ଆଗକୁ ଗ୍ରୀଷ୍ମପ୍ରବାହ : ମୁକାବିଲା ପାଇଁ ପ୍ରସ୍ତୁତ ରୁହ: ସୁରେଶ
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗ୍ରୀଷ୍ମପ୍ରବାହର କୌଣସି ସମ୍ଭାବନା ନାହିଁ । ଏ ସମ୍ପର୍କରେ ସମସ୍ତ ଜିଲ୍ଲା, ସଂପୃକ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ସଂସ୍ଥାସବୁକୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ମନ୍ତ୍ରୀ ସୁରେଶ ପୂଜାରୀ ସମସ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମସô୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ, ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆର୍ଏସ୍ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆର୍ଏସ୍ ପ୍ୟାକେଟ୍ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓ ରଞ୍ଜନ କୁମାର ସିଂହ, ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ ଶାଖାର ବରିଷ୍ଠ ବୈଜ୍ଞାନିକ ସଂଜୀବ ଦ୍ୱିବେଦୀ, ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।