେ୍ଦଶ୍ୟରେ ଜଳ ଯୋଗାଣ ପାଇପଲାଇନଗୁଡ଼ିକୁ ସଠିକ୍ କାର୍ଯ୍ୟକ୍ଷମ ଅବସ୍ଥାରେ ରଖାଯିବା ଉଚିତ । ଏହାର ଯେକୌଣସି ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ସମାଧାନ କରାଯିବା ଆବଶ୍ୟକ ବୋଲି ଏସ୍ଓପିରେ କୁହାଯାଇଛି । ଅନୁଷ୍ଠିତ ବୈଠକରେ ପୌର ନିଦେ୍ର୍ଦଶକ ଅରିନ୍ଦମ ଡାକୁଆ, ଅତିରିକ୍ତ ଶାସନ ସଚିବ ରବିନ୍ଦ୍ର ସାହୁ, ସମସ୍ତ ମୁ୍ୟନିସପାଲ କର୍ପୋରେସନର କମିଶନର, ମୁ୍ୟନିସିପାଲିଟି ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଅନ୍ୟାନ୍ୟ ସମ୍ପୃକ୍ତ ପଦାଧିକାରୀମାନେ ଉପସ୍ଥିତ ଥିଲେ ।